କୋରାପୁଟ ଘାଟି ତଳକୁ ଓଲଟିଲା ପ୍ରୋକଲିନ୍ ସହ ଟ୍ରଲର, ଜଣେ ଗୁରୁତର

ଜୟପୁର: ଜୟପୁର କୋରାପୁଟ ଘାଟି ପାଲଟିଛି ମରଣଯନ୍ତା। ଘାଟିରେ ରହିଥିବା ଅଚାନକ ମୋଡରେ ନିୟମିତ ଜାରି ରହିଛି ଛୋଟ ବଡ ଦୁର୍ଘଟଣା। ଆଜି ସକାଳ ୬ଟା ବେଳେ କୋରାପୁଟ ଘାଟିର ସବୁ ବେଳେ ଦୁର୍ଘଟଣା ଘଟୁଥିବା ମୋଡ଼ରେ ଟ୍ରଲର ନଂ ଆରଜେ-୦୧-ଜିଏ-୯୨୦୦ଟି ଘାଟି ତଳକୁ ଖସି ପଡ଼ିଥିଲା। ଟ୍ରଲରେ ଥିବା ପ୍ରୋକଲିନ୍ ମେସିନ୍ ବି ତଳେ ଖସି ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ନାରାୟଣ ସିଂ ଗୁରୁତର ଆହାତ ହୋଇଥିଲେ। ସେ ବର୍ତ୍ତମାନ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇ ଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ବେଳେ ବିଜୟନଗରମରୁ ନବରଙ୍ଗପୁର ଜିଲ୍ଲା ଉମରକ‌ୋଟ ଠାରେ ଚାଳିଥିବା ଭାରତମାଳା ଗ୍ରୀନ କରିଡର ରାସ୍ତା ପ୍ରକଳ୍ପ କାମ ପାଇଁ ପ୍ରୋକଲିନ୍ ମେସିନ୍ ଧରି ଟ୍ରଲରଟି ଯାଉଥିଲା।  ମାଁ ଦକ୍ଷିଣକାଳୀ  ମନ୍ଦିର ପରର ପ୍ରଥମ ବିପଦସଂକୁଳ ମୋଡ(ହାର୍ଡକର୍ଭ)ରେ ଟ୍ରଲର ଟି ବୁଲୁଥିବାବେଳେ ବ୍ରେକ୍ ଫେଲ୍ ହୋଇ ଯାଇଥିଲା। ଡ୍ରାଇଭର ଜଣକ ଭାରସାମ୍ୟ ହରାଇବା ପରେ ଟ୍ରଲରଟି ରାସ୍ତା ପାର୍ଶ୍ବରେ ଥିବା ସୀମା ସୁରକ୍ଷା ବାଡ଼କୁ ପିଟି ହୋଇ ୧୫୦ଫୁଟ ଘାଟି ତଳକୁ ଖସି ପଡ଼ିଥିଲା। ସୂଚନା ପାଇବା ପରେ ବାରିଣୀପୁଟ ପାଣ୍ଡି ଅଧିକାରୀ କାମାକ୍ଷା ପ୍ରସାଦ ବିଷୋୟୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଗୁରୁତର ଡ୍ରାଇଭର ନାରାୟଣ ସିଂ ଓସାମାନ୍ୟ ଆହାତ ହେଲଫରକୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ବ୍ୟବସ୍ଥା କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଥିଲା।

ପ୍ରକାଶଯୋଗ୍ୟ, ବାରିଣୀପୁଟରୁ ଦେଓଘାଟି ପର୍ଯ୍ୟନ୍ତ ବହୁ ମୋଡ଼ ରହିଥିବା ବେଳେ ବଡ ବଡ ମୋଡରେ ବହୁ ଭାରୀଯାନ ଯାଇ ପାରୁନି। କେତେବେଳେ  ଗ୍ୟାସ ଟ୍ୟାଙ୍କର, ପିଚୁ ଟ୍ୟାଙ୍କର, କୋଇଲା ବୋଝେଇ ହାଇୱା, ଟ୍ରକ, ଟିପର ଆଦି ଦୁର୍ଘଟଣା ନିୟମିତ। ଏପରିକି ମୋଡ଼ ନିକଟରେ ଗତ କିଛି ମାସ ତଳେ କୋଇଲା ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ୨ଜଣ ମହିଳା  ଚାପି ହୋଇ ମରିଯାଇଥିଲେ।  ଏଭଳି ବାରମ୍ବାର ଦୁର୍ଘଟଣାକୁ ଦୃଷ୍ଟିରେ ରଖି ୬କୋଟି ୧୪ଲକ୍ଷ ବ୍ୟୟ ବରାଦରେ ୨ଟି ବିପଦସଂକୁଳ ମୋଡ଼( ହାର୍ଡ  କର୍ଭ)କୁ  ପୁନଃସଂୟୋଜନ (ରି ଆଲାଏନମେଣ୍ଟ) କରି ମସୃଣ ବକ୍ରରେଖା(ସ୍ମୁଥ୍ କର୍ଭ) କରିବାକୁ ଏନ୍ ଏଚ୍ ପକ୍ଷରୁ ଯୋଜନା କରାଯାଇଛି। ଏଥି ପାଇଁ ଜାତୀୟ ରାଜପଥ ପକ୍ଷରୁ ମୋଡ଼ ଗୁଡିକ ନିକଟରେ ଥିବା ୫୪ଟି ବିଭିନ୍ନ ଗଛ ଗୁଡିକୁ କଟାଯାଇଛି। ଅତି ଶୀଘ୍ର ଏହି ଦୁଇ ଏବଂ ବଡ଼ ମୋଡ଼କୁ ପୁନଃସଂୟୋଜନ (ରି ଆଲାଏନମେଣ୍ଟ) କରି ମସୃଣ ବକ୍ରରେଖା(ସ୍ମୁଥ୍ କର୍ଭ) କରିବାକୁ ଯୋଜନା ଏନଏଚ ପକ୍ଷରୁ କରାଯାଇଛି। ଏହି କାମ ପାଇଁ ଟେଣ୍ଡର ତେଲେଙ୍ଗାନ୍ନାର ଅମିଭା ଆସୋସିଏସଟସ୍ ନାମକ ଠିକା ସଂସ୍ଥା ୬କୋଟି ୩୫ଲକ୍ଷରେ ଏହାକୁ ନିର୍ମାଣ କରିବାକୁ ଠିକା ନେଇଛି। ନିୟମିତ ଭାବେ ଛୋଟ ବଡ ଦୁର୍ଘଟଣା ଜାରୀ ରହିଥିବାରୁ ଠିକା ସଂସ୍ଥା ତୁରନ୍ତ ଏହି କାମ ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

 

 

 

ସମ୍ବନ୍ଧିତ ଖବର