ରେଳଲାଇନ ଟ୍ରାକ୍‌ରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣା: ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବନ୍ଧୁ ସାଜିଲା ହତ୍ୟାକାରୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ନୂଆପଡା ପାଖ ପମ୍ପୂତଲା ପାଖ ରେଳ ଲାଇନ ଟ୍ରାକରୁ ସ୍ଥାନୀୟ ରାମନଗରପଡାର ଆନନ୍ଦ ତାଣ୍ଡିଙ୍କ ଖଣ୍ଡବିଖଣ୍ଡତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବନ୍ଧୁ ହତ୍ୟାକାରୀ ସାଜିଥିବା ପୁଲିସ ଜାଣିବାକୁ ପାଇଛି। ମୃତକ ଆନନ୍ଦଙ୍କ ପରିବାର ଲୋକ ଆତ୍ମହତ୍ୟା ନୁହେଁ ଏହା ହତ୍ୟା ବୋଲି ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ଜିଆରପି ପୁଲିସ, ଟାଉନ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

ତେବେ ବଲାଙ୍ଗୀର ଏସପି ମାଡ଼କର ସନ୍ଦୀପ ସମ୍ପଦଙ୍କ ତତ୍ତ୍ୱାବଧାନରେ ଜିଆରପି ଏବଂ ଟାଉନ ପୁଲିସ ଏକ ଟିମ ଗଠନ କରି କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ଗତ ୭ ତାରିଖ ରାତି ମୃତ ଆନ୍ଦନ ସହ ଅନ୍ୟ ଅନ୍ୟ ୪ ଜଣ ଖଟୁଶ୍ୟାମ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି କରିଥିଲେ। ଚୋରମାନେ ୩୫ ଶହ ଲେଖାଏଁ ନିଜ ନିଜ ଭିତରେ ଭାଗବଣ୍ଟା କରିଥିଲେ। ଆନନ୍ଦ ଏବଂ ହତ୍ୟାକାରୀ ଧନୀ ସାଣ୍ଡ ଅଧିକ ଟଙ୍କା ଭାଗ ପାଇଁ ଦାବି କରି ଝଗଡା କରିଥିଲେ।

ଅନ୍ୟ ଚୋରମାନେ ଘରକୁ ଫେରାର ହୋଇଥିବା ବେଳେ ଆନନ୍ଦ ଏବଂ ଧନୀ ରାତିରେ ଏକ ଢ଼ାବାରେ ମଦ ପିଇ ଘରକୁ ରେଳ ଟ୍ରାକ ଦେଇ ଫେରୁଥିଲେ। ପୂର୍ବରୁ ଧନୀ ଆନନ୍ଦକୁ ହତ୍ୟା କରିବାକୁ ଯୋଜନା କରିଥିଲା। ସେ ରଖିଥିବା ଏକ ଧରୁଆ ଅସ୍ତ୍ରରେ ବାରମ୍ବାର ହତ୍ୟା କରି ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାଲାଗି ଆନନ୍ଦକୁ ରେଳଟ୍ରାକରେ ଫିଙ୍ଗି ଦେଇ ଫେରାର ହୋଇଥିଲା ବୋଲି ଆଜି କଣ୍ଟାବାଞ୍ଜି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ହତ୍ୟାକାରୀ ଧନୀକୁ ଅନ୍ୟ ଚୋରମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ହତ୍ୟାରେ ବ୍ୟବହୃତ ହୋଇଥିବା ଧାରୁଆ ଅସ୍ତ୍ର ଜବତ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର