ରାତିଅଧରେ ଘରେ ପଶିଲେ ଡକାୟତ ଦଳ, ମାରଣାସ୍ତ୍ର ଦେଖାଇ ସୁନା, ଟଙ୍କା ଲୁଟିଲେ

ରାୟଗଡ଼ା: ରାୟଗଡ଼ା ସହରରେ ଲୁଟେରା ଓ ଡକାୟତଙ୍କ ଦୌରାତ୍ମ୍ୟ ସୀମା ଟପିବାରେ ଲାଗିଛି। ପୂର୍ବରୁ ତାଲା ବନ୍ଦ ଥିବା ଘରକୁ ଚୋରି ପାଇଁ ଟାର୍ଗେଟ୍ କରୁଥିଲେ। ଏବେ ତରିକା ବଦଳାଇ ଘର ଭିତରେ ମାରଣାସ୍ତ୍ର ସହ ପଶି ଆକ୍ରମଣର ଭୟ ଦେଖାଇ ଲୁଟୁଛନ୍ତି। ସୋମବାର ବିଳମ୍ବିତ ରାତିରେ ସହରର କସ୍ତୁରୀ ନଗରରେ ଘଟିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ୮ ଜଣିଆ ଡକାୟତ ଦଳ କସ୍ତୁରୀ ନଗର ଏନ୍. ସାବିତ୍ରୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ୩ ତୋଳା ସୁନା ଓ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ କବଳରୁ ଖସି ଆସି ସାବିତ୍ରୀଙ୍କ ପୁଅ ଅମିତ୍ ମାଣ୍ଡାଙ୍ଗି ବାହାରେ ଲୋକଙ୍କୁ ଡାକିବା ପରେ ଡକାୟତ ଦଳ ଭୟରେ ଘର ଛାଡ଼ି ଦୌଡ଼ି ପଳାଇବାରୁ ବଡ଼ ଧରଣର ଲୁଟରୁ ବର୍ତି ଯାଇଛନ୍ତି ସାବିତ୍ରୀଙ୍କ ପରିବାର।

ଅମିତଙ୍କ କହିବାନୁଯାୟୀ, ସୋମବାର ରାତି ପ୍ରାୟ ୨ଟା ୩୦ ମିନିଟରେ ଡକାୟତ ଦଳ ଘରର ଝରକା ତାଡ଼ି ଘର ଭିତରେ ପଶିଥିଲେ। ଏହା ପରେ ଡକାୟତ ଦଳ ଅମିତ୍ ଓ ସାବିତ୍ରୀଙ୍କୁ ଉଠାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପାଟି କଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ଘର ଭିତରେ ଥିବା ଟଙ୍କା, ସୁନା ଦେବାକୁ କହିଥିଲେ। କିଛି ସମୟ ଧରି ଡକାୟତଙ୍କ କବଜାରେ ରହିବା ପରେ କୌଶଳକ୍ରମେ ଅମିତ୍ ଘର ବାହାରକୁ ପଳାଇ ଆସିବାରେ ସକ୍ଷମ ହେଲେ। ସାହି, ପଡୋଶୀ ଲୋକଙ୍କୁ ଅମିତ୍ ଡାକିବା ପରେ ପାଟି ଶୁଣି ଡକାୟତ ଦଳ ସାବିତ୍ରୀ ପିନ୍ଧିଥିବା ୩ ତୋଳା ସୁନା ଚେନ୍ ଓ ପାଖରେ ଥିବା ୩ ହଜାର ଟଙ୍କାକୁ ନେଇ ପଳାଇ ଯାଇଥିଲେ। ପଡୋଶୀ ଲୋକ ଆସିବା ପୂର୍ବରୁ ଡକାୟତ ଦଳ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ।

ସକାଳେ ଏ ସଂପର୍କରେ ଅମିତ୍ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାଶ, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ସହ ପୁଲିସ୍ ଟିମ୍ ଅମିତଙ୍କ ବାସ ଭବନରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ୍ ଯାଞ୍ଚ କରି ଡକାୟତ ଦଳକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଛି। ସଂଧ୍ୟା ସୁଦ୍ଧା ପୁଲିସ୍ ଡକାୟତ ଦଳର କୌଣସି ସନ୍ଧାନ ପାଇନି। ଏହି ଘଟଣା ପରେ ରାୟଗଡ଼ା ସହରବାସୀଙ୍କ ମନରେ ଭୟ ସଞ୍ଚାର ହୋଇଛି। ବହୁ କର୍ମଜୀବୀ ପରିବାରର ସଦସ୍ୟମାନେ ଏକାକି ରହୁଥିବାରୁ ଡକାୟତି ଓ ଚୋରି ରୋକିବା ପାଇଁ ରାତ୍ରି ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି। ଖୁବ୍ ଶୀଘ୍ର ଡକାୟତ ଦଳକୁ କାବୁ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର