୧୨ ଜଣଙ୍କୁ ନେଇ ପାଳନ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ:ଆସିଲେନି ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ପ୍ରତିନିଧି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ୍ ଢ଼ଙ୍ଗରେ ପାଳନ କରାଯାଇନଥିବା ଅଭିଯୋଗ ହୋଇଛି। ଅତିଥି, ୩ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ମାତ୍ର ୧୨ ଜଣଙ୍କୁ ନେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଳନ କରାଯିବା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତୃଣମୂଳସ୍ତରରେ ବିକାଶକୁ ତ୍ବରାନିତ କରିବା ସହ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ତ୍ବରାନିତ କରିବା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରି ଆସୁଛନ୍ତି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋ ସେବା କେନ୍ଦ୍ର ଓଡ଼ିଶା ୱାନ୍ ପୋର୍ଟାଲର ଶୁଭ ଉଦଘାଟନ କରିଛନ୍ତି। ଯୋଜନା ସଂପର୍କରେ ଲୋକ ପ୍ରତିନିଧିଙ୍କୁ ଅବଗତ କରିବା ପାଇଁ ବ୍ଲକ୍ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ସରକାର ନିର୍ଦେଶ ଦେଇଥିଲେ।

ହେଲେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ହୋଇଥିବା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ମାତ୍ର ୧୨ ଜଣ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଭାରପ୍ରାପ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭୀମସେନ୍ ଶବର, ଜିଲ୍ଲା ପରିଷଦ ସଦସ୍ୟ ନନ୍ଦ କିଶୋର ଚୌଧୁରୀ, ଅମ୍ବିକା ବିଡ଼ିକା, ଟି. ଗୌରୀ ଶଙ୍କରଙ୍କ ସମେତ ଅନ୍ୟ କିଛି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ୪ ତାରିଖ ସଂଧ୍ୟାରେ ପ୍ରଶାସନ ପକ୍ଷରୁ ଖବର ଦିଆଯିବା କାରଣରୁ ଜିଲ୍ଲା ପରିଷଦ ସଦସ୍ୟ ଓ ପଞ୍ଚାୟତ ପ୍ରତିନିଧି ପହଞ୍ଚି ପାରିନଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର