ସୁନ୍ଦରଗଡ଼: ଓଡ଼ିଶାର ଆଠମଲ୍ଲିକ ଉତ୍ତର, ଖୋର୍ଦ୍ଧାର ବରବରା ଓ ବଲାଙ୍ଗୀର, ବରଗଡ଼ ସୀମାନ୍ତ ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଡ଼ମ୍ବନା, ବିରଳ କଳାବାଘକୁ ନେଇ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ବନଖଣ୍ଡ ଅଧୀନସ୍ଥ ଗର୍ଜନପାହାଡ଼କୁ ଏହି ବନ୍ୟଜନ୍ତୁ ସୁରକ୍ଷା କରିଡର୍ରେ ସାମିଲ କରାଯାଇନାହିଁ। ଯାହା ଜିଲ୍ଲାର ଜୈବ ବିବଧତା ଓ ବନ୍ୟଜନ୍ତୁପ୍ରେମୀଙ୍କୁ ନିରାଶ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୧୮ ମଇ ମାସରେ ବିରଳ କଳାବାଘ (ବ୍ଲାକ୍ପନ୍ଥର) ଠାବ ହେବା ପରେ ଏହି ସଂରକ୍ଷିତ ଜଙ୍ଗଲ ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା। ଦେଶର ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ଏକ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ଏହା ପୂର୍ବରୁ ହେମଗିର ବନାଞ୍ଚଳର ଗର୍ଜନପାହାଡ଼, ଢେକନାପାଣି, ରୋହିଣୀ ଜଙ୍ଗଲରେ ୨୫ରୁ ଅଧିକ କଲରାପତରିଆ ଓ ଚିତାବାଘ ରହିଥିବା ଆକଳନ କରାଯାଇଥିଲା। ଏହିକ୍ରମରେ ବନବିଭାଗ ଏହାକୁ ଅଭୟାରଣ୍ୟ ମାନ୍ୟତା ପାଇଁ ପ୍ରସ୍ତାବ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ସଂରକ୍ଷିତ ଜଙ୍ଗଲର ପୂରା ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା ବିଭାଗ। ସ୍ଥାନୀୟ ହେମଗିର ତହସିଲରୁ ସଂରକ୍ଷିତ ଜଙ୍ଗଲ ସନ୍ନିକଟ ଗାଁ, ଜମିର ରିପୋର୍ଟ ନେଇ ପରିକଳ୍ପିତ ଅଭୟାରଣ୍ୟର ଏକ ଚିତ୍ର ପ୍ରସ୍ତୁତ କରିଥିଲା।
ଗର୍ଜନପାହାଡ଼କୁ ଲାଗି ରହିଛି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ତମନାର କତରଲିଆ ଓ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ାର ଟେଙ୍ଗନାମାଲ ବିଶାଳ ସଂରକ୍ଷିତ ଜଙ୍ଗଲ। ବନ୍ୟପ୍ରାଣୀଙ୍କ ଅବାଧ ଚଳପ୍ରଚଳ ଓ ନିରାପଦ ଆଶ୍ରୟସ୍ଥଳୀ ହୋଇଥିବା ଗର୍ଜନପାହାଡ଼ ଅଭୟାରଣ୍ୟ ପାଇଁ ସମସ୍ତ ଯୋଗ୍ୟତା ରଖିଛି ବୋଲି ଯୁକ୍ତି ବାଢ଼ିଥିଲା ବନବିଭାଗ। ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ହେମଗିର ଅଞ୍ଚଳର ହେମଗିର ଓ ଗୋପାଳପୁର ବନାଞ୍ଚଳକୁ ନେଇ ୧୦୦୩୮.୧୨ ହେକ୍ଟର ପରିମିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ। ବହୁ ମୂଲ୍ୟବାନ ବିଶାଳକାୟ ଗଛ, ଔଷଧୀୟ ଗୁଲ୍ମ, ଛୋଟ ବଡ଼ ନାଳ, ହାତୀ, ବାଘ, ଭାଲୁ, ହରିଣ, ବାରହା, ସମ୍ବର, କୁଟୁରା, ଝିଙ୍କ, ବଜ୍ରକାପ୍ତା ପରି ବନ୍ୟପ୍ରାଣୀ, ମୟୂର, ଶୁଆଶାରୀ, କଜଳପାତି, କପୋତ, କାଠହଣା ଚଢ଼େଇ ଓ ଅଜଗର, ଅହିରାଜ, କଳା ନାଗ, ଗୋଧି ଆଦି ବହୁ ସରୀସୃପ ଗର୍ଜନପାହାଡ଼କୁ ଅଧିକ ଶୋଭନୀୟ ଓ ଚଳଚଞ୍ଚଳ କରିଛି।
୪୦୯୦.୬୫ ହେକ୍ଟର ପରିମିତ ଗୋପାଳପୁର ବନାଞ୍ଚଳରେ ଗର୍ଜନପାହାଡ଼, ଧନୁବାଉଁଶ, ପୁଞ୍ଜିପାହାଡ଼, ପାଣିଖୋଲିଆ, ରେଗଡ଼ାଖୋଲ, ଝାଟିଖୋଲ, ବାଲିଜୋରି, ପଣ୍ଡ୍ରିପାଣି, କଲତାପାଣି, କଳାମେଘ, ଢୋକଲାପାହାଡ଼, ସରଙ୍ଗିଝରିଆ ବଣ ରହିଥିବା ବେଳେ ଜଙ୍ଗଲକୁ ଲାଗି ରହିଛି ଜନବସତି ଗାଁ କୁତାବଗା, ସାହାଜପୁର, ଗଡ଼ଦ୍ବାର, କୁଣ୍ଡ, ଚକ୍ରପୁର, ଝୁପୁରୁଙ୍ଗା, ପତ୍ରାପାଲି। ସେହିପରି ୫୯୪୭.୪୭ ହେକ୍ଟର ପରିମିତ ହେମଗିର ବନାଞ୍ଚଳରେ ଛେଙ୍ଗାପାହାଡ଼, ହୁଣ୍ଡାରଖୋଲ, ଶିଶୁପାହାଡ଼, ମାକରଚଟା, ଗିରିପାହାଡ଼, ବୁଦଲାଖମନ, ବେହେରାମୁଣ୍ଡା, ଚିଟକିଖାଡ଼ୁ, ରୋହିଣି, ସିଙ୍ଗାରିବାହାଲ, ଧନୁବାଉଁଶ, ଗର୍ଜନପାହାଡ଼ ଜଙ୍ଗଲ ଓ ତଳି ଅଞ୍ଚଳରେ ଜନବସତି ଗାଁ ବେହେରାମୁଣ୍ଡା, ବଡ଼ରମ୍ପିଆ, ସାନରମ୍ପିଆ, ପୂର୍ଣ୍ଣା, ଦାଘୋରା, ଖଜୁରବାହାଲ, ରାମଲତା, ସୁରୁଲତା, କୋଡ଼ବାହାଲ ରହିଛି।
ବନ୍ୟପ୍ରାଣୀଙ୍କ ୨୪ ଘଣ୍ଟିଆ ନିରୀକ୍ଷଣ ଓ ସୁରକ୍ଷା ପାଇଁ ଦାଘୋରା ଜଙ୍ଗଲର ଚିରସ୍ରୋତା ଡଙ୍ଗାଖୋଲ ନାଳ ପାଖରେ ଗତ ନଭେମ୍ବର ୩ ତାରିଖରେ ବନଖଣ୍ଡ ଅଧିକାରୀ ଶ୍ରୀ ୱାମେନଙ୍କ ଉଦ୍ୟମରେ ବନବିଭାଗର ଏକ ସ୍ଥାୟୀ ଶିବିର ପ୍ରତିଷ୍ଠା କରାଯାଇଛି। ଯେଉଁଠି ଏକ ସୁରକ୍ଷିତ କୋଠା, ଭିଏଚ୍ଏଫ ବ୍ୟବସ୍ଥା ମଧ୍ୟରେ ୬ ଜଣ ବନ କର୍ମଚାରୀ ସଦାପ୍ରସ୍ତୁତ ହୋଇ ରହିଛନ୍ତି। ଶିବିରକୁ ବନ୍ୟପ୍ରାଣଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାରିପଟେ ସୋଲାରା ଫେନିସିଂ କରାଯାଇଛି। ୨୦୧୮ ମଇ ମାସରେ ଗର୍ଜନପାହାଡ଼ରେ ବିରଳ କଳାବାଘ ନଜରକୁ ଆସିବା ପରେ ବେଶ ଉତ୍ସାହିତ ହୋଇପଡ଼ିଥିଲା ରାଜ୍ୟ ବନବିଭାଗ।
ଗର୍ଜନପାହାଡ଼ ଉପରେ ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା। ବିରଳ କଳାବାଘ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ଉପଯୋଗୀ ଆଶ୍ରୟସ୍ଥଳୀ ଗର୍ଜନପାହାଡ଼କୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ପରିବେଶ ଓ ବନ୍ୟପ୍ରାଣୀ ପ୍ରେମୀମାନେ ଜୋର୍ ଦେଇଆସୁଛନ୍ତି। କିନ୍ତୁ ରାଜ୍ୟ ବନବିଭାଗ ଓ ସରକାର ଏହାକୁ ନଜରଅନ୍ଦାଜ କରିଦେଇଥିବା ଅଭିଯୋଗ ହୋଇଛି। ଏହା ମଧ୍ୟରେ ବିରଳ କଳାବାଘର ପତ୍ତା ମିଳୁନାହିଁ।
ସେହିପରି ଗତ ୨୦୨୦ ଅଗଷ୍ଟ ୫ ତାରିଖରେ ହେମଗିର ବନାଞ୍ଚଳ ପୁରୁଣା ରେଳ ଫାଟକ ନିକଟରୁ ଏକ କଲରାପତରିଆ ବାଘର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ପୂର୍ବଦିନ ବାଘଟି ଘଟଣାସ୍ଥଳରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ବଡ଼ରମ୍ପିଆ ଗାଁରେ ୫ ଜଣଙ୍କୁ ଆକ୍ରମଣ କରିଥିବାରୁ ଲୋକେ ତାକୁ ମାରି ଦେଇଥିବା ଚର୍ଚ୍ଚା ହୋଇଥିଲା। ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ କଡ଼େ କଡ଼େ କୋଇଲା ଖଣି ଖୋଳା ଚାଲିଥିବାରୁ ଆଗକୁ ବାଘ ଗାଁ ମୁହାଁ ହୋଇ ଲୋକଙ୍କ ଶିକାର ହେବାର ସମ୍ଭାବନା ରହିଛି। ତେଣୁ ବାଘ, ଅନ୍ୟ ବନ୍ୟଜନ୍ତୁ ସହ ବିରଳ କଳାବାଘର ସନ୍ଧାନ ଓ ସୁରକ୍ଷା ପାଇଁ ଗର୍ଜନପାହାଡ଼କୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ଦାବି ହେଉଛି।