ପଥରଗୁଣ୍ଡରୁ ତିଆରି ପ୍ରତିମୂର୍ତ୍ତିର ଚାହିଦା ବଢୁଛି

ମାଲକାନଗିରି: ମାଲକାନଗିରି ବଜାରରେ ଏବେ ପଥରରେ ତିଆରି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି। ଏହାର ଚାହିଦା ମଧ୍ୟ ଅଧିକା ରହିଥିବା ଲକ୍ଷ୍ୟ କରାଯାଇଛି। ସୁଦୂର ରାଜସ୍ଥାନରୁ ସପରିବାର ସହ କିଛି ତିରିଶିରୁ ଚାଳିଶି ଜଣ ମହିଳା ଓ ପୁରୁଷ ମାଲକାନଗିରିରେ ପହଞ୍ଚି ମୁଖ୍ୟ ଛକରେ ପଥରଗୁଣ୍ଡରେ ତିଆରି ବିଭିନ୍ନ ରଂଗ ବେରଙ୍ଗର ପ୍ରତିମୂର୍ତ୍ତି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ଏହାର ଦାମ କିନ୍ତୁ ଆକାଶ ଛୁଆଁ ରହିଛି। ଭଗବାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀ, ଗୃହ, ଜୀବଜନ୍ତୁର ମୂର୍ତ୍ତି ତିଆରି କରି ତାକୁ ଉପଯୁକ୍ତ ରଂଗ ଦେଇ ବିକ୍ରି କରାଯାଉଛି।ରାଜସ୍ଥାନରୁ ଆସିଥିବା ମାଣିକଚାନ୍ଦଙ୍କ କହିବା ଅନୁଯାୟୀ ବିଭିନ୍ନ ମୂର୍ତ୍ତିର ଛାଞ୍ଚ ସେମାନଙ୍କ ନିକଟରେ ରହିଛି।ପରିବାରର ସମସ୍ତ ସଦସ୍ୟ ଏହି କାର୍ୟ୍ୟରେ ଲିପ୍ତ ରହୁଛୁ। ପ୍ରଥମେ ମୂର୍ତ୍ତି ଗଠିବା ପରେ ତାଂକୁ ମହିଳାମାନେ ରଂଗ ଦେଇଥାନ୍ତି। ତେବେ ଏଥିପାଇଁ ତାଂକୁ ବହୁ ପରିଶ୍ରମ କରିବାକୁ ପଡିଥାଏ ବୋଲି କହନ୍ତି। ତେବେ ଗୋଟିଏ ଗୋଟିଏ ମୂର୍ତ୍ତିର ଦାମ ୫ ଶହରୁ ୫ ହଜାର ଟଂକା ପର୍ୟ୍ୟନ୍ତ ରହିଛି।

ତେବେ ଦିନକୁ ହଜାରରୁ ଦଶ ହଜାର ପର୍ଯ୍ୟନ୍ତ ବିକ୍ରି କରୁଥିବା ମାଣିକଚାନ୍ଦ ପ୍ରକାଶ କରନ୍ତି। ଏବେ ମାଲକାନଗିରିରେ ପ୍ରବଳ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଏକ ପୋଲିଥିନ ଟାଣି ସପରିବାର ପୋଲିଥିନ ତଳେ ପିଲାଛୁଆଙ୍କୁ ନେଇ ରହୁଥିବା ଦେଖିବାକୁ ମିଳିଛି। ତେବେ ରାତିରେ ପ୍ରବଳ ଶୀତ ପଡୁଥିବାରୁ ସେମାନେ ବହୁ କଷ୍ଟରେ ରହୁଥିବା କହିଥିଲେ। ତେବେ ମାଲକାନଗିରି ଜିଲ୍ଲାରେ ଏଭଳି ପ୍ରତିମୂର୍ତ୍ତି ପ୍ରଥମ ଥର ପାଇଁ ଲୋକେ ଦେଖିବାକୁ ପାଇଥିବା ବେଳେ ଏହାକୁ କିଣି ନେବାକୁ ମଧ୍ୟ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଯେତେ ଦାମ ହେଲେ ମଧ୍ୟ ଲୋକେ ଗୋଟିଏ କିମ୍ବା ଦୁଇଟି ମୂର୍ତ୍ତି ଘରକୁ ନେଉଛନ୍ତି। ମାଲକାନଗିରିରେ ଏହାର ଚାହିଦା କମିବା ପରେ ବିକ୍ରି ପାଇଁ ଏମାନେ ପୁଣି ଆଉ ଏକ ସହରକୁ ବାଛିବେ ବୋଲିମାଣିକଚାନ୍ଦ କହନ୍ତି। ଏମାନେ ବହୁ ସହର ବୁଲିଥିଲେ ମଧ୍ୟ ମାଲକନଗିରି ଭଳି ଏକ ଶାନ୍ତ ପରିବେଶ, ଭଲ ଲୋକଙ୍କ ମହଲରେ ରହୁଥିବାରୁ ଏହାକୁ କେବେ ଭୁଲି ପାରିବେ ନାହିଁ ବୋଲି କହନ୍ତି।

ପୂର୍ବତନ ବିଧାୟକ ମାନସ ମାଡକାମୀ ଏହି ମୂର୍ତ୍ତି ଖରିଦ କରୁଥିବା ସମୟରେ ତାଂକୁ ଏହାକୁ କାହିଁକି ପସନ୍ଦ କରୁଛନ୍ତି ବୋଲି ପଚରାଯିବାରୁ ସେ ମୂର୍ତ୍ତିଗୁଡିକ ଏତେ ଆକର୍ଷଣ ହୋଇଛି ଯେ ଘରେ ଯଦି ଏହାକୁ ରଖାଯାଏ ତେବେ ଘରକୁ ଆସୁଥିବା ଅତିଥିଙ୍କ ନଜର ପ୍ରଥମେ ଏହି ମୂର୍ତ୍ତିଗୁଡିକ ଉପରେ ପଡିବ। ଯେତେ ଦାମ ହେଲେ ମଧ୍ୟ ଏହାକୁ ଘରକୁ ନେବେ ବୋଲି ସେ କହନ୍ତି। ତେବେ ମୁର୍ତ୍ତି କିଣିବାକୁ ଲୋକଙ୍କ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର