ନବରଙ୍ଗପୁର(ପ୍ରଦୀପ ପାଢ଼ୀ): ମକା ଚାଷ ନଷ୍ଟ ହେବାରୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଲିଖୁଣ୍ଟି ବ୍ଲକରେ ଜଣେ ଆଦିବାସୀ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ଲମତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅଲିଗୁମା ଗ୍ରାମର ମାଧବ ମୁଦୁଲିଙ୍କ ସ୍ତ୍ରୀ ପଦ୍ମା ମୁଦୁଲି(୪୨) ଶୁକ୍ରବାର ସନ୍ଧ୍ୟାରେ ବିଷ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତେନ୍ତୁଲିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାଙ୍କ ଶନିବାର ସକାଳୁ ମୃତ୍ୟୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାଧବ ମୁଦୁଲିଙ୍କ ଅଭିଯୋଗ ଅନୁସାରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ତିନି ପିଲାଙ୍କୁ ନେଇ କେମିତି ଦିନ କାଟିବେ ଚିନ୍ତା କରୁଛନ୍ତି। ମାଧବ ୩ ଏକର ଜମିରେ ଧାନ ଓ ମକା ଚାଷ କରିଥିଲେ। ପଦ୍ମା ଗାଁର ଅନ୍ୟ ୯ ଜଣ ମହିଳାଙ୍କ ସହିତ ଏକ ଗ୍ରୁପ୍ରେ ସାମିଲ ଥିଲେ। ନିକଟରେ ପଦ୍ମା ସାମିଲ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ‘ସ୍ପନ୍ଦନା ମାଇକ୍ରୋ ଫାଇନାନ୍ସ’ରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲା। ଏହି ଋଣ ଟଙ୍କାରୁ ପଦ୍ମାଙ୍କୁ ୩୦ ଲକ୍ଷ ଟଙ୍କା ଭାଗ ମିଳିଥିଲା।
କିଛି ଦିନ ତଳେ ଇନ୍ଦ୍ରାବତୀ ଡ୍ୟାମ୍ରୁ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ପଦ୍ମା ଯେଉଁ ଜମିରେ ମକା ଚାଷ କରିଥିଲେ ତାହା ଇନ୍ଦ୍ରବତୀ ନଦୀ କୂଳରେ ଥିଲା। ଫଳରେ ବନ୍ୟା ଜଳ ଯୋଗୁଁ ମକା ଫସଲ ନଷ୍ଟ ହୋଇ ଯାଇଥିଲା। ସେହିଭଳି ପଦ୍ମାଙ୍କ ଧାନ ଚାଷରେ ମଧ୍ୟ ପୋକ ଲାଗି ଯାଇଥିଲା। ଧାନ ଓ ମକା ଚାଷ ନଷ୍ଟ ହେବା ପରେ ଋଣ କେମିତି ପରିଶୋଧ କରିବେ ସେ ନେଇ ପଦ୍ମାର ଚିନ୍ତା ବଢ଼ି ଯାଇଥିଲା। କିଛି ଦିନ ହେବ ସେ ମାନସିକ ଚାପରେ ରହୁଥିଲେ ବୋଲି ମାଧବ କହିଛନ୍ତି। ଧାନ ଚାଷରେ ପ୍ରୟୋଗ କରିବା ପାଇଁ ସେମାନେ କୀଟନାଶକ ଔଷଧ ଆଣିଥିଲେ, ଯାହକୁ କି ପଦ୍ମା ଶୁକ୍ରବାର ସନ୍ଧ୍ୟାରେ ପିଇ ଦେଇଥିଲେ।