ବାପା ଦିନମଜୁରିଆ, ହଷ୍ଟେଲ୍ ମେସରେ ରୋଷେଇ କରନ୍ତି ମା’, ପୁଅ ଆଣିଲେ କୃତିତ୍ବ

ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେଲେ ଶିଶୁ କଳାକାର ଜଗଦୀଶ

ବାରିପଦା: ବାପା ଦିନେ ନଖଟିଲେ ଘର ଚଳିବା ମୁସ୍କିଲ୍ ହୋଇପଡ଼େ। ସେହିପରି ମା’ ମଧ୍ୟ ଘର ଚଳାଇବା ପାଇଁ ମେସ୍ କିମ୍ବା ହଷ୍ଟେଲରେ  ରୋଷେଇ କରନ୍ତି। ମାତ୍ର ପ୍ରାୟ ବର୍ଷେ ହେବ ଶାରିରୀକ ଅସୁସ୍ଥତା କାରଣରୁ ବାପା କୌଣସି କାମ କରିପାରୁନାହାନ୍ତି। ଫଳରେ ପରିବାର ଅବସ୍ଥା ନକହିଲେ ଚଳେ। ମାତ୍ର ପଙ୍କରୁ ପଦ୍ମ ଫୁଟିଲା ପରି ସମସ୍ତ ପ୍ରତିକୁଳ ପରସ୍ଥିତିରେ କିନ୍ତୁ ନିଜକୁ ପ୍ରସ୍ଫୁଟିତ କରିଛନ୍ତି ପୁଅ ଜଗଦୀଶ।

ବାରିପଦା ପୌରପରିଷଦ ଅନ୍ତର୍ଗତ ତକତପୁରସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରଶିକ୍ଷଣ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଜଗଦୀଶ ଚଳିତ ମାଟ୍ରିକ୍ ପରୀକ୍ଷାରେ ୫୪୧ ନମ୍ବର ସହିତ ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟରୁ ମଧ୍ୟ ଜଣେ ମାତ୍ର ଛାତ୍ରଭାବେ ସେ ଏହି ଗୌରବ ଅର୍ଜନ କରି ନିଜ ଶିକ୍ଷାନୁଷ୍ଠାନର ସୁନାମ ଅର୍ଜନ କରିଛନ୍ତି। ସ୍ଥାନୀୟ ୱାର୍ଡ ନଂ-୨୭ ଅନ୍ତର୍ଗତ ତୁଳସଚଉରାରେ ରହୁଥିବା ଦମୟନ୍ତୀ ଏବଂ ମୋହନ ଚନ୍ଦ୍ର ପାତ୍ରଙ୍କ ସାନ ପୁଅ ଜଗଦୀଶ ପାଠପଢ଼ା ସହିତ ବକ୍ତୃତା ଏବଂ ଅନ୍ୟାନ୍ୟ ବିଭିନ୍ନ ବିଭାଗରେ ମଧ୍ୟ ଉତ୍କର୍ଷତା ହାସଲ କରିଛନ୍ତି।

ସେହିପରି ଜଗଦୀଶ ଜଣେ ଶିଶୁକଳାକାର ଭାବେ ମଧ୍ୟ ସୁପରିଚିତ। ଏକ ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲରେ ହୋଇଥିବା ଏକ ପ୍ରତ‌ିଯୋଗିତାରେ ସେ ସେମିଫାଇନାଲ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲେ। ଘରର ଆର୍ଥିକ ପରିସ୍ଥିତି ଏପରି ଦୁର୍ବଳ ଯେ ତାଙ୍କଠାରୁ ବୟସରେ ମାତ୍ର ୨ ବର୍ଷ ବଡ ଭାଇ ଯୁକ୍ତ ଦୁଇ ପାଠପଢ଼ିବା ସହିତ ଏକ ଘରୋଇ ସଂସ୍ଥାରେ ନାଇଟୱାଚମ୍ୟାନ୍ ଭାବେ କାମ କରି ପରିବାର ଚଳଉଛନ୍ତି। ମାତ୍ର ଆର୍ଥିକ ଦୁଃସ୍ଥିତି କିମ୍ବା ପ୍ରତିକୁଳ ପରିସ୍ଥିତି ଜଗଦୀଶଙ୍କୁ ଅଟକାଇପାରିନଥିଲା। ଶାରିରୀକ ଅସୁସ୍ଥତାରେ ଥିବା ତାଙ୍କ ବାପାଙ୍କ ଅପରେସନ୍ ନିହାତି ଜରୁରୀ। ମାତ୍ର ଅର୍ଥ ଅଭାବରୁ ଅପରେସନ୍ ହୋଇପାରୁନାହିଁ। ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଫଳରେ ବିଦ୍ୟାଳୟସ୍ତରରେ ମେଧାବୃତ୍ତି ପାଇ ପାଠ ପଢ଼ୁଥିଲେ ଜଗଦୀଶ। ତେବେ ସରକାରୀ ସହାୟତା ମିଳିଲେ ଜଗଦୀଶ ନିଶ୍ଚୟ ଆଗକୁ ବଢ଼ିବେ ବୋଲି ତାଙ୍କୁ ଷଷ୍ଠ ଶ୍ରେଣୀରୁ ପାଠପଢ଼ାରେ ସହଯୋଗ କରିଆସୁଥିବା ଉପେନ୍ଦ୍ର କୁମାର ରାଉତ ମତଦେଇଛନ୍ତି।

ସମ୍ବନ୍ଧିତ ଖବର