ବନ୍ଦ ରହିଛି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, କ୍ଷୀର ବିକିବାକୁ ଚାଷୀ ହନ୍ତସନ୍ତ

ଅନୁଗୁଳ: କରୋନା କାଳରେ ଦୁଗ୍ଧ ବିକି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ ହଜାର ହଜାର ଚାଷୀ। ଖଣି ଓ ଶିଳ୍ପ ଶୂନ୍ୟ ଆଠମଲ୍ଲିକର ଏହି ଚାଷୀଙ୍କ ଭାଗ୍ୟ ସହ କିନ୍ତୁ ଖେଳିଛି ଓମଫେଡ। ଆଠମଲ୍ଲିକ ବ୍ଲକର ଅଏଡାରେ ଥିବା ଦୁଗ୍ଧ ଶୀତଳୀକରଣ ଭଣ୍ଡାରକୁ ହଠାତ ବନ୍ଦ କରି ଦିଆଯାଇଥିବାରୁ ଦୁଗ୍ଧ ବିକିବାରେ ସମସ୍ୟା ଭୋଗୁଛନ୍ତି ଚାଷୀ। ଦୁଗ୍ଧ ବିକି ପାରୁ ନ ଥିଲାବେଳେ ଘରେ ନଷ୍ଟ ହେଉଛି। ତେଣୁ ଦୁଗ୍ଧ ଚାଷ ନ କରି ଦାଦନ ଖଟିବା ପାଇଁ ଯିବାକୁ ସଜବାଜ ହେଲେଣି ଚାଷୀ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଭଲ ଦୁଗ୍ଧ ଚାଷ ହୁଏ। ଏହି ଅଞ୍ଚଳରେ ଶିଳ୍ପ ଓ କଳକାରଖାନା ନ ଥିବାରୁ ଲୋକମାନେ ଗୋପାଳନକୁ ପେଶା କରି ପେଟ ପୋଷନ୍ତି। ଏହି ଅଞ୍ଚଳ ମହାନଦୀ କୂଳରେ ରହିଥିବା ଗୋପାଳନରେ ବି ସୁବିଧା ହୁଏ।

୧୯୯୨ରୁ କିଆକଟାରୁ ଜାମୁଡୋଲି ପର୍ଯ୍ୟନ୍ତ ଚାଷୀମାନେ ଓମଫେଡ୍ ସହାୟତାରେ ଦୁଗ୍ଧ ବିକ୍ରୟ କରି ଜୀବନ ନିର୍ବାହ କରି ଆସୁଥିଲେ। ଏପଟେ ଚାଷୀଙ୍କ ସୁବିଧା ପାଇଁ ୨୦୧୦ରୁ ଅଏଡାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଠାରେ କ୍ଷୀର ମହଜୁଦ ରଖିବାର ସୁବିଧା ଥିବାରୁ ଚାଷୀମାନେ ସବୁବେଳେ କ୍ଷୀର ବିକ୍ରି କରି ପାରୁଥିଲେ। ସକାଳେ ଓ ସନ୍ଧ୍ୟାରେ ଏଠାରେ କ୍ଷୀର ଗ୍ରହଣ କରାଯାଉଥିଲା। ଫଳରେ ଅପରାହ୍ନରେ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀମାନେ କ୍ଷୀର ଦେଇ ଟଙ୍କା ନେଉଥିଲେ। କିନ୍ତୁ ଏହି ଶୀତଳୀକରଣ କେନ୍ଦ୍ରଟି ପାଖାପାଖି ୬ ମାସ ହେଲା ବନ୍ଦ ହୋଇ ପଡ଼ିଛି। କୌଣସି କାରଣ ନ ଥାଇ ଏହାକୁ ବନ୍ଦ କରି ଦେଇଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ। ଫଳରେ ଦୁଗ୍ଧ ଚାଷୀମାନେ ଅସୁବିଧାରେ ପଡ଼ୁଛନ୍ତି। ଚାଷୀଙ୍କ କହିବାନୁଯାୟୀ, ଅଏଡା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଦୁଇବେଳା କ୍ଷୀର ସଂଗ୍ରହ କରାଯାଉଥିବାରୁ ସୁବିଧା ହେଉଥିଲା। ଏବେ କିନ୍ତୁ ଆଠମଲ୍ଲିକରେ ମାତ୍ର ଥରୁଟିଏ କ୍ଷୀର ଦେଇ ହେଉଛି। ଅପରାହ୍ନରେ ଉତ୍ପାଦନ ହେଉଥିବା କ୍ଷୀର ଆଉ ବିକ୍ରି କରି ହେଉନି। ତେଣୁ କ୍ଷୀର ନଷ୍ଟ ହେଉଛି। ଅଭାବି ବିକ୍ରୀ ବି ଦେଖିବାକୁ ମିଳୁଛି। ଫଳରେ ଚାଷୀମାନେ ଏହି ଦୁଗ୍ଧ ଚାଷ ଉପରୁ ମୁହଁ ଫେରାଇବାକୁ ବାଧ୍ୟ ହେଲେଣି। କ୍ଷତି ହେଉ ଥିବାରୁ ଚାଷ ନ କରି ବାହାରକୁ ଯାଇ କାମ କରିବାକୁ ଯୁବକମାନେ ଉଚିତ ମନେ କରୁଛନ୍ତି। ଆଗକୁ ଏହି ସ୍ଥିତି ଅଧିକ ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି।

ଆଠମଲ୍ଲିକ ବ୍ଳକର ଅଏଡା, ଲୁହାସିଂହା, ନଅଗାଁ ଓ ଜାମୁଡୋଲି ଗାଁର ପାଖାପାଖି ଦୁଇ ହଜାର ଚାଷୀ ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଏଠାରେ ଦୈନିକ ୩ ହଜାର ଲିଟର କ୍ଷୀର ବିକ୍ରି ହୋଇଥାଏ। କିନ୍ତୁ କେନ୍ଦ୍ର ବନ୍ଦ ଥିବାରୁ ଏବେ ଆଠମଲ୍ଲିକରେ କ୍ଷୀର ରଖାଯାଉଛି। ଏଥିନେଇ ଆଠମଲ୍ଲିକର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ କହିଛନ୍ତି ଯେ, ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ବନ୍ଦ ହୋଇଥିବାରୁ ଅଞ୍ଚଳର ଦୁଗ୍ଧ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ଷୀରର ମୂଲ୍ୟ ପାଉ ନ ଥିବାରୁ ଲୋକେ ଗାଈ ବିକ୍ରି କରି ସାରିଲେଣି। ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ତୁରନ୍ତ ନ ଚାଲିଲେ ଅଞ୍ଚଳର ଅର୍ଥନୀତି ଉପରେ ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଏଥିନେଇ ଓମଫେଡ ମହାପ୍ରବନ୍ଧକ ଅଜିତ କୁମାର ଏକ୍ସେସ କହିଛନ୍ତି ଯେ, କିଛି କାରଣ ପାଇଁ ଏହି ଶୀତଳୀକରଣ କେନ୍ଦ୍ର ବନ୍ଦ ରହିଛି। କିନ୍ତୁ ଚାଷୀଙ୍କ ପାଖରୁ ଦୁଗ୍ଧ ସଂଗ୍ରହ କରାଯାଉଛି। ଖୁବଶୀଘ୍ର ଅଏଡା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଚାଲିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର