ରାୟଗଡା: ଗାଁଟିର ନାମ କାହ୍ନୁଗୁଡ଼ା। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ବଣ ପାହାଡ ଆଉ ପାହାଡି ଝରଣା ଘେରା ଜନବସତିଟିଏ।ଯେଉଁଠି ପ୍ରାୟ ୧୮୦ ରୁ ଉର୍ଦ୍ଧ ପରିବାର ବାସ କରନ୍ତି। ଗାଁଟିର ଭୌଗୋଳିକ ସ୍ଥିତି ବହୁତ୍ ମନଲୋଭା।ଗାଁର ପଛ ପାର୍ଶ୍ଵରେ ବିଶାଳ ନଭଶ୍ଚୁମ୍ବି ପାହାଡ଼ ଆଉ ସମ୍ମୁଖ ଭାଗରେ କୁଳୁ କୁଳୁ ନାଦ କରି ବହି ଯାଉଥିବା ନଦୀଟିଏ ରହିଛି। ସାଧାରଣ ମଣିଷଟିର ଆଖିକୁ ସୁଖ ଦେଲା ଭଳି ଚିତ୍ର ଟିଏ। କିନ୍ତୁ ବାସ୍ତବରେ ଏହି ସୁଖଦ ଚିତ୍ର ହିଁ ଅସଲି ସମସ୍ୟାର କାରଣ ଭାବେ ଦଣ୍ଡାୟମାନ ହୋଇ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତବର୍ଷର ଅନେକ ଜଙ୍ଗଲ ପାହାଡ଼ ଘେରା ଗାଁ ଭଳି ଏହି ଗାଁରେ ସରକାରୀ କୋଠା ତ ଅଛି ହେଲେ ବ୍ୟବସ୍ଥାପକ ନାହାନ୍ତି। ଅର୍ଥାତ ଅଙ୍ଗନୱାଡ଼ି ଘର ଅଛି ହେଲେ ଦିଦି ଆସୁ ନାହାନ୍ତି, ସ୍କୁଲ ଅଛି ଶିକ୍ଷକ ଆସୁ ନାହାନ୍ତି, ସ୍ବାସ୍ଥ୍ୟ କେନ୍ଦ୍ର ଅଛି ହେଲେ ଚିକିତ୍ସକ ଆସୁ ନାହାନ୍ତି।ଏତେ ବଡ଼ ନଦୀଟିଏ ଗାଁକୁ ଲାଗି ବୋହି ଯାଉଛି ହେଲେ ପିଇବା ଲାଗି ବିଶୁଦ୍ଧ ପାଣିର ବ୍ୟବସ୍ଥା ନାହିଁ।ଏହି ସବୁ ନାହି ଆଉ ନାହାନ୍ତି ର କାରଣ ହେଉଛି ଏହି ନଦୀ ର ଜଳ,ଯାହା ପାଇଁ ଏହି ଗାଁକୁ କେହି ଆସିବା ପାଇଁ ପ୍ରସ୍ତୁତ ନୁହନ୍ତି।କାରଣ ଗାଁକୁ ଯିବାକୁ ହେଲେ ଅଥବା ଗାଁରୁ ବାହାରକୁ ଆସିବା ପାଇଁ ହେଲେ ନଦୀ ପାର ହୋଇ ଯିବା ଆସିବା କରିବାକୁ ପଡେ।ଖରା ଦିନରେ ଆଣ୍ଠୁଏ ଉଚ୍ଚର ପାଣି ବୋହୁଥାଏ,ଆଉ ବର୍ଷା ଦିନରେ ତ ପାଣିର ଶ୍ରୋତ ଉଗ୍ରରୂପ ନିଏ।
ଫଳ ସ୍ୱରୂପ ଗାଁରେ ଉତ୍ପାଦିତ ହେଉଥିବା ଦ୍ରବ୍ୟକୁ ବି ଗାଁ ଲୋକ ଠିକ୍ ସମୟରେ ବଜାର ନେଇ ପାରନ୍ତି ନାହି କି ସେହି ଦ୍ରବ୍ୟର ଉଚିତ୍ ମୂଲ୍ୟ ମଧ୍ୟ ପାଇ ପାରନ୍ତି ନାହି।ଏତଦ୍ୱରା ଭାତହାଣ୍ଡି ଆଉ ଜୀବନ ଶୈଳୀ ସବୁକିଛି ସିଧା ସଳଖ ବର୍ବାଦ୍ ମୁହଁରେ।ଏମିତି ନୁହେଁ କି ଏହି ସମସ୍ୟାର ସମାଧାନ ଲାଗି ଗାଁ ଲୋକ ଚେଷ୍ଟା କରିନାହାନ୍ତି।ଗାଁ କୂଳରେ ବୋହି ଯାଉଥିବା ନଦୀ ମଧ୍ୟରେ ବନ୍ଧଟିଏ ବାନ୍ଧିବା ପାଇଁ ଏହି ଗାଁର ଲୋକ ଅତୀତରେ ବହୁତ୍ ଚେଷ୍ଟା କରିଛନ୍ତି ।କେତେବେଳେ ବିଡିଓଙ୍କୁ ଗୁହାରି ଲଗାଇଛନ୍ତି ତ କେତେବେଳେ ଜନ ପ୍ରତିନିଧିଙ୍କୁ ନେହୁରା ହୋଇଛନ୍ତି।ପୁଣି ଜିଲ୍ଲା ପ୍ରଶାସନର ଦୁଆରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଛନ୍ତି।ହେଲେ ବନ୍ଧଟିଏ ବାନ୍ଧିବା ପାଇଁ ବା ନଦୀ ରେ ବ୍ରିଜଟିଏ କରିବା ପାଇଁ ପ୍ରଶାସନିକ ଅବହେଳା ସବୁବେଳେ ଶୀର୍ଷ ରହିଛି।
ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ମୌଳିକ ସୁବିଧା ନପହଞ୍ଚିବାରୁ ଗାଁର ଉନ୍ନତି ପାଇଁ ମଙ୍ଗ ଧରନ୍ତି ସମାଜସେବୀ ବଳରାମ ପଣ୍ଡା।ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ପୂର୍ବରୁ ଗାଁ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ ଜାଗ୍ରତ ଲାଗି ସହଜୀବନ ପକ୍ରିୟା ଆରମ୍ଭ କରନ୍ତି ବଳରାମ।ଯେଉଁ ଗାଁକୁ ପାଖ ଗାଁର ଲୋକ ମଧ୍ୟ ଯାଆନ୍ତି ନାହି ସେହି ଗାଁକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାଥୀମାନଙ୍କୁ ଡାକି ଆଣି ଏକ ସାଙ୍ଗରେ ବଞ୍ଚିବା ଲାଗି ବ୍ୟବସ୍ଥା କରନ୍ତି। ଆଉ ଗାଁ ଲୋକଙ୍କ ଭିତରେ ଏକ ଅପୂର୍ବ ସାହାସ ଆଉ ଧୈର୍ଯ୍ୟ ଶକ୍ତିର ପୁନଃ ଜାଗରଣ କରାନ୍ତି।ଗାଁ ଲୋକଙ୍କୁ ଶିଖାନ୍ତି ଏକତା,ସତ୍ୟ,ଅଂହିସାର ମନ୍ତ୍ର ଓ ଏହା ସହିତ ସହଜୀବନର ଆବଶ୍ୟକତା।ବଳରାମଙ୍କ ନେତୃତ୍ବରେ ଗାଁର ଆବାଳ ବୃଦ୍ଧବନିତା ପୁନଃ ଏକାଠି ହୁଅନ୍ତି।ନିଜର ଅଧିକାର ଲାଗି ଅନ୍ତିମ ଲଢେଇ କରିବା ପାଇଁ ଅର୍ଥାତ *ସତ୍ୟାଗ୍ରହ* ମାଧ୍ୟମରେ ନିଜର କଥା ପ୍ରଶାସନ ଆଗେ ପହଁଚେଇବାର ବ୍ୟବସ୍ଥା।
ଏଇଠୁ ଆରମ୍ଭ ହୁଏ ଆଉ ଏକ ସତ୍ୟାଗ୍ରହର ଗାଥା…
ଜାନୁଆରୀ ମାସର ଘନ କୁହୁଡି ଆଉ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଖୋଲା ଆକାଶ ତଳେ ଏକାଠି ହୁଅନ୍ତି ଗାଁର ସମସ୍ତ ମଣିଷ।ଯେଉଁଠି ନିଷ୍ପତ୍ତି ହୁଏ ଗାଁ ଠାରୁ କାଶିପୁର ବ୍ଲକ ଯାଏଁ (୨୨କିମି) ପଦଯାତ୍ରା କରାଯିବ।ଯେଉଁ ପଦଯାତ୍ରାରେ ନା ରହିବ ଶକ୍ତି ସାମର୍ଥ୍ୟର ଉଦଣ୍ଡ ନୃତ୍ୟ ନା ରହିବ ଠେଙ୍ଗା ବାଡି ଲାଠିର ପ୍ରଦର୍ଶନୀ।ସମ୍ପୂର୍ଣ ଅଂହିସା ମାର୍ଗରେ ପଦଯାତ୍ରା ଅନୁଷ୍ଠିତ ହେବ ଆଉ ପ୍ରଶାସନ ଠାରୁ ନିଜ ମୌଳିକ ଅଧିକାରକୁ ଛଡେଇ ଆଣିବା ଯାଏଁ ଧାରଣା ଦିଆଯିବ।ସମସ୍ତେ ଏକମତ ହୁଅନ୍ତି।ଏହି ନିଷ୍ପତିରେ ଜାନୁଆରୀ ୨୪ ତାରିଖକୁ ପଦଯାତ୍ରା ଆରମ୍ଭ କରାଯିବାର ନିଷ୍ପତ୍ତି ହୁଏ। କିନ୍ତୁ ଆଉ ଏକ ସମସ୍ୟା ଥିଲା ଯେ ଏତେ ଲୋକ ପିଲାଛୁଆ , ମହିଳା , ବୃଦ୍ଧ ଏତେ ବାଟ ଚାଲି ଚାଲି ଯିବେ ପୁଣି ସେଠି ଅନିର୍ଦ୍ଧିଷ୍ଟ କଳା ଯାଏଁ ଧାରଣା ବି ଦେବେ ତାହାଲେ ସେହି ସମୟରେ ଖାଦ୍ୟ ପାନୀୟ ର ବ୍ୟବସ୍ଥା ଲାଗି ସମ୍ବଳ କୋଉଠୁ ଆସିବ ?ଏହି ସମସ୍ୟା ର ସମାଧାନ ବି ସତ୍ୟାଗ୍ରହ ରେ ଲୁଚିକରି ଥିଲା ଯାହାକୁ ଖୋଜି ଆଣି କାର୍ଯ୍ୟକାରୀ କରିବାରେ ସଫଳ ହେଲେ ବଳରାମ।ଅର୍ଥାତ୍ ମୁଷ୍ଠିଭିକ୍ଷାର ବ୍ୟବସ୍ଥା।ପଦଯାତ୍ରା ବା ଆନ୍ଦୋଳନର ଆରମ୍ଭ ପୂର୍ବରୁ ଗାଁର ସମସ୍ତ ଲୋକ ନିଜ ନିଜର ସକ୍ଷମ ଅନୁସାରେ ଆଣି ଦେଇଥିଲେ ଟଙ୍କା ପଇସା ଆଉ ଖାଦ୍ୟଶସ୍ୟ।ସତରେ ଅପୂର୍ବ ଥିଲା ସେ ଦୃଶ୍ୟ …
ସବୁ ବ୍ୟବସ୍ଥା ପରେ ଜାନୁଆରୀ ୨୪ ତାରିଖର କୋହଲା ପାଗରେ ଆରମ୍ଭ ହୋଇଥିଲା ପଦଯାତ୍ରା, ଯାହା ସକାଳର ଉଦିତ ସୂର୍ଯ୍ୟକିରଣରୁ ଆରମ୍ଭ ହୋଇ ସନ୍ଧ୍ୟାର ଅସ୍ତଗାମୀ ସୂର୍ଯ୍ୟକିରଣ ସହିତ ସମାପ୍ତ ହୋଇଥିଲା। ଏହା ପୂର୍ବରୁ ଯେଉଁ ପ୍ରଶାସନ କାମ କରିବା ତ ଦୂରର କଥା ଲୋକଙ୍କ ସମସ୍ୟା ବି ଶୁଣୁ ନଥିଲ , ସେହି ପ୍ରଶାସନ ପଦଯାତ୍ରାର ପୂର୍ବ ଦିନ ସନ୍ଧ୍ୟାରେ ହିଁ ଗାଁ ସ୍କୁଲକୁ ଶିକ୍ଷକ ବ୍ୟବସ୍ଥା କରିଦେଇଥିଲେ, ପିଇବା ପାଣି ଲାଗି ଗୋଟିଏ ନୁହେଁ ତିନୋଟି ଗଭୀର ନଳକୂପ ଖୋଳାଇବା ଲାଗି ଗାଡ଼ି ପଠାଇଥିଲେ। କିନ୍ତୁ ମୂଳ ସମସ୍ୟା ବ୍ରିଜ ଲାଗି କିଛି ବ୍ୟବସ୍ଥା କରି ନଥିଲେ। ତେଣୁକରି ଗାଁ ଲୋକ କାଶିପୁର ବ୍ଲକ ଆଗେ ଆରମ୍ଭ କଲେ ଦିବାରାତ୍ର ଧାରଣା, ନୀରବ ପ୍ରତିବାଦ।ସେହି ଦିନ ରାତିର ବର୍ଷା ଯେମିତି ମନୋବଳକୁ ଦୁଇଗୁଣିତ କରୁଥିଲା। ରାତିରେ ସମସ୍ତ ମୁହଁରେ ଥିବା ଗାନ୍ଧୀଜୀଙ୍କ ରାମଧୁନ। ୩୬ ଘଣ୍ଟାର ଧାରଣା ପରେ ଆସି ପହଞ୍ଚିଲେ ରାୟଗଡ଼ା ଉପ ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେଇ ଗଲେ କି ଆସନ୍ତା ଫେବ୍ରୁଆରି ୧ ତାରିଖ ପୂର୍ବରୁ ସବୁ ସମସ୍ୟାର ସମାଧାନ କରାଯିବ ଓ ୧୫ ଦିନ ମଧ୍ୟରେ ନଦୀରେ ବ୍ରିଜ ତିଆରି କାର୍ଯ୍ୟ ଆରମ୍ଭ ହେବ। ସତ୍ୟାଗ୍ରହ ଏଠାରେ ସମାପ୍ତ ହୋଇଥିଲା।