ସେବାଶ୍ରମରେ ଛାତ୍ର ମୃତ୍ୟୁ ଏବଂ ଚାଉଳ ବିକ୍ରି ଘଟଣା: ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

ମାଲକାନଗିରି: କାଲିମେଳା ବ୍ଲକର କୋଲକୋଣ୍ଡା ସେବାଶ୍ରମରେ ଗତମାସରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା।ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ପରେ ଜିଲ୍ଲାପାଳ ବିଶାଲ ସିଂ ଏହି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ମଣ୍ଡଳ ନିଳମ୍ବିତ ହୋଇଥିବା ବେଳେ ତାଂକୁ ଚିତ୍ରକୋଣ୍ଡା ସ୍କୁଲରେ ପ୍ରତିଦିନ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

ସେହିପରି ଏହି ସ୍କୁଲର ମେଟ୍ରୋନଙ୍କୁ କାହିଁକି ବହିଷ୍କୃତ କରାଯିବ ନାହିଁ ବୋଲି ନୋଟିସ ଦିଆଯାଇଛି। ଏହି ବିଦ୍ୟାଳୟର ରୋଷେୟା ତଥା ଆଟାଣ୍ଡାଣ୍ଟକୁ ଯୋଗୀ ମାଡକାମୀଙ୍କୁ ବହିଷ୍କୃତ କରାଯାଇଛି। ଡବ୍ଲୁଇଓ ଭରତ ଗୁରୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟ ଏକ ଘଟଣା କ୍ରମରେ କୋରକୋଣ୍ଡା ବ୍ଲକର ମାରିୱାଡା ସେବାଶ୍ରମରେ ସ୍କୁଲ କର୍ତ୍ତୃପକ୍ଷ ହୋଷ୍ଟେଲ ଚାଉଳକୁ ବାହାରେ ବିକ୍ରି କରୁଥିବା ନେଇ ଛାତ୍ରମାନେ ୨୦ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। ଏହାକୁ ତଦନ୍ତ କରାଯାଇ ଏହି ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ରଞ୍ଜିତା ବେହେରାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ପିଲାଙ୍କୁ କାମରେ ନିୟୋଜିତ କରୁଥିବା ସହକାରୀ ଶିକ୍ଷକ ଶ୍ରୀକୁମାର ଦୋରାଙ୍କୁ ମଧ୍ୟ ନିଳମ୍ବିତ କରାଯାଇଛି।

ତେବେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ନାୟକଙ୍କୁ ଚିତ୍ରକୋଣ୍ଡା ବ୍ଲକର ବଡପଦର ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ ବଦଳି କରାଯାଇଛି।ସେହିପରି ଅନ୍ୟ ଜଣେ ଶିକ୍ଷକ ପ୍ରଦୀପ ସେଠୀଙ୍କୁ ମଧ୍ୟ ବଣ୍ଡାଘାଟିର ମୁଦୁଲିପଡାକୁ ବଦଳି କରାଯାଇଛି। ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଥିବା ଡିଡବ୍ଲୁଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ମାରିୱାଡା ସେବାଶ୍ରମରେ ଚାଉଳ ବିକ୍ରିକୁ ନେଇ ଏକ ସ୍ବତନ୍ତ୍ର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ,ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରି ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ନିଶ୍ଚିତ ଭାବେ ଅନ୍ୟ ହୋଷ୍ଟେଲଗୁଡିକରେ କର୍ତ୍ତୃପକ୍ଷମାନେ ସଜାଗ ହେବେ ଏବଂ ପିଲାଙ୍କୁ ନିଶ୍ଚିତ ଭାବେ ଭଲ ବ୍ୟବହାର ସହ ଉତ୍ତମ ସେବା ଯୋଗାଇ ଦେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର