ଚିକିତ୍ସାରେ ଅବହେଳା ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଦାୟିତ୍ଵରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପରିବାର ଲୋକଙ୍କ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ମୃତ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ମୁଖ୍ୟ ଡାକ୍ତରଖାନା ଓ କୋଭିଡ ହସ୍ପିଟାଲ ଦାୟିତ୍ଵରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପରିବାର ଲୋକଙ୍କ ଧାରଣା ଦେବା ଏବଂ ଉତ୍ତେଜନା ପ୍ରକାଶ ପାଇ ଭଙ୍ଗାରୁଜା କରିବା ଅଭିଯୋଗରେ ଥାନାରେ ସିଡିଏମଓଙ୍କ ଏତଲା ଓ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବରଗଡ଼ ଜିଲ୍ଲା ଆଗଲପୁର ବ୍ଲକର ଫୁଟୁକା ଗ୍ରାମର ବିରେନ୍ଦ୍ର ପ୍ରସାଦ ସିଂ(୫୭) କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷକ ଚାକିରି କରୁଥିଲେ । ତାଙ୍କ ପରିବାର ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କସାକେନ୍ଦୁ ଗ୍ରାମରେ ଭଡା ଘରେ ରହୁଥିଲେ । ଗତକାଲି ବିରେନ୍ଦ୍ର ପ୍ରସାଦ ସିଂଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ସହରସ୍ଥିତ ଜିଲ୍ଲା ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବା ପରେ ବୁର୍ଲା ରେଫର କରାଯାଇଥିଲା । କିନ୍ତୁ ପରିବାର ଲୋକେ ଏଠାରେ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ।
ଆଜି ମଧ୍ୟାହ୍ନ ୧୨ ଟାରେ ପରିବାର ଲୋକଙ୍କ ଅନୁରୋଧ କ୍ରମେ କୋଭିଡ ପରୀକ୍ଷା କରାଯାଇଥିଲା । ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ କୋଭିଡ ଚିହ୍ନଟ ପରେ ଡାକ୍ତର ଚିକିତ୍ସା ଯୋଗାଇ ନ ଥିବା ବେଳେ କୋଭିଡ  ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ୪ ଘଣ୍ଟା ବିଳମ୍ଵ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ଭାବେ ବିରେନ୍ଦ୍ର କୋଭିଡ ହସ୍ପିଟାଲ ପହଂଚିଲା ପରେ ବି ଆମ୍ବୁଲାନ୍ସରୁ କୋଭିଡ ହସ୍ପିଟାଲକୁ ଆଡମିଶନ ପାଇଁ ସହଯୋଗ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବାନ୍ଦୋପଲା କୋଭିଡ ହସ୍ପିଟାଲରେ ପହଞ୍ଚିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏଣୁ ମୁଖ୍ୟ ଚିିକିତ୍ସାଳୟ ଓ କୋଭିଡ ହସ୍ପିଟାଲ ଦାୟିତ୍ଵରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ସଦସ୍ୟଙ୍କ ହସ୍ପିଟାଲ ସାମ୍ନାରେ ଧାରଣା ଦେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭବାନୀପାଟଣା ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଉତ୍ତେଜିତ ପରିବାର ପକ୍ଷରୁ ଆମ୍ବୁଲାନ୍ସ କାଚ, କୋଭିଡ ହସ୍ପିଟାଲର ଆଇସିୟୁ ମୋନିଟର ଭଙ୍ଗାରୁଜା କରିଥିବା ନେଇ ସିସିଏମଓ ସଦର ଥାନାରେ ଅଭିଯୋଗ କରିଛନ୍ତି ।
ଏନେଇ ସିଡିଏମଓଙ୍କୁ ପଚାରିବାରୁ ଗତକାଲି ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା । ଅଵସ୍ଥା ଗୁରୁତର ହେବାରୁ ବୁର୍ଲା ରେଫର କରାଯାଇଥିଲା । କିନ୍ତୁ ପରିବାର ଲୋକେ ଏଠାରେ ଚିକିତ୍ସା ପାଇଁ ଲିଖିତ ଅନୁରୋଧ କରିଥିଲେ । ପରିବାର ଲୋକଙ୍କ ଅନୁରୋଧ କ୍ରମେ ଆଜି ମଧ୍ୟାହ୍ନ ୧୨ ଟାରେ କୋଭିଡ ପରୀକ୍ଷା କରି ପିଜିଟିଭ ବାହାରିଥିଲା । ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ମୃତ ଘୋଷଣା ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସ କାଚ ଭାଙ୍ଗିବା ସହିତ କୋଭିଡ ହସ୍ପିଟାଲକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଆସନ୍ତାକାଲି କୋବିଡ଼ ଗାଇଡଲାଇନ ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ। ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ଆସନ୍ତାକାଲି ଶବ ସତ୍କାର କରାଯିବ । ପରିବାର ଲୋକେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିବା ନେଇ ସିଡିଏମଓଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରହିଛି ବୋଲି କହିଥିଲେ । ଅନ୍ୟ ପକ୍ଷରେ କୋଭିଡ ହସ୍ପିଟାଲ ସଦର ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ହୋଇଥିବା ଘଟଣା ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।
ସମ୍ବନ୍ଧିତ ଖବର