ଢେଙ୍କାନାଳ: ବିଲକୁ ଯାଇଥିଲେ ବୃଦ୍ଧ, ପରଜଙ୍ଗ ଗଇଲୋରେ ଦନ୍ତା ନେଲା ଜୀବନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାରେ ଶନିବାର ପୁଣି ଦନ୍ତା ହାତୀ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଥାନା ରୋଡ ପଞ୍ଚାୟତ ଗଇଲୋ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁସାରେ ଆଜି ହାତୀ ଆକ୍ରମଣରେ କୁମୁଦ ସାହୁ (୬୦)ଙ୍କର ମୃତ୍ୟୁ ଘଟିଛି। ମୁକୁନ୍ଦ ଆଜି ସକାଳୁ ଘାସ ଆଣିବାକୁ ବିଲକୁ ଯାଇ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କ ମୁଣ୍ଡକୁ ପାଦରେ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ୩୦ରୁ ଉର୍ଦ୍ଧ୍ୱ ହାତୀ ଅନେକ ଦିନ ହେଲାଣି ଉପଦ୍ରବ ଚଲାଇଛନ୍ତି। ହାତୀମାନେ ଏହି ଅଂଚଳରେ ବ୍ୟାପକ ଫସଲ ଓ ସମ୍ପତି ନଷ୍ଠ କରୁଛନ୍ତି।

ଏହି ଅଂଚଳରେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି। ଅଭିଯୋଗ ପରେ ବି ବନ ବିଭାଗ ପଦକ୍ଷେପ ନେଉନାହିଁ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ ପହଂଚି ୪୦ ହଜାର ଟଙ୍କାର ଚେକ ଦେଇଥିଲେ। ପରେ ବାକି ସହାୟତ ଦିଆଯିବ ବୋଲି କହିଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର