୩୦ ଲକ୍ଷ ଟଙ୍କାର ବାଲିକୁଦା ମିନି ଷ୍ଟାଡିୟମ୍‌ ଏବେ ଘାସବଣ

ମାଛଗାଁ : ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଆମ୍ବଶାଳ ଠାରେ ଏକ ବିଜୁ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୫/୧୨/୨୦୨୧ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଏହି ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କରିଥିଲେ। କିନ୍ତୁ ଅଦ୍ୟାବଧି ଏହି ଷ୍ଟାଡିୟମ ପଡ଼ିଆ କାମରେ ଲାଗି ପାରିନାହିଁ। ଷ୍ଟାଡିୟମର ବାହାର ରଂଗ ଲାଗି ଚକାଚକ୍‌। ଭିତରକୁ କୌଣସି ଖେଳାଳି ଯାଉନାହାନ୍ତି। ପଡ଼ିଆଟି ବୁଲା ଗାଈଗୋରୁଙ୍କ ଚାରଣ କ୍ଷେତ୍ର ପାଲଟିଛି। ରାଜ୍ୟ ସରକାର ଗ୍ରାମାଞ୍ଚଳ କ୍ରୀଡାବିତ୍‌ଙ୍କ ଉଜ୍ଜ୍ବଳ  ଭବିଷ୍ୟତ  ଓ କ୍ରୀଡ଼ାର ବିକାଶ ପାଇଁ  ବ୍ଲକସ୍ତରରେ ବିଜୁ ମିନି ଷ୍ଟାଡିୟମ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେଉଛନ୍ତି।

ଏ ବାବଦରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି। କିନ୍ତୁ ବ୍ଲକସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହେଉନଥିବା କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବାଲିକୁଦା ବ୍ଲକରେ ଏକରଏକର ଅନାବାଦୀ ଓ ଗୋଚର ଜମି ଥିଲେ ସୁଦ୍ଧା ସେସବୁ ଜବରଦଖଲ ହୋଇ ପଡି ରହିଛି। ଏହି ବ୍ଲକର ଯୁବପିଢିଙ୍କ ପାଇଁ କ୍ରିକେଟ ଏକ ପ୍ରିୟ ଖେଳ ହୋଇଥିବା ବେଳେ ଭଲ ଷ୍ଟାଡିୟମ ଟିଏ ନାହିଁ। ପଡ଼ିଆ ଅଭାବରୁ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ ଓ ସେମାନଙ୍କ ଅଭ୍ୟାସ କ୍ଷେତ୍ରରେ ନାନା ସମସ୍ୟା ଦେଖାଦେଉଛି। ତେଣୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମ୍‌ କାହିଁକି ଅବ୍ୟବହୃତ ହୋଇ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୋଇଛି। ଷ୍ଟାଡିୟମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ କ୍ରୀଡ଼ାବିତ୍‌ ମହଲରେ ଦାବି ହୋଇଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ହକି ଖେଳର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଥିବା ବେଳେ ବିଶ୍ୱକପ୍‌ ହକିର ଆୟୋଜନ କରି ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ବ୍ଲକ୍‌ସ୍ତରରେ ଷ୍ଟାଡିୟମ ନିର୍ମାଣ ପରେ ଏଭଳି ଦୁରବସ୍ଥାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଆମ୍ବଶାଳ ସରପଞ୍ଚ ଆଲୋକ ସ୍ୱାଇଁ କହିଛନ୍ତି ଏହି ଷ୍ଟାଡିୟମ ନିର୍ମାଣରେ ବିଧାୟକ ଅନୁଦାନ ସମେତ ବ୍ଲକ ଅନୁଦାନରେ ପ୍ରାୟ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପୁଣି ମନରେଗା ଯୋଜନାରେ ପଡ଼ିଆର ଉନ୍ନତୀକରଣ ବାବଦରେ ୫ ଲକ୍ଷ ଖର୍ଚ୍ଚ ହୋଇଛି। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ଅନୁଦାନ ଓ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ବିଡିଓ ଜିତେନ୍ଦ୍ର ନାୟକ କହିଛନ୍ତି ଯେ ଏହି ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆଉ କିଛ ଦିନ ଲାଗିବ ଓ ଏହି କାର୍ଯ୍ୟ ବ୍ଲକ ଦ୍ବାରା ହିଁ ସଂପନ୍ନ ହେବ।

ସମ୍ବନ୍ଧିତ ଖବର