ଅବ୍ୟବସ୍ଥା ଘେରରେ ଖଇରପଦର ମଣ୍ତି, ଧାନ ନଉଠିବାରୁ ମଣ୍ତି କର୍ମଚାରୀଙ୍କୁ ତାଲା ମାରିଲେ ଚାଷୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଧର୍ମଗଡ଼ ବ୍ଲକ୍‌ ଖଇରପଦର ମଣ୍ଡିରେ ଚାଷୀଙ୍କ ଧାନ ସବୁ ପଡ଼ିରହିଛି। ମଣ୍ତିରୁ ଧାନ ଉଠିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ସୋମବାର ଚାଷୀମାନେ ମଣ୍ତି କର୍ମଚାରୀଙ୍କୁ ତାଲା ମାରିଛନ୍ତି। ମଣ୍ତି ଦାୟିତ୍ବରେ ଥିବା କ୍ରୟ ଅଧିକାରୀ ଚତୁର୍ଭୁଜ ପାତ୍ର, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସତ୍ୟବାନ ନାଏକ, ଡାଟାଏଣ୍ଟ୍ରି ଅପରେଟର ଦିଗାମ୍ବର ପୁଞ୍ଜି, ଚିନ୍ତାମଣି ମଙ୍ଗରାଜଙ୍କୁ ତାଲା ମାରିଥିଲେ।

ସୂଚନାନୁସାରେ ଗତ ୯ ତାରିଖ ଦିନ ଚାଷୀ ସନତ ପାତ୍ର ୨୬୦ ବ୍ୟାଗ୍‌, ୧୦ ତାରିଖ ଦିନ ଶ୍ୟାମସୁନ୍ଦର ସାହୁ ୨୦୪ ବ୍ୟାଗ୍‌, ୧୩ ତାରିଖରେ କାଳୀୟଗଞ୍ଜନ ପଣ୍ତା ୩୦୦ ବ୍ୟାଗ୍‌, ୧୬ ତାରିଖରେ ଚିନ୍ମୟ ପାତ୍ର ୨୩୦ ବ୍ୟାଗ୍‌ ଧାନ ଟୋକନ୍‌ ପାଇ ମଣ୍ତିକୁ ବିକ୍ରି କରିବାକୁ ଆଣିଥିଲେ। କିନ୍ତୁ ଏହି ଚାଷୀମାନଙ୍କୁ ଆଦ୍ରତା ବାହାନା ଦେଖାଇ ସେମାନଙ୍କ ଧାନ ଉଠାଯାଇନଥିଲା। ମଣ୍ତିରେ ଧାନ ଉଠାଣ ପାଇଁ ମା’ ଭଣ୍ତାରଘରଣୀ ରାଇସ୍‌ମିଲ, ବଗାଡ଼, ଶ୍ରୀ ଜଗନ୍ନାଥ ରାଇସ୍‌ ମିଲ୍‌ କେସିଙ୍ଗା, ଜୈନ ଏସ୍‌କେପି କେସିଙ୍ଗା ଓ ବାସୁଦେବ ଫୁଡ୍‌ କେସିଙ୍ଗାକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ସୋମବାର ମଣ୍ତିକୁ ମିଲ୍‌ ମାଲିକଙ୍କ ଏଜେଣ୍ଟ କିମ୍ବା ଟ୍ରକ୍‌ ନଆସିବାରୁ ଚାଷୀମାନେ ଅନେକ ସମୟ ଧରି ଅପେକ୍ଷା କରି ଉତ୍ୟକ୍ତ ହୋଇ ତାଲା ମାରିଦେଇଥିଲେ। ସନ୍ଧ୍ୟାରେ ପୁଲିସ୍‌ ଫୋର୍ସ ସହ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଦାସ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ତାଲା ଖୋଲିଥିଲେ।

ଘଟଣା ସମ୍ପର୍କରେ ଉପଖଣ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ତାଙ୍କୁ ପଚାରିବାରୁ ମଣ୍ତିରେ ଟାଗେର୍ଟ ନଥିବାରୁ ସୋମବାର ଧାନ କ୍ରୟ ହୋଇପାରିନାହିଁ। କିନ୍ତୁ ଏହି ଘଟଣା ସମ୍ପର୍କରେ କ୍ରୟ ଅଧିକାରୀ ଚତୁର୍ଭୁଜ ପାତ୍ରଙ୍କୁ ପଚାରିବାରୁ ଆଉ ୪ ହଜାର କ୍ବିଣ୍ଟାଲ ଧାନ କିଣିବା ଟାଗେର୍ଟ ରହିଛି ବୋଲି କହିଥିଲେ। ତେଣୁ ଏହି ମଣ୍ତି ଉପରେ କଲାହାଣ୍ତି ଜିଲ୍ଲାପାଳ ନିଜେ ହସ୍ତକ୍ଷେପ କରି ଅନୁଧ୍ୟାନ କଲେ ବହୁ ଦୁର୍ନୀତିର ପର୍ଦାଫାସ୍‌ ହେବବୋଲି ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର