ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ମାଲକାନଗିରି,: ମାଲକାନଗିରି ଜିଲ୍ଲାରେ ଗତ ୧୦ ତାରିଖ ଠାରୁ ୬୦ଟି ମଣ୍ଡି ଖୋଲାଯାଇ ଚାଷୀଙ୍କ ଧାନ କ୍ରୟ ଆରମ୍ଭ ହୋଇଛି। ତେବେ ମଣ୍ଡିଗୁଡିକରେ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟି ଚାଷୀମାନେ ଅବଗତ କରାଇଛନ୍ତି। ମଣ୍ଡି ଆରମ୍ଭ ପୂର୍ବରୁ ଜିଲ୍ଲାପାଳ କିପରି ସୂଚାରୁ ରୂପେ ମଣ୍ଡି ଚାଲିବ ଏବଂ ଚାଷୀଙ୍କ ଧାନ ଉଠାଇବା ସହ ସେମାନଙ୍କୁ କିପରି ତୁରନ୍ତ ଟଂକା ମିଳିବ ସେନେଇ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ତେବେ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ ଏବଂ ମିଲରଙ୍କ ଭିତିରିଆ କାରବାର ଯୋଗୁଁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି। ଜିଲ୍ଲାର ସମସ୍ତ ମଣ୍ଡିରେ ଏକା ପ୍ରକାର ଅବସ୍ଥା ଦେଖିବାକୁ ମିଳୁଛି। ମାଲକାନଗିରି ବ୍ଲକର ଗୌଡଗୁଡା ଏବଂ ସିନ୍ଧ୍ରମାଳ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମଣ୍ଡିରେ ଦିନକୁ ୧୫ ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯିବା ବଦଳରେ ଦିନକୁ ୪ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯାଉ ବୋଲି ଦାବି କରିଥିଲେ। ପ୍ରକାଶ ଥାଉକି ଗୌଡଗୁଡା ଏବଂ ସିନ୍ଧ୍ରିମାଳ ପଞ୍ଚାୟତର ଚାଷୀ ଏମଭି-୧୧ ଠାରେ ଧାନ ମଣ୍ଡିରେ ଧାନ ବିକ୍ରି କରିପାରିବେ। ତେବେ ଏଠାରେ ୭୭୬ ଜଣ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଜଣାପଡିଛି। ପୁଣି ଜଣେ ଚାଷୀ ଦିନକୁ ମାତ୍ର ୩୦ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ମଣ୍ଡିରେ ଅଧିକା ଧାନ କ୍ରୟ କରିବା ପାଇଁ ଦାବି କରାଯିବା ସହ ସପ୍ତାହକୁ ଦୁଇ ଥର ମଣ୍ଡି ଖୋଲିବା ପାଇଁ ଦାବି ହୋଇଛି। ପ୍ରକାଶ ଥାଉକି ଜିଲ୍ଲାର ୬୦ଟି ମଣ୍ଡିରେ ୮ଟି ଲ୍ୟାମ୍ପସ ଧାନ କ୍ରୟ କରୁଛି। ଜିଲ୍ଲାର ୨୩ ହଜାର ୬୪୬ ଜଣ ଚାଷୀ ନିଜ ନାମ ପଂଜିକରଣ କରିଛନ୍ତି। ମଣ୍ଡିକୁ ବାରମ୍ବାର ଧାନ ଲଦି ଗାଡିରେ ଆଣୁଥିବାରୁ ଭଡା ଅଧିକ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର