ଓଡ଼ିଆ ପୁଅ ସାର୍ଥକ କୁମାର ଖରାଙ୍କ କ୍ୟାଟ୍‌ ୱାକ୍‌ ଦେଖିଲା ରାଜସ୍ଥାନ

ସୁନାବେଡା: ରାଜସ୍ଥାନର ଜୟପୁରରେ ଆୟୋଜିତ ମିଷ୍ଟର ଆଣ୍ଡ ମିସ୍  ଇଣ୍ଡିଆ ୨୦୨୦ ମଡେଲିଂ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଆଉ ଜଣେ ଓଡ଼ିଆ ପୁଅ।  କୋରାପୁଟ ଜିଲ୍ଲା ଅନ୍ତର୍ଗତ ଶିଳ୍ପ ନଗରୀ ଦମାନଯୋଡି ଉପକଣ୍ଠସ୍ଥ ଭେଜାପୁଟର ସତସଙ୍ଗର ଡା. ଉଦୟନାଥ ଖରାଙ୍କ ପୁଅ ସାର୍ଥକ କୁମାର ଖରାଙ୍କ କ୍ୟାଟ୍‌ ୱାକ୍‌ ଦେଖିଛି ରାଜସ୍ଥାନ ।

ଗତ ଫେବ୍ରୁଆରି ୨୩ ତାରିଖରେ ରାଜସ୍ଥାନର ଜୟପୁର ଠାରେ ଗ୍ଲାମନ ଦି ରାଇଜିଙ୍ଗ ଷ୍ଟାର ପକ୍ଷରୁ ଆୟୋଜିତ ହୋଇଥିବା ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ୨୦୨୦ ପ୍ରତିଯୋଗିତା ଭାଗ ନେଇ ସେ ଗତକାଲି ଅନୁଷ୍ଠିତ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରନର୍ସ ଅପ ଟାଇଟଲ ହାସଲ କରିଛନ୍ତି । ପ୍ରତିଯୋଗିତାରେ ସାର୍ଥକ ବେଷ୍ଟ କ୍ୟାଟ୍‌ ୱାକ୍‌ ଟାଇଟଲ ଜିତିଛନ୍ତି । ପ୍ରତିଯୋଗିତାରେ ଦୁବାଇରୁ ଆସିଥିବା ଅତିଥି ଓ ପ୍ରଖ୍ୟାତ ବଲିଉଡ଼ ନିର୍ଦେଶକ ବିଜୟ ଗୋଲଚା ମାନପତ୍ର ଓ ଟ୍ରଫି ଦେଇ ପୃରସ୍କୃତ କରିଥିବା ସାର୍ଥକ କହିଛନ୍ତି ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଅନଲାଇନ୍‌ରେ ଅଡ଼ିସନ ଦେଇଥିଲେ । ପୂର୍ବରୁ ସେ ୨୦୧୮ରେ ଭୁବନେଶ୍ୱରରେ ଆଘାଜ ମଡ଼‌େଲିଂରେ ଟପ-୧୦, ୨୦୧୯ରେ ମିଷ୍ଟେର କୋରାପୁଟ ରନର୍ସ ଅପ୍‌ ହୋଇଥିଲେ। ଏହା ସହ ଗ୍ଲୋବାଲ ଏସିଆରେ ଟପ-୩୦, ୨୦୨୦ ମିଷ୍ଟେର ଅଣ୍ଡ ମିସ ଆଇକନିକରେ ଟପ-୪ ଟାଇଟଲର ଅଧିକାରୀ ହୋଇସାରିଛନ୍ତି ।

ସାର୍ଥକ ପା‌ରଳା‌ଖେମୁଣ୍ଡିର ସେଂଚୁରିଆନ ବିଶ୍ବବିଦ୍ୟାଳୟରୁ ସିଭିଲରେ ବି-ଟେକରେ ସ୍ନାତକ ହାସଲ କରିବା ପରେ ମଡ଼‌େଲିଂ ଓ ଫ୍ୟାସନ ଇଣ୍ଡଷ୍ଟ୍ରିରେ କାମ କରି ପେଶା ଭାବେ ଆଗକୁ ନେବେ ବୋଲି କହିଛନ୍ତି । ସାର୍ଥକଙ୍କ ବାପା ଜଣେ ଅବସରପ୍ରାପ୍ତ ପଶୁଚିକିତ୍ସକ, ମା ଗୃହୃଣୀ ଓ ବଡ ଭାଇ ସାମାଜିକ କର୍ମୀ ଅଟନ୍ତି । ଏ ନେଇ ସମଗ୍ର ଅଂଚଳ ଓ ପରିବାର ବର୍ଗରୁ ଶୁଭେଛାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର