ଝାରସୁଗୁଡ଼ା ଜିଲ୍ଲା ଷ୍ଟାଡିୟମ ନିର୍ମାଣ ସଂପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ, ଖର୍ଚ୍ଚ ହେଲାଣି ୧୫ କୋଟି

ଅତିରିକ୍ତ ୮ କୋଟି ମଞ୍ଜୁର, ୨୦୧୮ରେ ନିର୍ମାଣ ସଂପୂର୍ଣ୍ଣ ହେବା କଥା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପରେପରେ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରାଯିବାକୁ ଅନେକ ଉଦ୍ୟମ ହୋଇଛି। ଶିଳ୍ପ ସହିତ ଜିଲ୍ଲାରେ ପର୍ଯ୍ୟାପ୍ତ କୋଇଲା ଖଣି ଥିବାବେଳେ ଜିଲ୍ଲା ଖଣିଜ ପାଣ୍ଠି, ଏମ୍‌ସିଏଲ୍ ସିଏସ୍ଆର୍, ବେଦାନ୍ତ ସିଏସ୍ଆର ପ୍ରଭୃତି ଖର୍ଚ୍ଚ କରାଯାଇ ଜିଲ୍ଲାର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ କ୍ଷେତ୍ରରେ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ଧରଣର ଉନ୍ନତି ଆଣିବା ପାଇଁ ଏମ୍‌ସିଏଲ୍ ପକ୍ଷରୁ ପ୍ରଦତ୍ତ ପାଣ୍ଠିରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ଅତ୍ୟାଧୁନିକ ‘କାର୍ଡ଼ିଆକ କେୟାର ହସ୍ପିଟାଲ’ ନିର୍ମାଣ କରାଯାଉଛି।

ବେଦାନ୍ତ କାରଖାନାର ଆର୍ଥିକ ସହାୟତାରେ ୧୫ କୋଟି ଟଙ୍କା ଖର୍ଚ୍ଚରେ ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ନିର୍ମାଣ ଚାଲିଛି। ଏମ୍‌ସିଏଲ୍ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏକ ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ତ ନିର୍ମାଣ ଚାଲିଛି। ତେବେ ନିର୍ମାଣକାରୀ ସଂସ୍ଥା ମାନଙ୍କ ବେପରୁଆ ମନୋଭାବ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଏହି ବିରାଟ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା ପାଇଁ ମଧ୍ୟ କୋଟିକୋଟି ଟଙ୍କା ବିନିଯୋଗ କରାଯାଇଛି। ମାତ୍ର ଏହାର ସିଂହଭାଗ ଅର୍ଥ ଠିକାଦାର ଓ ନିର୍ମାଣକାରୀ ବିଭାଗ ପକେଟକୁ ଚାଲି ଯାଉଥିବା ବେଳେ ପ୍ରକଳ୍ପ ଗୁଡ଼ିକ କଚ୍ଛପ ଗତିରେ ବର୍ଷବର୍ଷ ଧରି ଛାଲିଥିବା ଦେଖିବାକୁ ମିଳୁଛି। ଅହେତୁକ ବିଳମ୍ବ ଦୁର୍ନୀତିର କାରଣ ହୋଇଥିବା ବେଳେ ଏହି ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ପ୍ରଶାସନିକ ସ୍ତରରେ ଆଦୌ ଉଦ୍ୟମ କରାଯାଉନଥିବା ଦେଖା ଯାଉଛି।

Sambad

ଝାରସୁଗୁଡ଼ା ବାଲିଯୋରି ଠାରେ ଏକ ଅତ୍ୟାଧୁନିକ ଜିଲ୍ଲା ଷ୍ଟାଡିୟମ ନିର୍ମାଣ ସମସ୍ତ ବିଳମ୍ବ ପ୍ରକ୍ରିୟାକୁ ଟପି ଯାଇଥିବା ଜଣାଯାଇଛି। ୨୦୧୬ ମସିହାର ଏହି ପ୍ରକଳ୍ପ ୨୦୧୮ରେ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୨୦୨୧ ସରିଯିବାକୁ ବସିଥିଲେ ମଧ୍ୟ ଏହି କାମ ଆଗଉ ନାହିଁ। ଜିଲ୍ଲାରେ କ୍ରିଡ଼ାର ବିକାଶ ପାଇଁ ଏଠାରେ ଏକ ବୃହତ ଜିଲ୍ଲା ଷ୍ଟାଡିୟମ ନିର୍ମାଣ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଂଗ୍ରେସ ବିଧାୟକ ଥିବା ବେଳେ ଉଦ୍ୟମ ଆରମ୍ଭ କରିଥିଲେ। ଏହା ତାଙ୍କର ‘ଡ୍ରିମ ପ୍ରୋଜେକ୍ଟ’ ମଧ୍ୟରୁ ଅନ୍ୟତମ ଅଟେ। ଏଥିପାଇଁ ଏମ୍‌ସିଏଲ୍ ୧୮ କୋେଟି ୩୦ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରିଥିଲା। ଏଥିପାଇଁ ୨୦୧୬ ମସିହାରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ଓ କାମ ଆରମ୍ଭ ହୋଇଥିଲା। ୧୫ କୋଟି ୬୪ ଲକ୍ଷ ୮୬ ହଜାର ଟଙ୍କାରେ ଏହି କାମ ଚୁକ୍ତନାମା ସ୍ବାକ୍ଷର ହୋଇଥିଲା। ପୂର୍ତ୍ତ ବିଭାଗ ଦ୍ବାରା ଏହି କାମ ଆରମ୍ଭ ହୋଇଥିଲା। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବା ପାଇଁ ୧୦ ଗୋଟି ଗ୍ୟାଲେରୀ, ୨ ଗୋଟି ଭଲିବଲ କୋର୍ଟ, ୩ ଗୋଟି ଟେନିସ କୋର୍ଟ, ବାହାର ଓ ଭିତର ରାସ୍ତା ସହିତ ସିମେଣ୍ଟ ନାଳ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ପଡ଼ିଆର ଉନ୍ନତି କରାଯାଇ ପାରି ନାହିଁ। ପଡ଼ିଆରେ ଘାସଗାଲିଚା, ଡ୍ରେନେଜ ସିଷ୍ଟମ ଓ ସୁଇମିଂ ପୁଲ ନିର୍ମାଣ ପାଇଁ ଆହୁରି ୮ କୋଟି ଟଙ୍କା ଇତିମ ଧ୍ୟରେ ମଞ୍ଜୁର ହୋଇଥିବା ବେଳେ ଏହି କାମ ଇଡ୍‌କୋ ଦ୍ବାରା କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତବିଭାଗ ଦ୍ବାରା କରାଯାଇଥିବା ଏହି କାମ ଅହେତୁକ ବିଳମ୍ବ କରାଯାଇଥିବା ବେଳେ ଏବେ ନିର୍ମାଣ ସ୍ଥଳରେ ଅନେକ ଫାଟ ଦେଖା ଯାଉଥିବା ବେଳେ ଗ୍ୟାଲେରୀରେ ଲାଗିଥିବା ଟାଇଲ୍‌ସ ଗୁଡ଼ିକ ଭାଙ୍ଗିରୁଜି ଯାଉଥିବା ଦେଖା ଯାଇଛି।

Sambad

ନିର୍ମାଣ ପରେ ଯଥେଷ୍ଟ ପରିମାଣରେ ପାଣି ଦିଆଯାଇନଥିବା ଯୋଗୁଁ ଓ ପର୍ଯ୍ୟାପ୍ତ ସିମେଣ୍ଟ ବ୍ୟବହାର ହୋଇନଥିବାରୁ ଏହା ମନକୁ ମନ ଭାଙ୍ଗିଯାଉଥିବା ଜଣାଯାଇଛି। ନିର୍ମାଣ ସାମଗ୍ରୀର ମଧ୍ୟ ଗୁଣବତ୍ତା ଉପରେ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ହୋଇଛି। ଷ୍ଟାଡିୟମକୁ ଯିବା ପାଇଁ ଓ ସେଠାରୁ ବାଇପାସ ରାସ୍ତାରେ ବାହାରିବା ପାଇଁ ୬ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ କରାଯାଇ ଚାରିଥାକିଆ ରାସ୍ତା କାମ ସଂପୂର୍ଣ୍ଣ ହୋଇଛି। ଆଉ ମାତ୍ର ଦୁଇଶହ ମିଟର ରାସ୍ତା ନିର୍ମାଣ ବାକି ଅଛି। ସ୍ଥାନଟି ନିଛାଟିଆ ହୋଇଥିବା ବେଳେ ସେଠାରେ ଅସାମାଜିକ ବ୍ୟକ୍ତି ଓ ମଦୁଆ ମାନଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଭାଙ୍ଗିଥିବା ଟାଇଲ୍‌ସ ଗୁଡ଼ିକ ବଦଳାଇ ଦିଆଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦିପ୍ତ ନାଥ କହିଛନ୍ତି।

ସମ୍ବନ୍ଧିତ ଖବର