ଝିଅକୁ କମେଣ୍ଟ, ମା ଓ ଭାଇକୁ ମାଡ଼!:ରୋମିଓ ଥାନାରେ ଅଟକ

ସମ୍ବଲପୁର:ମଂଗଳବାର ଅପରାହ୍‌ଣ ୨ଟାରେ ଅଇଁଠାପାଲି ରିଲାଏନ୍ସ ଟ୍ରେଣ୍ଡ ସପିଂ ମଲ୍‌ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝିଅକୁ କମେଣ୍ଟ ମାରିବାର ପ୍ରତିବାଦ କରିବାରୁ ଦଶରଥ ସାହୁ ନାମକ ଜଣେ ଯୁବକ ସଂପୃକ୍ତ ଯୁବତୀଙ୍କ ମା ଓ ଭାଇଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି। ଫାଟକ ଅଂଚଳର ଜଣେ ଅଣଓଡ଼ିଆ ଯୁବତୀଙ୍କୁ ଦଶରଥ ପ୍ରାୟତଃ ପିଛା କରୁଥିଲା। ଦଶରଥ କୁଆଡ଼େ ସଂପୃକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା। ଯୁବତୀ ଜଣକ ଆଜି ତାଙ୍କ ମା ଓ ଭାଇଙ୍କ ସହ ଅଇଁଠାପାଲି ଅଂଚଳକୁ ସପିଂ ଯାଇଥିବା ବେଳେ ଦଶରଥ ସେମାନଙ୍କ ପଛେ ପଛେ ସେଠାରେ ପହଂଚି ଯାଇଥିଲା। ଯୁବତୀଙ୍କୁ କମେଣ୍ଟ ମାରିବାରୁ ତାଙ୍କ ମା’ ଓ ଭାଇ ଏହାର ପ୍ରତିବାଦ କରିଥିଲେ। ଏଥିରେ ଦଶରଥ ଉତ୍ତେଜିତ ହୋଇ ପାଲଟା ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତି ଦେଖି ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିଥିଲେ। ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ଦଶରଥକୁ ଅଇଁଠାପାଲି ଥାନାରେ ଅଟକ ରଖାଯାଇଥିବା ନେଇ ପୁଲିସ୍‌ ସୂତ୍ରରୁ ପ୍ରକାଶ। ସମ୍ବଲପୁରରେ ଏବେ ଷ୍ଟ୍ରିଟ୍‌ ରୋମିଓଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ରାସ୍ତାରେ ଓ ସପିଂ ମଲ୍‌ ଅଂଚଳରେ ଷ୍ଟ୍ରିଟ୍‌ ରୋମଓ ଆଡ୍ଡା ମାରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର