କେତେ ମଲେ ପରିବହନ ଓ ପୁଲିସର ନିଦ ଭାଙ୍ଗିବ; ଚାଲିଛି ବିପଦସଂକୁଳ ଯାତ୍ରୀ ପରିବହନ

ଜୟପୁର: କେତେଜଣ ମଲା ପରେ କିମ୍ବା ଗୁରୁତର ଆହତ ହୋଇ ଅପଙ୍ଗ ହେବା ପରେ ପରିବହନ ବିଭାଗ ଓପୁଲିସର ନିଦ ଭାଙ୍ଗିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଗତ ୫ମାସ ତଳେ କୋଟପାଡ ଅଂଚଳକୁ ଜଗଦଲପୁରରୁ ଏକ ପିକଅଫ୍ ଭ୍ୟାନ ଆସି ଦୁର୍ଘଟଣା ଗ୍ରସ୍ତ ହେବା ସହ ୫ଜଣ ମୃତ୍ୟୁ ବରଣ କରିଥିଲେ। ସେଭଳି ୪ବର୍ଷ ତଳେ ପଡୋଶୀ ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡି ଘାଟିରେ ଆଦିବାସୀ ନାଚ ନେଇ ଯାଉଥିବା ଭ୍ୟାନଟି ଓଲଟି ବହୁ ଲୋକ ମୃତାହତ ଓ ଗୁରୁତର ଆହତ ହୋଇଥିଲେ। ଉଭୟ ଦୁର୍ଘଟଣାର ଗୁରୁତର ଆହତ ମାନେ ଏବେ ପର୍ଯ୍ୟନ୍ତ ଠିକ୍ ହୋଇ ପାରିନାହାଁନ୍ତି। ଜିଲ୍ଲାର ଜାତୀୟ ରାଜପଥରେ ଦୈନିକ ଚାଲିଛି ବିପଦ ସଂକୁଳ ଯାତ୍ରୀ ପରିବହନ। ତେବେ ଏଥିପ୍ରତି ପରିବହନ ବିଭାଗ କିମ୍ବା ପୁଲିସ ପ୍ରଶାସନର ନିଘା ନଥିବାବେଳେ ଯାତ୍ରୀମାନେ ସଚେତନ ନଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଜାତୀୟ ରାଜପଥରେ ଯାତାୟତ କରୁଥିବା କିଛି ଅଟୋ, କମାଣ୍ଡର, ବଲୋର, ଟାଟା ମ୍ୟାଜିକ ବି ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ଏପରିକି ମାଲ ବୋଝଇ କରିବାକୁ ଥିବା ୪୦୭, ୬୦୭, ପିକ୍ ଅଫ ଭ୍ୟାନ ଅଦିରେ ଆଦିବାସୀ ନାଚ ପାର୍ଟି, ବିବାହ ଘରର ଲୋକଙ୍କୁ ନିଆ ଅଣା କରିବା ପ୍ରକ୍ରିୟା ଜାରୀ ରହିଛି। ଖାସ୍ କରି ଜୟପୁରରୁ ବୋରିଗୁମ୍ମା, କୋଟପାଡରୁ ଜଗଦଲପୁର, ବୋରିଗୁମ୍ମାରୁ କାମତା, କୁମୁଲି, ଜୟପୁରରୁ ଘାଟଘୁମର, କୋଲାବ ସହ ଜୟପୁର ସଦରମହକୁମାରୁ କିଛି ବ୍ଲକର ଗାଁ ଗହଳିକୁ ବି ଏଭଳି ଯାତ୍ରୀ ମାନଙ୍କୁ କମାଣ୍ଡର, ପିକଅଫ, ଅଟୋ ଆଦିରେ ମାଲ୍ ବୋଝେଇ ଗାଡି ଭଳି ମନଇଚ୍ଛା ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି।

ଜାତୀୟ ରାଜପଥର ଅଧିକାଂଶ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଝୁଲୁ ଥିବାବେଳେ କେଉଁଠି ଗଛ ଡାଳ ଝୁଲି ରହିଛି। ଗାଡ଼ି ଛାତ ଉପରେ ବସି ଆସୁଥିବା ଯାତ୍ରୀ ବିଦ୍ୟୁତ ତାର ଓ ଗଛ ଡାଳ ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ଗାଡି ଗୁଡିକ ଥାନା ଓ ଫାଣ୍ଡି ସମ୍ମୁଖରେ ଆସୁଥିଲେ ମଧ୍ୟ ପୁଲିସ କର୍ମଚାରୀ ଏଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ପୁଲିସ ଅଧିକାରୀ ଯାତ୍ରୀଙ୍କ ସଚେତନତାର ଅଭାବ ସାଙ୍ଗକୁ ଗାଡ଼ି କର୍ମଚାରୀଙ୍କ ଅତ୍ୟଧିକ ବ୍ୟବସାୟ ମନୋବୃତ୍ତିକୁ ଦାୟୀ କରିଛନ୍ତି। ସେହିଭଳି କିଛି ଗାଡିର କର୍ମଚାରୀ ଯାତ୍ରୀଙ୍କୁ ଦୋଷ ଦେଇଛନ୍ତି। ଗାଡିର କର୍ମଚାରୀଙ୍କ ଦାୟିତ୍ୱହୀନତା ତଥା ବିପଦସଂକୁଳ ପରିବହନ କାରଣରୁ ଦୁର୍ଘଟଣା ଘଟି ଧନଜୀବନ କ୍ଷତିସହ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଏକ ନିତିଦିନିଆ ଘଟଣା ଘଟିଛି। ଏପରିକି କୋରାପୁଟଜିଲାରେ ବହୁ ଅଂଚଳରେ ଘାଟି ଓ ରାସ୍ତାରେ ମୋଡ ଥିବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଜାରୀ ରହିଛି। ନିୟମିତ ଭାବେ ଦୁର୍ଘଟଣା ହେବା ଏବଂ ମୃତାହତ ଓ ଗୁରୁତର ଆହତ ହେବା ନିୟମିତ ଘଟଣା ପାଲଟିଛି। ଏପରି ବହୁ ଗୁରୁତର ଆହତ ଥିବା ବ୍ୟକ୍ତି ଏବେ ବି ଶଯ୍ୟାଶାୟୀ ହୋଇ ରହିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର