ସମ୍ବାଦ ସାହିତ୍ୟ ଘର ତରଫରୁ ପଖାଳ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ଚାଲାଣଗୁଡା ସ୍ଥିତ କସ୍ତରୁବା ଗାନ୍ଧୀ ବିଦ୍ୟାଳୟରେ ପଖାଳ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାହିତ୍ୟ ଘରର ସଭାପତି ଡଃ. ରଂଜନ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରକାଶ ଚନ୍ଦ୍ର ପଟନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉମେଶ ଚନ୍ଦ୍ର ରାଉତ, ପ୍ରକାଶ ଚନ୍ଦ୍ର ନାୟକ, ନିରଞ୍ଜନ ପଣ୍ଡା, ସୁକାନ୍ତ ସାହୁ, ଆଭାରାଣୀ ବିଶ୍ବାଳ, ସଂଗୀତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାର ବନ୍ଧୁ ତଥା ଓଡିଆଙ୍କ ପ୍ରିୟା ଖାଦ୍ୟ ପଖାଳକୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖେ ପଖାଳ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଏହିଦିନ ପ୍ରତ୍ୟେକ ଓଡିଆ ପରିବାରରେ ପଖାଳ ସହ ଶାଗ, ମାଛ, ବଡିଚୁରା, ବାଇଗଣ ଭର୍ତ୍ତା ଇତ୍ୟାଦି ପରଷା ଯାଇଥାଏ।

ଏହି ଦିବସକୁ ଆହୁରି ସରସ ସୁନ୍ଦର କରିବା ପାଇଁ ତଥା ଛାତ୍ରଛାତ୍ରୀଙ୍କୁ ଏହି ଦିବସକୁ କାହିଁକି ପାଳନ କରାଯାଉଛି ସେନେଇ ଅବଗତ କରାଇବା ପାଇଁ ଏହି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତେ ପଖାଳ ଭୋଜନ କରିଥିଲେ। ଆଜି ଜିଲ୍ଲାର ସମସ୍ତ ହୋଟେଲରେ ମଧ୍ୟ ଗ୍ରାହକ ମାନଙ୍କୁ ପଖାଳ ପ୍ରଦାନ କରାଯାଇଥିବା ଜଣାପଡିଛି। ଲୋକେ ମଧ୍ୟ ଖୁବ ଆନନ୍ଦରେ ଏହି ଦିବସକୁ ମନାଇବା ସହ ପଖାଳ ଭକ୍ଷଣ କରିଥିଲେ। ନିଜ ନିଜ ଘରେ ଲୋକେ ଏହି ଦିବସକୁ ପାଳନ କରି ସୋସିଆଲ ମିଡିଆରେ ଏହାର ପ୍ରଚାର ପ୍ରସାର କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ପ୍ରତିବର୍ଷ ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ଏହି ଦିବସକୁ ମନେ ପକାଇବା ସହ ସମସ୍ତ ସଦସ୍ୟ ଯେପରି ଏହାକୁ ପାଳନ କରିବେ ସେନେଇ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର