ଆର୍‌ଟିଓରେ ବେଆଇନ ନିଯୁକ୍ତି ! ପ୍ରତ୍ୟେକ ବିଭାଗରେ ନକଲି କର୍ମଚାରୀ, ଧରା ପଡିବାକୁ ତଥ୍ୟ ଦେଉ ନାହାନ୍ତି କର୍ତ୍ତୃପକ୍ଷ

ରାଉରକେଲା : ବର୍ଷ ବର୍ଷ ଧରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ରାଉରକେଲାରେ ଚାଲିଥିବା ଦଲାଲ୍‌ରାଜ। ପରିବହନ ଅଫିସ୍‌କୁ କାମ କରିବାକୁ ଆସୁଥିବା ସାଧାରଣ ଗାଡି ଚାଳକଟିଏ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କେହି ଶୁଣୁ ନଥିଲେ। ଶେଷରେ ଦଲାଲରାଜ ଉପରେ ଅଙ୍କୁଶ ଲଗାଇଥିଲେ ରାଉରକେଲାର ପୂର୍ବତନ ଏସ୍‌ପି ସାର୍ଥକ ଷଡଙ୍ଗୀ। ତାଙ୍କ ନିର୍ଦ୍ଦେଶକ୍ରମେ ଉଦିତନଗର ପୁଲିସ କିଛି ଦଲାଲଙ୍କୁ ଗିରଫ କରି ଜେଲ ପଠାଇଲା। ଗିରଫ ଭୟରେ କିଛି ମାସ ଦଲାଲମାନେ ଅଫିସ ଭିତରକୁ ଆସିଲେ ନାହିଁ। ଏସ୍‌ପି ଶ୍ରୀ ଷଡଙ୍ଗୀ ବଦଳି ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ।

ବେଆଇନ ଅର୍ଥରୋଜଗାର ମୋହରେ ଏବେ ଆର୍‌ଟିଓ ଅଫିସର ଅଧିକାରୀଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ଜଣେ ଜଣେ ସହାୟକ ରଖିଛନ୍ତି। ପ୍ରତ୍ୟେକ ବିଭାଗରେ ସ୍ଥାୟୀ କର୍ମଚାରୀଙ୍କ ଇଙ୍ଗିତରେ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀ ପରି ବିଭିନ୍ନ ବିଭାଗରେ ବସି କାମ କରୁଥିଲେ ହେଁ କର୍ତ୍ତୃପକ୍ଷଙ୍କ ନଜର ପଡୁନି। ପଞ୍ଜିକରଣ, ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ, ଓରନସିପ୍‌ ଟ୍ରାନ୍ସଫର, ଏନ୍‌ଓସି, ପଲ୍ୟୁସନ୍‌, ଏନ୍ସଫୋର୍ସମେଣ୍ଟ ସମେତ ଅନ୍ୟାନ୍ୟ କାଗଜପତ୍ର କାମ କରୁଛନ୍ତି। ସେମାନଙ୍କୁ ନିଯୁକ୍ତି ମିଳି ନଥିଲେ ମଧ୍ୟ ସରକାରୀ କର୍ମଚାରୀ ପରି ବେକରେ ପରିଚୟପତ୍ର ଝୁଲାଇଛନ୍ତି। ଏମାନଙ୍କୁ କିଏ ନିଯୁକ୍ତି ଦେଇଛନ୍ତି ? ମାସିକ ଦରମା କେଉଁ ପାଣ୍ଠିରୁ ଦିଆଯାଉଛି ଏହାର କୌଣସି ତଥ୍ୟ ପରିବହନ ଅଧିକାରୀଙ୍କ ପାଖରେ ନାହିଁ। ତେବେ ଏସ୍‌ଟିଏ, ଜିଲ୍ଲାପାଳଙ୍କ ବିନା ଅନୁମତିରେ କାମ କରୁଥିବା କର୍ମଚାରୀମାନଙ୍କୁ ସରକାରୀ ଅଫିସରେ ନିଯୁକ୍ତି ପାଇଁ କିଏ କ୍ଷମତା ଦେଇଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ଉଠିବା ସ୍ବାଭାବିକ।

