ପୁଲିସର ଆକାଶ ମାର୍ଗରୁ ବୋମା ବର୍ଷଣ ପରେ ସାକ୍ଷାତକାର ଦେଲେ ମାଓନେତା ବିକାଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ଗତ ୧୯ ତାରିଖରେ ପୁଲିସ ତରଫରୁ ଆକାଶ ମାର୍ଗରୁ ବୋମା ବର୍ଷଣ କରାଯାଇଥିବା ନେଇ ମାଓବାଦୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହାକୁ ପୁଲିସ ଆଇଜି ସୁନ୍ଦରରାଜ ପି ଖଣ୍ଡନ କରିଥିଲେ। ପରେ କିନ୍ତୁ ମାଓବାଦୀ ଏହି ଘଟଣା ପ୍ରମାଣ ସ୍ବରୂପ ଦୁଇଟି ଡ୍ରୋନର ଫଟୋ ଏବଂ ଘଟଣାସ୍ଥଳରେ ବୋମା ପଡିବା ପରେ ଗର୍ତ୍ତ ସୃଷ୍ଟି ହେବାର ଫଟୋ ଭାଇରାଲ କରିଥିଲେ। ପରେ ସାମ୍ବାଦିକ ଏବଂ ବୁଦ୍ଧିଜୀବୀଙ୍କୁ ଘଟଣାସ୍ଥଳକୁ ନିମନ୍ତ୍ରଣ କରିଥିଲେ ଏହାର ପ୍ରମାଣ ଦେଖାଇବା ପାଇଁ।ପୁଲିସର ମିଥ୍ୟା ବୟାନକୁ ପ୍ରମାଣିତ କରିବା ପାଇଁ। ତେବେ ଏନେଇ ସାମ୍ବାଦିକମାନଙ୍କୁ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓନେତା ବିକାଶ ସାକ୍ଷାତକାର ଦେଇ କହିଥିଲେ ଯେ ପୁଲିସର ଡ୍ରୋନ ଆକ୍ରମଣ ସୁଚିନ୍ତିତ ଥିଲା। ମାଓବାଦୀ ସଂଗଠନ ଶାନ୍ତି ବାର୍ତ୍ତା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ସରକାର ଏବଂ ପୁଲିସ ପ୍ରଥମେ ଯୁଦ୍ଧ ବିରାମ କରନ୍ତୁ। ତାପରେ ମାଓ ସଂଗଠନ ଆଗକୁ ଆସି ଶାନ୍ତିବାର୍ତ୍ତା କରିବ ବୋଲି କହିଥିଲେ। ନୂତନ ଥାନା କିମ୍ବା ସୁରକ୍ଷାକର୍ମୀ କ୍ୟାମ୍ପ ପ୍ରତିଷ୍ଠା ହେଲେ ମାଓ ସଂଗଠନର କୌଣସି କ୍ଷତି ହେବ ନାହିଁ।

Sambad

ମାଓ ସଂଗଠନ ପ୍ରତି ଲୋକଙ୍କର ସମର୍ଥନ ଯତେଷ୍ଟ ରହିଛି। କରୋନା କାଳରେ ସଶକ୍ତ ହୋଇଛି ମାଓ ସଂଗଠନ। ତେବେ ମାଓ ନେତା ରାମାନ୍ନାର ମୃତ୍ୟୁ ପରେ କିଏ ଏହି ଗୁରୁଦାୟୀତ୍ବ ବହନ କରୁଛି ବୋଲି ପଚରାଯିବାରୁ ସେ ଏବେ ସେହି ନାମକୁ ଖୁଲାସା କରାଯାଇପାରିବ ନାହିଁ ବୋଲି କହିଥିଲେ। ତାହା ସଂଗଠନ ନିଷ୍ପତ୍ତି ନେବ ବୋଲି କହିଥିଲେ। ପୁଲିସ ଜଳ, ସ୍ଥଳ ଓ ଆକାଶ ଭଳି ଯେକୌଣସି ପ୍ରକାରେ ଆକ୍ରମଣ କରେ ତେବେ ତାହାର ଜାବବ ମଧ୍ୟ କଡା ଦିଆଯିବ ବୋଲି କହିଥିଲେ। ତେବେ ବୋମା ଆକ୍ରମଣ ପୂର୍ବରୁ ସେହି ଅଂଚଳରେ ତିନି ଶହ ନକ୍ସଲ କ୍ୟାମ୍ପ କରି ରହିଥିବା ସ୍ବୀକାର କରିଛନ୍ତି। ତେବେ ପୂର୍ବରୁ ସୂଚନା ପାଇ ସେହି ସ୍ଥାନ ଖାଲି କରି ଚାଲିଯାଇଥିଲେ। ଅନ୍ୟଦିଗରେ ପୁଲିସ ପାମେଡ ଗ୍ରାମ ନିକଟରେ ୧୨ଟି ବୋମା ପକାଇଥିବାରୁ ସେହି ଅଂଚଳର ଲୋକେ ଏକତ୍ର ହୋଇଥିଲେ। ପୁଲିସ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତେବେ ମାଓ ସଂଗଠନ ଭୁଷୁଡୁଛି କି ବୋଲି ପଚରାଯିବାରୁ ସେ ଏହାକୁ ମିଥ୍ୟା ପ୍ରଚାର ବୋଲି କହିଥିଲେ। ପୁଲିସ ଯେତେ ସଂଖ୍ୟାରେ ବଢୁଛନ୍ତି ମାଓବାଦୀ ମଧ୍ୟ ସେତେ ସଂଖ୍ୟାରେ ବଢୁଛନ୍ତି। ତେବେ ବୃଦ୍ଧମାନଙ୍କୁ ହିଁ ବଡ ବଡ ପଦବୀ ମିଳୁଛି ଯୁବକକୁ କାହିଁକି ନାହିଁ ବୋଲି ପଚରାଯିବାରୁ ସେ ଏହାକୁ ଅସ୍ବୀକାର କରିଥିଲେ। ବହୁ ଯୁବକ ଆମ ସଂଗଠନରେ ବଡ ବଡ ପଦବୀରେ ରହିଛନ୍ତି। ଆଗାମୀ ଦିନରେ ମଧ୍ୟ ସେମାନେ ଆଗକୁ ବଢିବେ ବୋଲି କହିଥିଲେ। ତେବେ ପୁଲିସକୁ କିନ୍ତୁ କଡା ଜବାବ ଦିଆଯିବ ବୋଲି ନକ୍ସଲ ସଂଗଠନ ଏବେ ଠାରୁ ପ୍ରସ୍ତୁତ ହେଉଥିବା କହିଛି।

ସମ୍ବନ୍ଧିତ ଖବର