ବେଆଇନ ଧାନ କାରବାରର ଫିଟୁଛି ଗୁମର, ସେରସୁଆଁତଲରେ ଧରା ପଡ଼ିଲା ସନ୍ଦିଗ୍ଧ ଧାନ ଗାଡ଼ି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସେରସୁଆଁତଲରେ ବାହାରୁ ଆସିଥିବା ଏକ ଧାନ ବୋଝେଇ ଟ୍ରକ ଧରା ପଡ଼ିଛି। ସକାଳେ ବାହାର ଜିଲ୍ଲାର ଆଉ ଦୁଇଟି ଟ୍ରକ ଯାଇଥିବା ମଧ୍ୟ ଜଣା ପଡ଼ିଛି। ଚାଷୀ ସଙ୍ଗଠନର କର୍ମକର୍ତ୍ତାମାନେ ଏହାକୁ ଧରିବା ପରେ ଯୋଗାଣ ବିଭାଗର ଜିମା ଦେଇଛନ୍ତି। କେଉଁ ମିଲକୁ ଏହି ଟ୍ରକ ଯାଉଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଏଥିରେ ଯେଉଁ ମିଲ୍‌ର ସଂପୃକ୍ତି ରହିଛି ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଧାନ ସଂଗ୍ରହ ପ୍ରକ୍ରିୟାରୁ ତାକୁ ବାଦ ଦେବା ପାଇଁ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ଦାବି କରିଛି। ସୂଚନା ଅନୁଯାୟୀ, ଧାନ ସଂଗ୍ରହ ସମୟରେ ବାହାର ଜିଲ୍ଲାରୁ ଧାନ ସଂଗ୍ରହ ନ କରିବା ପାଇଁ ଆରମ୍ଭରୁ ହିଁ ଦାବି କରି ଆସୁଛି ସମ୍ବଲପୁର ଚାଷୀ ସଙ୍ଗଠନ। ଏପରିକି ୨ ଦିନ ପୂର୍ବରୁ ସଙ୍ଗଠନ ଚେତାବନୀ ମଧ୍ୟ ଦେଇଥିଲା ଯେ ଯେଉଁଠି ବାହାର ଜିଲ୍ଲାର ଧାନ ଧରା ପଡ଼ିବ ତାକୁ ଜବତ କରାଯିବ। ସେହି ମିଲର୍‌ଙ୍କୁ ମଧ୍ୟ ସଙ୍ଗଠନ ଛାଡ଼ିବ ନାହିଁ।

ଧାନ ସଂଗ୍ରହ ଚାଲୁ ଥିବାରୁ ସମ୍ବଲପୁରର କୌଣସି ମିଲ୍‌କୁ ବାହାର ଜିଲ୍ଲା ସହିତ ଟ୍ୟାଗ ମଧ୍ୟ କରାଯାଇ ନାହିଁ। ଅନ୍ୟ ଦିଗରେ ରାଜ୍ୟ ସରକାର ମଧ୍ୟ ଛତିଶଗଡ଼ରୁ ଆସୁଥିବା ଧାନ ଜଗିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ରାତିରେ ସୁନ୍ଦରଗଡ଼-ବାମରା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ସେରସୁଆଁତଲ ଦେଇ ଏକ ସଂନ୍ଦିଗ୍ଧ ଧାନ ବୋଝେଇ ଟ୍ରକ ଯାଉଥିବା ସ୍ଥାନୀୟ ଚାଷୀ ସଙ୍ଗଠନର ଦେବେନ୍ଦ୍ର ପ୍ରଧାନ, ଶାନ୍ତନୁ ପ୍ରଧାନ, ଜଗଦାନନ୍ଦ ନାୟକ, ବିପିନ ଭୋଇ, ଉପିନ୍ଦ୍ର ପ୍ରଧାନ, ବାବଲୁ ଦେହେରୀ ଦେଖି ଅଟକାଇ ଥିଲେ। ଶାସନ ଥାନା ପୁଲିସକୁ ଡକାଇ ଧାନ କାହାର, କେଉଁଠିକୁ ଯାଉଥିଲା, ଏ ସଂକ୍ରାନ୍ତ ଆବଶ୍ୟକ କାଗଜପତ୍ର ମଗାଯାଇ ଥିଲା। ମାତ୍ର ଗାଡ଼ି ଚାଳକ କୌଣସି ଦସ୍ତାବେଜ ଦେଖାଇ ପାରି ନଥିଲେ। ଏଥି ଯୋଗୁଁ ଏହା ବେଆଇନ ଧାନ କାରବାର ହୋଇଥିବା ସନ୍ଦେହ ଦୃଢୀଭୂତ ହୋଇଛି। ଯୋଗାଣ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା ଜାରି କରିଛନ୍ତି। ତଦନ୍ତ ପରେ ଘଟଣାର ଗୁମର ଖୋଲିବ। ସୀମାନ୍ତବର୍ତ୍ତୀ ଅଞ୍ଚଳ ସହିତ ବିଭିନ୍ନ ଗୋଦାମରେ ବାହାର ଜିଲ୍ଲାର ଧାନ କାରବାର ହେଉଥିବା ସନ୍ଦେହ କରାଯାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର