କାଲିମେଳା ଲ୍ୟାମ୍ପସ ଅଧୀନରେ ଥିବା ମଣ୍ଡି ଗୁଡିକରେ ଦଲାଲ ସକ୍ରିୟ

ଦଲାଲ ଓ ଯୋଗାଣ ନୀରିକ୍ଷକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଣ୍ଡିର ଶୁଭାରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ସମବାୟ କର୍ମଚାରୀ ମାନେ ବାଧା ସୃଷ୍ଟି କରିଥିଲେ। ଆଲୋଚନା ପରେ ମଣ୍ଡିକୁ ଆରମ୍ଭ କରାଯାଇଥିଲା। ଜିଲ୍ଲାକୁ ଟାର୍ଗେଟ ଆସିଥିଲା ୯ ଲକ୍ଷ ୩୧ ହଜାର ୭୨୭ କ୍ବିଣ୍ଟାଲ। ତେବେ ଯେପରି ଜିଲ୍ଲାର ଟୋକେନ ପାଇଥିବା ସମସ୍ତ କୃଷକ ନିଜର ଧାନକୁ ମଣ୍ଡିରେ ବିକ୍ରି କରିପାରିବେ ସନେଇ ଯୋଗାଣ ବିଭାଗ ଏବଂ ଲ୍ୟାମ୍ପସ ତରଫରୁ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ ଚାଲି ରହିଛି। କିନ୍ତୁ ଜିଲ୍ଲାରେ ଚାଲିଥିବା ୬୪ଟି ମଣ୍ଡି ଏବଂ ୪ଟି ସ୍ବୟଂ ସହାୟକ ଗୋଷ୍ଠୀ କିଣୁଥିବା ଧାନରେ ଦଲାଲ ମାନେ ସକ୍ରିୟ ହୋଇ ନିଜର ଧାନକୁ ବିକ୍ରି କରିବାରେ ସଫଳ ହେଉଛନ୍ତି।

ତେବେ ଏଥିରେ ବିଭାଗୀୟ ଅଧିକାରୀ ସଂପୃକ୍ତ ନହେଲେ ଦଲାଲ କେବେ ମଧ୍ୟ ଧାନ ବିକ୍ରି କରିପାରନ୍ତେ ନାହିଁ। ଜିଲ୍ଲାର କୋରକୋଣ୍ଡା ଲ୍ୟାମ୍ପସ ତରଫରୁ ଚାଲିଥିବା ୧୨ଟି ମଣ୍ଡି ମଧ୍ୟରୁ ବହୁ ମଣ୍ଡିରେ ଦଲାଲ ସକ୍ରିୟ ହୋଇ ଧାନ ବିକ୍ରି କରୁଥିବା ବେଳେ ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇ ଧାନ ଜବତ କରାଯିବା ସହ ଦଲାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା କରିଛି। ଏବେ କାଲିମେଳା ଲ୍ୟାମ୍ପସ ତରଫରୁ ଚାଲିଥିବା ୧୨ଟି ମଣ୍ଡି ଏବଂ ମାଳତୀ ସ୍ବୟଂ ସହାୟକ ଗୋଷ୍ଠୀ ଖରିଦ କରୁଥିବା ଧାନ ମଣ୍ଡିରେ ଦଲାଲ ସକ୍ରିୟ ହୋଇ ନିଜର ଧାନକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି।କାଲିମେଳା ଲ୍ୟାମ୍ପସର ଗୁମକା ମଣ୍ଡିରେ ଚାଷୀ ଭୀମା ମାଡକାମୀ ଅଭିଯୋଗ କରିଛନ୍ତି ଯେ ଦଲାଲ ହରସିତ ଏବଂ ବାଦଲ ନାମକ ବ୍ୟକ୍ତି କାଲିମେଳା ବ୍ଲକ ଯୋଗାଣ ନୀରିକ୍ଷକଙ୍କୁ ଟଙ୍କା ଦେଇ ମଣ୍ଡିରେ ଧାନକୁ ବିକ୍ରି କରିବାରେ ସଫଳ ହୋଇଛନ୍ତି।

ଏଭଳି ବହୁ ମଣ୍ଡିରେ ଯୋଗାଣ ନୀରିକ୍ଷକ ଉତ୍କୋଚ ନେଇ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଯୋଗାଣ ନୀରିକ୍ଷକ ମାନଭଞ୍ଜନ ହୋତାଙ୍କୁ ପଚରାଯିବାରୁ ସେ ଏହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି। ଧାନ ଖରିଦ କରିବାର ଦାୟୀତ୍ବ ଲ୍ୟାମ୍ପସର ଅଛି, ଆମର କେବଳ ତଦାରଖ କରିବାରର ଦାୟିତ୍ବ। ମୋ ବିରୋଧରେ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କଥାକୁ ଟାଳି ଦେଇଥିଲେ। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚରାଯିବାରୁ ସେ ଏନେଇ ସୂଚନା ପାଇଥିବା ବେଳେ ଏହାର ତଦନ୍ତ ହେବ ବୋଲି କହିଥିଲେ। ଯଦି ଏହା ସତ୍ୟ ହୁଏ ତେବେ ବିଚରା କୃଷକ ମାନେ ହାଡଭଙ୍ଗା ଖରା ଏବଂ ଅହରହ ବର୍ଷାରେ ଭିଜି ଧାନ ଚାଷ କରି କ୍ଷତି ସହିବା ସାର ହେବ ବୋଲି କୁହାଯାଇଛି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକ ସଂଘ ଦାବି କରିଛନ୍ତି। ଦଲାଲ ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା କେବଳ ଏହି ଲ୍ୟାମ୍ପସ ନୁହେଁ ବରଂ ବିଭିନ୍ନ ଲ୍ୟାମ୍ପସ ଅଧିନରେ ଚାଲିଥିବା ମଣ୍ଡିରେ ଏଭଲି ଦଲାଲ ସକ୍ରିୟ ହୋଇ ନିଜର ଧାନକୁ ବିକ୍ରି କରୁଥିବା ନେଇ ମଧ୍ୟ କୃଷକମାନେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ କରାନଗଲା ତେବେ ଆଗାମୀ ଦିନରେ ରାଜରାସ୍ତାକୁ କୃଷକ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର