ନୀଳାଚଳ ସାମ୍ନାରେ ଠିକା କର୍ମଚାରୀଙ୍କ ଧାରଣା ଜାରି

ଦାନଗଦୀ: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନୀଳାଚଳ ଇସ୍ପାତର ଶତାଧିକ ଠିକା କର୍ମଚାରୀ ଆଜି ସକାଳୁ କାରଖାନା ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ୧୭ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ନୀଳାଚଳ ଇସ୍ପାତରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଦୁଃଖ କେହି ବୁଝୁନାହାନ୍ତି। ଗତ ୨୩ ତାରିଖରେ କାରଖାନା କର୍ତ୍ତୃପକ୍ଷକୁ ଏକ ଚିଠି କରାଯାଇଥିଲା। ବକେୟା ଦରମା ପାଇଁ ୭ ଦିନ ସମୟ ଦିଆ ଯାଇଥିଲା। ୭ଦିନ ବିତି ଯାଇଥିଲେ ହେଁ କିଛି ଆଲୋଚନା ହେଲାନାହିଁ। ତେଣୁ ନିଜ ହକ ପାଇଁ ଆଜି ୭୦୦ରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସନ୍ଧ୍ୟା ପର୍ଯନ୍ତ କୌଣସି ଅଧିକାରୀ ଆଲୋଚନା କରି ନାହାନ୍ତି।

ଆସନ୍ତାକାଲି ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କଳିଙ୍ଗନଗର ମଜଦୁର ୟୁନିୟନ ଆଉଟସୋର୍ସିଂ ସଂପାଦକ ବିଭୂତି ଭୂଷଣ ଜେନା, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ, ରଞ୍ଜନ ନାୟକ, ବାବୁଲି ସେଠି, ବାବୁଲି ଜେନା, ରାଜେନ୍ଦ୍ର ସାହୁ, ସତ୍ୟରଞ୍ଜନ ଦାସଙ୍କ ସମେତ ଶତାଧିକ ଠିକା କର୍ମଚାରୀ ଏଇ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର