ଅର୍ଜୁନ ହତ୍ୟାକାଣ୍ଡ: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ

ପୁରୀ : ସଦର ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପାଟଣା ଆଖଣ୍ଡଳମଣି ମନ୍ଦିର ନିକଟରେ ଗତ ୩୧ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିବା ଅର୍ଜୁନ ବରାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ବସ୍ତିଆ ଧରାପଡ଼ିଛି। ଗତ ରାତିରେ ପୁଲିସ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରୁ ତାକୁ ଧରିବାରେ ସକ୍ଷମ ହୋଇଛି। ପ୍ରସନ୍ନକୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ବୀରହରେକୃଷ୍ଣପୁର ଗୋଲା ସାହିର ଅର୍ଜୁନଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଜେରା କାଳରେ ପାଇଥିବା ସୂଚନା ଅନୁସାରେ ପୂର୍ବରୁ ପ୍ରସନ୍ନର ପ୍ରେମିକାକୁ ଅର୍ଜୁନ ପ୍ରେମ ଜାଲରେ ଫସାଇଥିଲା। ଏହାକୁ ପ୍ରସନ୍ନ ସହଜରେ ଗ୍ରହଣ କରିନଥିଲା। ଏହି କାରଣକୁ ନେଇ ଉଭୟ ପ୍ରସନ୍ନ ଓ ଅର୍ଜୁନ ମଧ୍ୟରେ ବିବାଦ ଦେଖାଯାଇଥିଲା। ଏହି ବିବାଦ ଘନେଇବାରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପ୍ରସନ୍ନ ଓ ତା’ର ସାନଭାଇ ବୁରୁନ୍ଦି ବସ୍ତିଆକୁ ଅର୍ଜୁନ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଉଭୟ ପ୍ରସନ୍ନ ଓ ବୁରୁନ୍ଦି ଆହତ ହୋଇଥିଲେ। ଏହି ମାମଲାରେ ଅର୍ଜୁନ ଜେଲ ଯାଇଥିଲା। ସେହିପରି ଗ୍ରାମରେ କୃଷ୍ଣ ଭୂୟାଁ ସହିତ ମଧ୍ୟ ଅର୍ଜୁନର ବିବାଦ ରହିଥିଲା।

ସମ୍ବନ୍ଧିତ ଖବର