ଜମି ମାଫିଆଙ୍କ ଦୌରାତ୍ମ୍ୟ: ଜରାଳି-ସରାଳୀ ନଦୀ ଶଯ୍ୟାରେ ହୋଇଛି ବେଆଇନ ନିର୍ମାଣ

ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ପରେ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ବାରିପଦା: ନିଜର ଲାଭ ପାଇଁ ପ୍ରାକୃତିକ ଜଳାଶୟକୁ ବି ଛାଡ଼ିନାହାନ୍ତି ଜମି ମାଫିଆ। ଏପରିକି ନଦୀ ଶଯ୍ୟାକୁ ମଧ୍ୟ ନିଜର ବୋଲି ଦାବି କରିବାକୁ ପଛେଇ ନାହାନ୍ତି। ଜମି ନଦୀ ଭିତରେ ଥିବା ଦର୍ଶାଇ ନିର୍ମାଣ କରାଯାଇଛି। ଯାହାକି ଆଇନର ବେଶ ପରିପନ୍ଥି। ଏପରି ବିଚିତ୍ର ଆଳ ଦର୍ଶାଇ ଜରାଳୀ-ସରାଳୀ ନଦୀ ଶଯ୍ୟାରେ ହୋଇଥିବା ବେଆଇନ ନିର୍ମାଣକୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଫୋରମ୍ ଓ ମଧୁବନ ଉନ୍ନୟନ ପରିଷଦର ବିରୋଧ ପରେ କ୍ଷେତ୍ର ପରିଦର୍ଶନ କରିଥିଲେ ବାରିପଦା ଉପଜିଲ୍ଲାପାଳ, ତହସିଲଦାର, ପୌରପାଳିକା କର୍ମଚାରୀଙ୍କ ସମେତ ଏକ ମିଳିତ ଟିମ।

ତେବେ ଏହି ଗସ୍ତ ପରେ ବାରିପଦା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟରେ ଜନୈକ ରଞ୍ଜିତ ମହାନ୍ତି ନଦୀ ଶଯ୍ୟାରେ ନିର୍ମାଣ କାର୍ଯ୍ୟ କରିଥିବା ଦର୍ଶାଯାଇଛି। ଯାହାକି ଆଇନଗତ ଭାବେ ଠିକ୍ ନୁହେଁ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ରିପୋର୍ଟ ପ୍ରଦାନ ପରେ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା। କିନ୍ତୁ ଏଠାରେ ପ୍ରସଙ୍ଗ ଏହା ଯେ ଉକ୍ତ ନଦୀର ଦୁଇ କଡ଼ରେ ସରକାରୀ ରାଜସ୍ବରେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗିଲେ କିପରି। ଏପରି କାର୍ଯ୍ୟ ଜଣେ ସାଧାରଣ ନାଗରିକ କରିଥିଲେ କଣ ହୋଇଥାଆନ୍ତା। କିପରି ସରକାରୀ ନିର୍ମାଣକୁ ଜଣେ ବ୍ୟକ୍ତି ଭାଙ୍ଗିଦେଇ ନଦୀ ଶଯ୍ୟାରେ ନିଜର ମାଲିକାନା ଜାହିର କରିପାରିବ।

ଜନସାଧାରଣଙ୍କ ସୁରକ୍ଷା ପାଇଁ ନିର୍ମିତ ଉକ୍ତ ପଥର ପ୍ୟାକିଂକୁ ଭାଙ୍ଗିଦେବା ପରେ ନିଜର ଦାୟିତ୍ବରୁ ଖସିଯିବାକୁ ଚେଷ୍ଟା ଚଲାଇଛନ୍ତି ମୟୂରଭଞ୍ଜ ଇରିଗେସନ ଏବଂ ମାଇନର ଇରିଗେସନ ବିଭାଗ। ଦୁଇ ବିଭାଗ ମଧ୍ୟରୁ କେହି ମଧ୍ୟ ଏହାର ଉତ୍ତର ଦାୟିତ୍ବ ନେବାକୁ ପ୍ରସ୍ତୁତ ନୁହନ୍ତି । ମଧୁବନ ଉନ୍ନୟନ ପରିଷଦ ଏବଂ ବରିଷ୍ଠ ନାଗରିକ ଫୋରମ, ବାରିପଦା ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏହାର ଅଭିଯୋଗ ପରେ ଯାହାକିଛି ତଦନ୍ତ ଆରମ୍ଭ ହୋଇଛି। ସମାନ ମାଲିକାନାରେ ଜରାଳ-ସରଳା ନଦୀର ଉଭୟ ପାର୍ଶ୍ବରେ ଚାଲିଛି ନିର୍ମାଣ କାମ। ଅପର ପଟରେ ଐତିହ୍ୟସମ୍ପନ୍ନ ପ୍ରସିଦ୍ଧ ବାରୁଣୀ ଶୈବପୀଠକୁ ବିପଦରେ ପକାଇ ଚାଲିଛି ପ୍ଲଟିଂ। ଯାହାକୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ତୀବ୍ର ବିରୋଧ କରୁଛନ୍ତି। ମାତ୍ର ସରକାରୀ ବାବୁ ମାନଙ୍କ ସହିତ ମଧୁଚନ୍ଦ୍ରିକା ଏବଂ ବାହୁବଳ କାରଣରୁ ସାଧାରଣ ସ୍ବରକୁ ଚାପିଦେବାକୁ ହେଉଛି ଭରପୁର ଉଦ୍ୟମ।

ଆଇନକୁ ମୋଡ଼ିମକଚି ସରକାରୀ ବାବୁମାନେ ଏହି ବ୍ୟକ୍ତିଜଣଙ୍କୁ କରିଛନ୍ତି ଅନୈତିକ ସହଯୋଗ। ଯାହା ଫଳରେ ଅର୍ଥବଳରେ ବଳୀୟାନ୍ ଜମି ମାଫିଆମାନେ ଆଜି ସଂସ୍କୃତିସମ୍ପନ୍ନ ବାରିପଦା ସହରର ଐତିହାସିକ ସ୍ଥାନ ସହିତ ପ୍ରାଚୀନ ନଦୀକୁ ମଧ୍ୟ ନିଜ ଅକ୍ତିଆରକୁ ନେବାକୁ ପ୍ରୟାସ କରିଆସୁଛନ୍ତି। ଉଲ୍ଲେଖଯୋଗ୍ୟଯେ କାହିଁ କେଉଁ କାଳରୁ ପ୍ରବାହିତ ଜରାଳୀ-ସରାଳୀ ନଦୀ ଶଯ୍ୟାରେ ବେଆଇନ ନିର୍ମାଣ କାର୍ଯ୍ୟ ଫଳରେ ବାରିପଦାର ସହର ପ୍ରତି ବିପଦର ଆଶଙ୍କା ରହିଛି। ସେହିପରି ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଐତିହ୍ୟକୁ ନଷ୍ଟ କରିବାକୁ ଚାଲିଛି ବ୍ୟାପକ ଯୋଜନା। ଏନେଇ ସ‌ାଧାରଣ ନାଗରିକ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆଶା ରଖିଥିବା କହିଛନ୍ତି ମଧୁବନ ଉନ୍ନୟନ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା।

ସମ୍ବନ୍ଧିତ ଖବର