ଠିକ ବାଟରେ ଯାଉଛି ତ ପୁଲିସ! ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଗିରଫ

ରା. ଉଦୟଗିରି: ଗତ ୭ତାରିଖ ଦିନ ଛେଳିଗଡ଼ରେ ଏକ ବାହାଘର ଭୋଜି ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ତହସିଲଦାର ଓ ପୁଲିସ ଘଟଣାରେ ଆଜିକୁ ମିଶାଇ ସମୁଦାୟ ଚାରିଜଣ ଅଭିଯୁକ୍ତଙ୍କୁ ଗଜପତି ଜିଲ୍ଲା ରା. ଉଦୟଗିରି ପୁଲିସ ଗିରଫ କରିଛି l ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l

ତେବେ ଚାଲିଥିବା ଏହି ଗିରଫଦାରୀରେ ପୁଲିସ ଠିକ ରାସ୍ତାରେ ଯାଉଛି ନା ଅନ୍ଧାରରେ ବାଡ଼ି ବୁଲାଉଛି ତାହା ଅନେକଙ୍କୁ ସଂଶୟରେ ପକାଇଛି l ଆଜି ସକାଳେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ପରିସଲ ଅଂଚଳର ଜଣେ ନିର୍ଦୋଷ ଭୁଲରେ ଗିରଫ ହୋଇଥିବା ଅଭିଯୋଗ ପହଂଚିଛି l ଅଭିଯୋଗକାରୀଙ୍କ ଅଭିଯୋଗ ଥିଲା ଯେ, ଗିରଫ ଦୁଇ ମଧ୍ୟରୁ ଜଣେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ବାହାଘର ସହ ଆଦୌ ସମ୍ପର୍କ ରଖନ୍ତି ନାହିଁ l ବାହାଘରକୁ ନିମନ୍ତ୍ରିତ ମଧ୍ୟ ହୋଇନଥିଲେ l ଏଭଳି ସ୍ଥଳେ ତାଙ୍କୁ ତୁରୁବୁଡି ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ ପରିସଲ ଅଞ୍ଚଳବାସୀ l ତେବେ ଗିରଫଦାରୀ ସମୟରେ ବାରମ୍ବାର ବିଭିନ୍ନ ଦିଗକୁ ନଜରରେ ରଖି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ପୁଲିସ କହୁଥିବାରୁ ନିର୍ଦୋଷମାନେ ଏହି ତାଲିକାରୁ ବାଦ ପଡିବେ ବୋଲି ଆଶା ପ୍ରକାଶ କରିଛନ୍ତି l

ସମ୍ବନ୍ଧିତ ଖବର