ରାୟଗଡ଼ାରେ ଡେଙ୍ଗୁ ଆତଙ୍କ:ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଆଣିବା ଦାବି

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଗତ ଦୁଇ ମାସ ହେଲା ଡେଙ୍ଗୁ ଜ୍ୱର ଥମିବାର ନାଁ ନେଉନାହିଁ। କିନ୍ତୁ ଏହାର ନିରାକରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଡେଙ୍ଗୁ ସ୍ଥିତି ସଂପର୍କରେ ପ୍ରକାଶ କରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡିଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୪୦କୋଟି ଟଙ୍କା ବିନିଯୋଗ କରିଥିଲେ ମଧ୍ୟ ଲୋକେ ଏହାର ସୁଫଳ ପାଇପାରୁ ନାହାନ୍ତି।

ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଶିକାର ନିରିହ ଲୋକ ହେଉଥିବା ବେଳେ ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ। ତୁରନ୍ତ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର କିମ୍ବା କଟକ ମେଡିକାଲରୁ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳକୁ ଆଣିବା ଏବଂ ବାହାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରୁ ବୋଲି ଡିସିସି ସଭାପତି ଦାବି କରିଛନ୍ତି। ଏହି ଅବସରରେ କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଭେଟି ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଆଲୋଚନା ସମୟରେ ଉପସଭାପତି ସୁନୀଲ ପଣ୍ଡା, ଯୁବ କଂଗ୍ରେସ ନେତା ରାୱଲା ମାଝି, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର