ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହୋଇ ଆଣିବା ସମୟରେ ଅଧାରାସ୍ତାରେ ପ୍ରସବ

ନବରଙ୍ଗପୁର/ଝରିଗାଁ : ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ। ଖଟିଆରେ ବୁହା ହେବା ସମୟରେ ରାସ୍ତା କଡରେ ପ୍ରସବ ହୋଇଥିବା ଜଣାପଡିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳରେ।

ଝରିଗାଁ ସଦରମହକୁମା ଠାରୁ ମାତ୍ର ୮ କିମି ଦୁରରେ ରହିଛି ମାଙ୍ଗଡଙ୍ଗରୀ ଗାଁ। ଗାଁ ଠାରୁ ବ୍ଲକ ସଦରମହକୁମାକୁ ପକ୍କା ରାସ୍ତା ନାହିଁ। ସେହି ଗାଁର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା (୨୦)ଙ୍କ ଆଜି ସକାଳ ୧୦ ଟା ରେ ପ୍ରସବ ବେଦନା ଆରମ୍ଭ ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନସ କୁ ଖବର ଦେଇଥିଲେ। ଦିର୍ଘ ସମୟ ଧରି ଆମ୍ବୁଲାନସ ନପହଞ୍ଚିବାରୁ ପୁଣି ଥରେ ଫୋନ କରିଥିଲେ। ତେବେ ସେହି ଗାଁ ଠାରୁ ୩ କିମି ଦୁର ମାଙ୍ଗମୁଦୁଲି ଗ୍ରାମ ଠାରେ ଅପେକ୍ଷା କରିଥିବାର ଡ୍ରାଇଭର ଜଣାଇଥିଲେ। ଶେଷରେ ପରିବାର ସଦସ୍ୟ ଏକ ଖଟିଆ ସାହାଯ୍ୟରେ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ ଗର୍ଭବତୀ ମହିଳା ପରମାଙ୍କୁ ବୋହି ଆଣିଥିଲେ। ଖଟିଆରେ ବୋହି ଆଣିବା ସମୟରେ ମୁଣ୍ଡିଗୁଡା ଗାଁ ନିକଟରେ ପରମାଙ୍କ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ରାସ୍ତା ରେ କିଛି ସମୟ ରଖିବା ପାଇଁ ପରମା କହିଥିଲେ। କିଛି ସମୟ ମଧ୍ୟରେ ରାସ୍ତା କଡରେ ହିଁ ପରମା ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ ।

ପୁତ୍ର ସନ୍ତାନ ପ୍ରସବ ହେବା ପରେ ପୁଣି ଥରେ ଖଟିଆ ରେ ଉଭୟ ମା ଓ ଶିଶୁ ପୂତ୍ରକୁ ବୋହି ୧୦୨ ଆମ୍ବୁଲାନସ ନିକଟକୁ ବୋହି ଆଣିଥିଲେ। ପ୍ରାୟ ୫ଟା ବେଳେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଉଭୟ ମା ଓ ଶିଶୁ ସୁସ୍ଥ ଥିବାର ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ପରମାଙ୍କ ସ୍ବାମୀ ବିଷ୍ଣୁ କହିବା ଅନୁଯାୟୀ ଗାଁର ରାସ୍ତା ରେ ନୂଆ ମାଟି ପଡିଥିବାରୁ ବର୍ଷାରେ ରାସ୍ତା କାଦୁଅ ହେବା ସହ ରାସ୍ତା ସାରା ଖାଲୁଅ ହୋଇ ରହିଛି। ଯାହା ଫଳରେ ଗାଁକୁ ଆମ୍ବୁଲାନସ ଗଡିପାରୁ ନାହିଁ। ସେଥି ପାଇଁ ରୋଗୀ ମାନଙ୍କୁ ଏପରି ଖଟିଆ ରେ ବୁହା ହୋଇ ଆଣିବାକୁ ପଡୁଛି ।

ସମ୍ବନ୍ଧିତ ଖବର