ଜରାଜୀର୍ଣ୍ଣ ଅବସ୍ଥାରେ ସୂଚନା କେନ୍ଦ୍ର ଓ ପାଠାଗାର, ବ୍ୟବହାର ହୋଇପାରୁନି ଇ-ଲାଇବ୍ରେରୀ

ଭଞ୍ଜନଗର: ଜନସାଧାରଣଙ୍କ ନିମନ୍ତେ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ସହରରେ ଖୋଲାଯାଇଛି ସୂଚନା କେନ୍ଦ୍ର ଓ ପାଠାଗାର। ଉକ୍ତ ପାଠାଗାରଟି ବହୁ ଅବ୍ୟବସ୍ଥା ଦେଇ ଗତି କରୁଥିବା ବେଳେ ବହୁ ବର୍ଷ ହେଲା ଏହି କେନ୍ଦ୍ର ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧିଙ୍କ କୃପା ଦୃଷ୍ଟି ପଡିନାହିଁ। ଦୁର୍ବଳ ଭିତ୍ତିଭୂମୀ ସାଙ୍ଗକୁ ଇ-ଲାଇବ୍ରେରୀର ତିନୋଟି କମ୍ପ୍ୟୁଟର ବ୍ୟବହାର ନହୋଇ ଖତ ଖାଇବାକୁ ବସିଛି। ସହରରେ ଉତ୍ତମ ପାଠାଗାରଟିଏ ନଥିବାରୁ ଅଗଣିତ ପାଠକ ନିରାଶ ହେଉଛନ୍ତି। ଏକ ଛୋଟ କୋଠାରେ ପରିଚାଳିତ ଏହି ପାଠାଗାରରେ ଖବରକାଗଜ ଓ ପତ୍ରିକା ପଢିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ଦାୟିତ୍ବ ହୀନତା ଯୋଗୁଁ ଏହାର ନିଜର ସତ୍ତା ହରାଇବାକୁ ବସିଲାଣି।

ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଗତ ୧୯୯୧ ମସିହାରେ ସହର ମୁଖ୍ୟ ରାସ୍ତାର ଗୋଟିଏ ଭଡାଘରେ ସୂଚନାକେନ୍ଦ୍ର ଓ ପାଠାଗାର ଖୋଲାଯାଇଥିଲା। ଏହା ପରବର୍ତୀ କ୍ରମେ ସ୍ଥାନୀୟ ଲଣ୍ଡେଇ ସାହି ପରେ ରେଡକ୍ରସ ରୋଡକୁ ସ୍ଥାନାନ୍ତର ହୋଇଥିଲା। ଏହାପରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ରାଜସ୍ବ ଡାକବଙ୍ଗଳା ନିକଟରେ ୨୦୦୧ ମସିହା ଜୁଲାଇ ମାସରେ ନିଜସ୍ବ କୋଠାକୁ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ଏହାପର ଠାରୁ ଏହାର ଆଉ ରକ୍ଷଣାବେକ୍ଷଣା ହୋଇନଥିବା ଜଣାପଡିଛି। ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ସେବାରେ ଆସିପାରୁ ନାହିଁ। ପାଠାଗାରରେ ୩ ହଜାରରୁ ଉର୍ଦ୍ଧ ବହି ରହିଥିଲେ ମଧ୍ୟ କେହି କେବେ ତାକୁ ବ୍ୟବହାର କରିନାହାନ୍ତି। ସେହି ବହି ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ ନାହିଁ। ଏଠାରେ ୪ଟି କାଠ ଆଲମିରା ଓ ୪ଟି ଟିଣ ଆଲମିରା ହିଁ ରହିଛି। ୪ଟି କାଠ ଟେବୁଲ ରହିଥିବା ବେଳେ ୧୦ଟି କାଠ ଚୌକି ଓ କିଛି ପ୍ଲାଷ୍ଟିକ ଚୌକି ରହିଛି। ପ୍ରତିଦିନ ଦିନକୁ ଦୁଇ ଓଳା ୧୦ରୁ ୧୫ ଜଣ ପାଠକ ପଢ଼ିବାକୁ ଆସନ୍ତି। କିନ୍ତୁ ଏଠାରେ ପରିସ୍ରାଗାରର ସୁବିଧା ନାହିଁ। ଶୌଚାଳୟଟିଏ ନିର୍ମାଣ ହୋଇଛି କିନ୍ତୁ ତାହା ଗୋଦାମ ଗୃହ ଭଳି ବ୍ୟବହାର ହେଉଛି।

ପାଠାଗାର ପାଇଁ ଜଣେ ଲାଇବ୍ରେରୀଆନ, ଅପରେଟର, ପିଅନ ଓ ନାଇଟ ୱାଚର ପଦବୀ ରହିଛି। ଏଠାରେ ଜଣେ ଲାଇବ୍ରେରୀଆନ୍ ଓ ପିଅନ୍ ଅଛନ୍ତି। କମ୍ପ୍ୟୁଟର ଚଳାଇବା ପାଇଁ ଏଠାରେ ସରକାର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ବେଳେ ଗତ ବର୍ଷ ତାକୁ ମଧ୍ୟ ଅପସାରଣ କରି ନେଇଛନ୍ତି। ଯାହା ଫଳରେ ଇ-ଲାଇବ୍ରେରୀ କାର୍ଯ୍ୟକାରୀ ହୋଇପାରୁନାହିଁ। ଆଉ କମ୍ପ୍ୟୁଟର ଓ ଆନୁଷଙ୍ଗିକ ଉପକରଣ ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଛି। ଆବଶ୍ୟକ କୋଠରୀ ଅଭାବରୁ ପାଠାଗାରର କର୍ମଚାରୀଙ୍କ କାର୍ଯ୍ୟାଳୟର ସାମଗ୍ରୀ ମଧ୍ୟ ରଖିପାରୁ ନାହାନ୍ତି। ଅନ୍ୟପକ୍ଷରେ ବହୁ ବର୍ଷ ଧରି ରଙ୍ଗ ମଧ୍ୟ ଦିଆଯାଇପାରି ନାହିଁ। ଗତ କିଛି ମାସ ତଳେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ବାହାର ରଙ୍ଗ କରାଯାଇଥିବା ଏସ୍ଡ଼ପିଆର୍ଓ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏହି ଅନୁଷ୍ଠାନ ପ୍ରତି ଦୃଷ୍ଟି ଦେଇ ପାଠାଗାର ଉନ୍ନତି କରିବା ପାଇଁ ସହରର ବୁଦ୍ଧିଜୀବୀ ଓ ପାଠକ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର