ଚାକିରି ନାଁରେ ନାବାଳିକା ଚାଲାଣ ଅଭିଯୋଗ, ତ୍ରିପୁରା ଚାଲାଣ ବେଳେ ଉଦ୍ଧାର କଲେ ବଡ଼ ଭଉଣୀ

ପାପଡାହାଣ୍ଡି/ମଇଦଲପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ କସରାଭାଟା ଗ୍ରାମରେ ସାନ ଭଉଣୀ କୁ ଉଦ୍ଧାର କଲେ ବଡ଼ ଭଉଣୀ । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ରତାଖଣ୍ଡି ଗ୍ରାମର ଏକ ନାବାଳିକା ଗୁରୁବାର ଘରୁ ନିଖୋଜ ହୋଇଥିବା ବେଳେ ଶୁକ୍ରବାର ତ୍ରିପୁରା ଚାଲାଣ ବେଳେ ବଡ଼ ଭଉଣୀ ଉଦ୍ଧାର କରିଛନ୍ତି । ନାବାଳିକାକୁ ପ୍ରଲୋଭନ ଦେଖାଇ ବିନା ଅଭିଭାବକଙ୍କର ପରାମର୍ଶ ନେଇ ଭଉଣୀ ଜଣାଇବା ସହ ମଇଦଲପୁର ଫାଣ୍ଡିରେ ଏତଲା ଦେଇଛନ୍ତି । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ରତାଖଣ୍ଡି ଗ୍ରାମର ନାବାଳିକା ଜଣକ ନିଖୋଜ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ବହୁ ଖୋଜା ଖୋଜି ପରେ ବି ପାଇନଥିଲେ । ଗ୍ରାମର ଦୁଇ ଜଣ ବାଳିକା ସହ ନାବାଳିକା ସିଲେଇ ତାଲିମ ପାଇଁ ତ୍ରିପୁରା ଯାଇଥିବା ଜାଣିବାକୁ ପାଇଥିଲେ । ବଡ ଭଉଣୀ ଏ ନେଇ ଜାଣିବା ପରେ ଚାଲାଣ ହେଉଥିବା ବସଟିକୁ ଖୋଜା ଖୋଜି କରିଥିଲେ । ସେ ଉମରକୋଟ ଠାରେ ରହି ସିଂସାରି ଓ ପରେ ବୋକାବଣ୍ଡ ଯାଇଥିଲେ । କିନ୍ତୁ ବସଟିକୁ ପାଇ ନ ଥିଲେ । ପରେ ଉକ୍ତ ଦଲାଲ କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ ପରେ ବି ସେ ଫୋନ ଉଠାଇନଥିଲେ ।

ଶେଷରେ ପାପଡାହାଣ୍ଡି ବ୍ଲକ ନୂଆକୋଟ ନିକଟରେ ବସ ଥିବା ଜାଣି ଭଉଣୀ ପହଂଚି ଥିଲେ । ଟିଏନ୩୬ଏମ୫୦୫୫ ବସଟି ଏକ କାଜୁ ବାଡ଼ ଭିତରେ ଦେଖିଥିଲେ । କିନ୍ତୁ ସେଠାରେ ବି ନାବାଳିକା ଭଉଣୀକୁ ପାଇ ନ ଥିଲେ । ନୂଆକୋଟ ପଂଚାୟତର କସରାଭାଟା ଗ୍ରାମର ଏକ ଘରୁ ଭଉଣୀକୁ ଉଦ୍ଧାର କରିଥିଲେ । ନାବାଳିକା ଜଣକ ଟଙ୍କା ପ୍ରଲୋଭନ ଦେଇ ତାକୁ ନିଆ ଯାଉଥିଲା ବୋଲି କହିଛନ୍ତି । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଈପାଇ ପହଂଚିଛନ୍ତି । ୪୫ ଜଣ ଶ୍ରମିକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । କେଉଁ ଉଦେଶ୍ୟରେ ଅଭିଭାବକ ଙ୍କୁ ନ ଜଣାଇ ଚାଲାଣ କରାଯାଉଥିଲା ତାହାର ତଦନ୍ତ ଦାବି କରିଛନ୍ତି ବଡ ଭଉଣୀ ।

ସମ୍ବନ୍ଧିତ ଖବର