ସବୁଠୁ ଆଶ୍ଚର୍ଯ୍ୟ କଥା ଏସବୁ ଅସ୍ଥାୟୀ କର୍ମଚାରୀଙ୍କ ସଂକ୍ରାନ୍ତରେ ତଥ୍ୟ ଦେଉ ନାହାନ୍ତି। କିଛି କର୍ମଚାରୀଙ୍କ ତଥ୍ୟ ଦେଇ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଘଣ୍ଟ ଘଉଡାଉଛନ୍ତି ପରିବହନ କର୍ତ୍ତୃପକ୍ଷ। ଏସବୁ କର୍ମଚାରୀ ପଞ୍ଜିକରଣ, ହେଲଫ୍‌ ଡେକ୍ସ ଆଦି ଅନ୍ୟାନ୍ୟ କାମ କରୁଚନ୍ତି। ପରିବହନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, କାର୍ଯ୍ୟାଳୟରେ ଆର୍‌ଟିଓଙ୍କ ସହିତ ମୋଟ ୨୪ ଜଣ ସ୍ଥାୟୀ କର୍ମଚାରୀ ଅଛନ୍ତି। ୧୧ ଜଣ କର୍ମଚାରୀ ଅସ୍ଥାୟୀ ଭାବେ କାମ କରୁଛନ୍ତି। ୧୧ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ରାଜ୍ୟ ପରିବହନ ସଂସ୍ଥା (ଏସ୍‌ଟିଏ) ପାଣ୍ଠିରୁ ମାସିକ ଦରମା ପାଉଛନ୍ତି। ଅନ୍ୟ ତିନି ଜଣଙ୍କୁ ଏସ୍‌ଟିଏ ପ୍ରଦତ୍ତ ରୋଡ୍‌ ସେଫ୍‌ଟି ପାଣ୍ଠି, ଜଣଙ୍କୁ ଜିଲ୍ଲାପାଳଙ୍କ ପ୍ରଦତ୍ତ ରେଡକ୍ରସ୍‌ ପାଣ୍ଠି ଏବଂ ୫ ଜଣଙ୍କୁ ଏସ୍‌ଟିଏ ପାଣ୍ଠିରୁ ଦରମା ପ୍ରଦାନ କରାଯାଉଛି। ଦରମା ବାବଦରେ ଏମାନଙ୍କ ପିଛା ମାସକୁ ୧ ଲକ୍ଷ ୧୮ ହଜାର ୯୬୭ ଟଙ୍କା ଖର୍ଚ୍ଚ ହେଉଛି। ବିଡମ୍ବନା, ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପୂର୍ବରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଟ୍ରାନ୍ସପୋର୍ଟ କମିଶନର ଆର୍‌ଟିଓଙ୍କୁ ଏହି କ୍ଷମତା ଦେଇଥିବା କାର୍ଯ୍ୟାଳୟର ପକ୍ଷରୁ କୁହାଯାଇଛି। ଟ୍ରାନ୍ସପୋର୍ଟ କମିଶନର ତାଙ୍କ ଚିଠିରେ ଏ ସଂକ୍ରାନ୍ତରେ କ’ଣ ଉଲ୍ଲେଖ କରିଛନ୍ତି, ତାହାର ଚିଠି ଦେବାକୁ ପରିବହନ କାର୍ଯ୍ୟାଳୟ ପଛଘୁଞ୍ଚା ଦେଉଛନ୍ତି।

ନିୟମ ଅନୁଯାୟୀ ଯେ କୌଣସି ସରକାରୀ ଅଫିସ୍‌ରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେବା ପୂର୍ବରୁ ବିଜ୍ଞାପନ ପ୍ରକାଶ ପାଇବା ବାଧ୍ୟତାମୂଳକ। କିନ୍ତୁ ରାଉରକେଲା ପରିବହନ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେଉଁ ୯ ଜଣ କର୍ମଚାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି, ଏ ସଂକ୍ରାନ୍ତରେ କୌଣସି ବିଜ୍ଞପ୍ତି ପ୍ରକାଶ ନାହିଁ। ପରିବହନ କର୍ତ୍ତୃପକ୍ଷ ଏମାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ନିଯୁକ୍ତି ଦେବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି। ଯଦି ଏସ୍‌ଟିଏ କମିଶନର କ୍ଷମତା ଦେଇଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କ’ଣ ମାର୍ଗଦର୍ଶିକା ରହିଛି ? ତାହାର ତଥ୍ୟ ପରିବହନ କାର୍ଯ୍ୟାଳୟ ପାଖରେ ନାହିଁ କାହିଁକି ? ତେବେ ନିଯୁକ୍ତି ପ୍ରକିୟାରେ ନାଁରେ ଦୁର୍ନୀତି ହୋଇ ନାହିଁ ତ। ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନଙ୍କର ଏହିସବୁ କାମ କରିବାର ଦକ୍ଷତା ଅଛି କି ନାହିଁ ? ଏହି ଦୁର୍ନୀତିର ଚେର ରାଉରକେଲା ପରିବହନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଏସ୍‌ଟିଏ ପର୍ଯ୍ୟନ୍ତ ଲମ୍ବି ନାହିଁ ତ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନକୁ ଅନ୍ଦୋଳିତ କରିବା ସ୍ବାଭାବିକ। ଅନୁରୂପ ଭାବେ ୱେବ୍ରିଜ୍‌ ହେଲପ୍‌ରର କୌଣସି କାମ ନଥିବାବେଳେ ଏଠି ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେବଳ ଏତିକି ନୁହେଁ ଆର୍‌ଟିଓ ଅଫିସରେ ଜଣେ ସ୍ଥାୟୀ ପିଅନ ଅଛନ୍ତି। କିନ୍ତୁ ତାଙ୍କ ସ୍ଥାନରେ ଜଣେ ଅବସରପ୍ରାପ୍ତ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ପିଅନ ଜଣଙ୍କ ନିଜ କାମ ନ କରି ପରିବହନ କାର୍ଯ୍ୟାଳୟ ଅନ୍ୟ ଗୁରୁତ୍ବପୂର୍ଣ୍ର କାର୍ଯ୍ୟ ତୁଲାଉଛନ୍ତି। ତାଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଚାମ୍ବର ମଧ୍ୟ କରି ଦିଆଯାଇଛି। ଅନ୍ୟାବଶ୍ୟକ ଥିବାବେଳେ ପରିବହନ କର୍ତ୍ତୃପକ୍ଷ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି କରିବା ପଛରେ ନିଶ୍ଚିତ ଭା‌ବେ କିଛ ମନ୍ଦ ଉଦ୍ଦେଶ୍ୟ ରହିଛି। ତେବେ ରାଉରକେଲା ପରିବହନ କାର୍ଯ୍ୟାଳୟରେ ସ୍ବଚ୍ଛତା ଆଣିବାକୁ ଚାଲିଥିବା ବେଆଇନ କାମର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର