ଜନ୍ମଦାତା ବାପା-ମା’ ହେଲେ ପୁଅ ପାଇଁ ଅଲୋଡା, ଶୌଚାଳୟ ଭିତରେ ବିତୁଛି ଦୁର୍ବିସହ ଜୀବନ

ଡାବୁଗାଁ: ଭୋକର ଜ୍ଵାଳାକୁ ବଳିଗଲା ପୁଅର ନିର୍ଯାତନା। ଜନ୍ମରୁ ନାନା ଅଳିଅଳ ଝଡ଼ ଜଞ୍ଜାଳ ସହି ପୁଅ ଟିକୁ ବଡ଼ କରିଥିଲେ ବାପା ଓ ମା। ପୁଅଟି ବଡ଼ ହେଲେ ଶୁଖ ଦୁଃଖର ସାଥୀ ହୋଇ ବାପା ମା’ର ସେବା କରିବ। ଏହି ଆଶା ନେଇ ପୁଅଟିକୁ ଲାଳନ ପାଳନ କରି ବଡ଼ କରିଥିଲେ ବାପା ମା’। କିନ୍ତୁ ପୁଅଟି ବାପା ଓ ମାଆଙ୍କୁ ଲାଳନ ପାଳନ କରିବା ବଦଳରେ ନିର୍ଯାତିତ କରି ରଖିଛି। ବାପା-ମା’ଙ୍କୁ ପୁଅ ତଡା ଦେବା ପରେ ଏକ ଶୌଚାଳୟ ଭିତରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଏକ ଦମ୍ପତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭରତଗୁଡ଼ାରେ ଦେଖିବାକୁ ମିଳିଛି ଏପରି ଘଟଣା।

ଭରତଗୁଡ଼ାରେ ଦୀର୍ଘବର୍ଷ ହେଲା ପୂର୍ଣ୍ଣ ଗୌଡ଼ ୪୬ ଓ ସ୍ତ୍ରୀ ତିଳୋତ୍ତମା ରହି ଆସୁଛନ୍ତି। ପୂର୍ଣ୍ଣର ୧୯ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ଟିଏ ଅଛନ୍ତି। ପୂର୍ଣ୍ଣ ଦିନ ମଜୁରିଆ ଥିବା ବେଳେ ତିଳୋତ୍ତମା ମଧ୍ୟ କୁଲି କାର୍ଯ୍ୟ କରି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଦାରିଦ୍ର୍ୟର ତାଡ଼ନା ଯୋଗୁ ଉଭୟ ପୁଅ ଝିଅ ପାଠପଢ଼ା ଅଧାରେ ଛାଡିଛନ୍ତି।୫ ବର୍ଷ ତଳେ ପୂର୍ଣ୍ଣକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ପରିବାରକୁ ସାମିଲ କରାଯାଇ ନାହିଁ । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ବହୁବାର ଗ୍ରାମ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ଏହି ପରିବାରକୁ।

କରୋନା ଯୋଗୁ ପ୍ରାୟ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଏଥିରୁ ଏହି ଛୋଟ ପରିବାର କିପରି ବାଦ୍ ପଡ଼ନ୍ତେ। ବର୍ଷର ଅଧିକାଂଶ ଦିନ ସଟଡାଉନ୍ ଓ ଲକ୍ଡାଉନ୍ ଯୋଗୁ ପୂର୍ଣ୍ଣ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା। ପରିବାର ପୋଷଣ କରିବା ପାଇଁ କାଠିକର ପାଠ ହୋଇଥିଲା।ଏପଟେ ଭେଣ୍ଡା ପୁଅ ଓ ଝିଅ ଦୁର୍ଦ୍ଦିନରେ ରହିବା ଫଳରେ ଘର ମଧ୍ୟରେ ପ୍ରତିଦିନ ଅଶାନ୍ତି ଲାଗି ରହିଲା। ପୁଅ ଏପରି ଦୁଃସମୟରେ ବାପା ଓ ମା’ଙ୍କୁ ଗତ ୪ ମାସ ତଳେ ଘରୁ ତଡ଼ି ଦେବା ଫଳରେ ବାପା-ମା’ଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ହୋଇଗଲା। ସେମାନଙ୍କୁ ରହିବା ପାଇଁ ଘର ନ ଥିବାରୁ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଶୌଚାଳୟରେ ଜୀବନ ଅତିବାହିତ କରୁଛନ୍ତି। ଦିନରେ ଦୁହେଁ ବୁଲାବୁଲି କରି ରାତ୍ରୀରେ ଏହି ପରିତ୍ୟକ୍ତ ଶୌଚାଳୟରେ ଶଉ ଛନ୍ତି। ଶୌଚାଳୟର କବାଟ ନ ଥିବା ବେଳେ ଚତୁର୍ପାର୍ଶ୍ଵ ଖୋଲାମେଲା ଥିବାରୁ ସରୀସୃପ ପଶି ଆସିବାର ସମ୍ଭାବନା ରହିଛି। କିନ୍ତୁ ଅନ୍ୟ ଉପାୟ ନ ପାଇ ଏହି ଛୋଟିଆ ଶୌଚାଳୟ ଭିତରେ ଅତି ଦୟନୀୟ ଅବସ୍ଥାରେ ଏହି ଦମ୍ପତି ରହୁଛନ୍ତି। ପ୍ରଶାସନ ତରଫରୁ ଏହି ଦମ୍ପତିଙ୍କୁ ଥଇଥାନ ସହ ଖାଦ୍ୟ ସୁରକ୍ଷାରେ ସାମିଲ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର