ଡାବୁଗାଁ : ପୁଲିସକୁ ଧକ୍କା ମାରି ହାଜତରେ ଥିବା ଅଭିଯୁକ୍ତ ଫେରାର

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରୁ ରବିବାର ରାତିରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ହାଜତରେ ଥିବା ଅଭିଯୁକ୍ତ ପୁଲିସ ସେଣ୍ଟ୍ରିକୁ ଧକ୍କା ମାରି ଫେରାର ହୋଇଯାଇଥିବା ଖବର ମିଳିଛି । ଫେରାର ଅଭିଯୁକ୍ତକୁ ଧରିବାକୁ ଜୋରଦାର ପ୍ରୟାସ କରାଯାଇଥିଲେ ସୁଦ୍ଧା ତାକୁ ପୋଲିସ ଧରିବାକୁ ସକ୍ଷମ ହୋଇପାରି ନାହିଁ ।

ଫେରାର ଅଭିଯୁକ୍ତ ଜଣକ ନବରଙ୍ଗପୁର ଥାନା ଡୁଡରୀ ଗ୍ରାମର ହେମଧର ହରିଜନ (୨୮) ବୋଲି ଜଣା ପଡିଛି ।  ଗତକାଲି ରବିବାର ସକାଳ ପ୍ରାୟ ସାଢେ଼ ୬ ଘଣ୍ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ମାଝିଗୁଡ଼ା ରାଜ୍ୟ ରାଜପଥ ଉପରେ ତିନି ଜଣ ବିଭିନ୍ନ ଗାଡ଼ି ଅଟକାଇ ଟଙ୍କା ଅସୁଲି କରୁଥିଲେ । ସେମାନେ ହେଲେ ଛତିଶଗଡ଼ ଜଗଦଲପୁର ର ପୋଲିସ କର୍ମଚାରୀ ପ୍ରମୋଦ ସିଂ କନୱର (୩୬) ,କୋଷାଗୁମୁଡ଼ା ଥାନା ଚିତାବେଡ଼ା ଗ୍ରାମର ଗାଲିସିଓ ଖ୍ରୀଷ୍ଟିୟାନ (୨୨) ଓ ନବରଙ୍ଗପୁର ଥାନା ଡୁଡରି ଗ୍ରାମର ହେମଧର ହରିଜନ (୨୮) । ଏମାନଙ୍କ ମଧ୍ୟରୁ ଜଗଦଲପୁରର ପ୍ରମୋଦ ସିଂ କନ୍ୱର ପୋଲିସ ପୋଷାକ ପିନ୍ଧି ଥିବାରୁ ଭୟରେ ପୋଲିସ ଭାବି ବିଜାପୁରର ପନୁ ମାଝୀ ୧୦୦୦/ ଟଙ୍କା ଓ ମାଝିଗୁଡ଼ା ର ଜଣେ ବାଇକ୍ ଆରୋହୀ ୫୦୦/ ଟଙ୍କା ଦେଇଥିଲେ । ତେବେ ଏକ କୁକୁଡ଼ା ବୋଝେଇ ଗାଡ଼ି କୁ ଅଟକାଇ ଟଙ୍କା ଆଦାୟ କରୁଥିବା ସମୟରେ ମାଝିଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ତିନି ଜଣ ଙ୍କ ଉପରେ ସନ୍ଦେହ ଜାତ ହୋଇଥିଲା ।

୩୦ ରୁ ଉର୍ଦ୍ଧ ମାଝିଗୁଡ଼ା ଗ୍ରାମବାସୀ ମିଶି ଏହି ଟଙ୍କା ଆଦାୟ କରୁଥିବା ତିନି ଜଣଙ୍କୁ ଡାବୁଗାଁ ଥାନା ଆଣି ପୋଲିସ ହାତରେ ଦେବା ସହ ସେହି ମାଝିଗୁଡ଼ା ଗ୍ରାମର ଖଗପତି ବିନ୍ଧାଣି ତିନି ଜଣ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ଦାୟର କରିଥିଲେ । ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍ ଜବତ କରି ପୋଲିସ ହାଜତ ରେ ରଖିଥିଲେ । ରାତି ପ୍ରାୟ ସାଢ଼େ ଗୋଟାଏ ରେ ପୋଲିସ ହାଜତ ମଧ୍ୟରେ ଥିବା ପ୍ରମୋଦ ସିଂ ଓ ହେମଧର ହାଜତର କବାଟ ଖୋଲି ଯିବାକୁ ଉଦ୍ୟତ୍ ହେଉଥିବା ସମୟରେ ଦାୟିତ୍ୱରେ ଥିବା ସେଣ୍ଟ୍ରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉଭୟ ସେଣ୍ଟ୍ରି କୁ ଧକ୍କା ମାରି ବାହାରକୁ ଚାଲି ଯାଇଥିଲେ । ତେବେ ସେଣ୍ଟ୍ରି ର ପାଟି ଶୁଣି ବାହାରେ ଥିବା ପୋଲିସ ପ୍ରମୋଦ ସିଂ କୁ କାବୁ କରିଥିବା ବେଳେ ହେମଧର ସେଠାରୁ ଚଂପଟ୍ ମାରିଥିଲା । ଏ ନେଇ ଗତ ରାତ୍ର ରେ ଡାବୁଗାଁ ଥାନାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଫେରାର ଅଭିଯୁକ୍ତ ହେମଧର କୁ ଧରିବାକୁ ପୋଲିସ ତରଫରୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଧରା ପଡି ନ ଥିଲା । ଏ ନେଇ ଡାବୁଗାଁ ଥାନାରେ ପୃଥକ୍ ପୃଥକ୍ ତିନୋଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖା ଯାଇଥିବା ବେଳେ ଡାବୁଗାଁ ପୋଲିସ ର ଅବହେଳା କୁ ନେଇ ସାଧାରଣରେ ଚର୍ଚା ଜୋର୍ ଧରିଛି ।

ସମ୍ବନ୍ଧିତ ଖବର