କଳାହାଣ୍ଡି ଜିଲ୍ଲାରେ ବର୍ଷା ଓ କୋହଲା ପାଗ: ମଣ୍ଡିରେ ଭିଜୁଛି ଧାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଝିପି ଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ବିଭିନ୍ନ ମଣ୍ଡିରେ ଧାନ ଭିଜୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ୧୩୩ଟି ମଣ୍ଡିରୁ ପ୍ରାୟ ୧୦୦ଟି ମଣ୍ଡିରେ ଛାଉଣୀ ନ ଥିବା ଯୋଗୁଁ ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଓ ଅନ୍ୟ ପଟେ ଝିପି ଝିପି ବର୍ଷା ଚାଷୀ ମୁଣ୍ଡରେ ଚଡକ ପଡିଛି । ଧାନରେ ଆଦ୍ରତା ଦର୍ଶାଇ ମିଲର୍ସମାନେ ବ୍ୟାପକ କଟନୀ ଛଟନୀ କରୁଥିବା ନେଇ ଚାଷୀ ମହଳରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ରେ ୪ ମିମି, ଥୁଆମୂଳ ରାମପୁର ବ୍ଳକରେ ୨୯ ମିମି, ଧର୍ମଗଡ଼ ବ୍ଲକ ରେ ୨୦ ମିମି, କଲମପୁର ବ୍ଲକ ରେ ୧୫.୪ ମିମି, ଜୟପାଟଣା ବ୍ଲକ ରେ ୨୫ ମିମି, କୋକସରା ବ୍ଲକ ରେ ୩ ମିମି, ଗୋଳାମୁଣ୍ଡା ବ୍ଲକ ରେ ୧୮ ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି । ଆଜି ମଧ୍ୟ ବିଭିନ୍ନ ବ୍ଲକ ରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଦେଖା ଦେଇଛି । ଗତକାଲି ଜୁନାଗଡ଼ ଓ ଧର୍ମଗଡ଼ ଅଞ୍ଚଳରେ ବର୍ଷା ହୋଇଥିଲା । ଫଳରେ ଜୁନାଗଡ଼ ବ୍ଲକ ର ଚିଲଗୁଡା ଓ ଚିଲକପୁର, ଧର୍ମଗଡ଼ ବ୍ଲକ ର ଖଇର ପଦର, ବୋଡେନ, ନନ୍ଦ ଗାଁ ମଣ୍ଡିରେ ଧାନ ଭିଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ୧୩୩ ଟି ମଣ୍ଡି ମଧ୍ୟରୁ ୧୨୩ ଟି ମଣ୍ଡି ଆରମ୍ଭ ହୋଇଛି । ୧୩୩ ଟି ମଣ୍ଡି ମଧ୍ୟରୁ ପ୍ରାୟ ୩୩ ମଣ୍ଡିରେ ଛାଉଣୀ ଥିବା ବେଳେ ପ୍ରାୟ ୧୦୦ଟି ମଣ୍ଡି ଖୋଲା ଆକାଶ ତଳେ ଚାଲିଛି । ଆରଏମସି ମାନଙ୍କ ପକ୍ଷରୁ ଟିକସ ଆଦାୟ କରାଯାଉଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି । ଫଳରେ ବର୍ଷ ବର୍ଷ ଧରି ଧାନ ମଣ୍ଡିରେ ଛାଉଣୀ ମଧ୍ୟ ନିର୍ମାଣ କରାଯାଉ ନ ଥିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମଣ୍ଡିମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବା ଜଗ ଚାଷୀଙ୍କ ପାଇଁ କୌଣସି ସୁବିଧା ମିଳି ପାରି ନାହିଁ । ଖୋଲା ଆକାଶ ତଳେ ମଣ୍ଡି ଚାଲି ଥିବା ଯୋଗୁଁ ୪୪ ଡିଗ୍ରି ଖରାରେ ଚାଷୀ ମଣ୍ଡିରେ ସିଝୁ ଥିବାବେଳେ ବର୍ତ୍ତମାନ ଝିପି ଝିପି ବର୍ଷା ଯୋଗୁଁ ଧାନକୁ ସୁରକ୍ଷା ଦେବାକୁ ଚାଷୀ ମାକେଦମ ହୋଇଛି । ମଣ୍ଡି ମାନଙ୍କରେ ଧାନ ଭିଜିବା ଯୋଗୁଁ କଟନୀ ଛଟନୀ ର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆରଏମସି ମାନଙ୍କ ପକ୍ଷରୁ ତାରପୋଲିନ ପ୍ରଦାନ କରାଯାଉଥିବା ବେଳେ ଏହା ସମୁଦ୍ର କୁ ଶଙ୍ଖେ ଅଟେ । କଟନୀ ଛଟନୀ ଯୋଗୁଁ ଚାଷୀ ଏବେ ମଣ୍ଡିରେ ଏବେ ମୁଣ୍ଡ ରେ ହାତଦେଇ ବସିଛି । ମିଲର୍ସ ମାନେ ଗତ ଖରିଫ ମଣ୍ଡିରେ ନେଇଥିବା ଅଖା ଫେରାଇ ନ ଥିବା ବେଳେ ବର୍ତ୍ତମାନ ମିଲର୍ସ ଅଖା ନାହିଁ କହି ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ କରୁଛି । ଆହୁରି ୧୫ ଦିନ ପରେ ମୌସୁମୀ ବର୍ଷା ଆସିବାକୁଥିବା ବେଳେ ୧୩୩ ଟି ମଣ୍ଡିରୁ ୧୨୩ ଟି ମଣ୍ଡି ଖୋଲିଛି । ଅନ୍ୟ।ମଣ୍ଡି ଗୁଡିକ କେବେ ଖୋଲିବ ସେନେଇ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ମିଲର୍ସ ଓ ଦଲାଲ ଙ୍କ କବଜାରେ ମଣ୍ଡି ଥିବା ଜଗ ଚାଷୀ ଚକ୍ରବ୍ୟୁହରେ ପଡି ଅଣ୍ଡର ରେଟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର