ହେମଗିର କନ୍ଦାଧୁଡ଼ାରୁ ଆନ୍ଦୋଳନରତ ସ୍କୁଲ ପିଲା ଓ କୁନି ଛୁଆଙ୍କ ସମେତ ଶହେ ଲୋକଙ୍କୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼: ମାନବାଧିକାର ଆୟୋଗଙ୍କ ରୋକ ଉପରେ ହାଇକୋର୍ଟ ରହିତାଦେଶ ପରେ ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମସିଏଲର  କୋଇଲା, ଲୁହାପଥର ବୋଝେଇ ଟ୍ରକ ଚଳାଚଳକୁ ଅନୁମତି ଦେଇଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଯାହାକୁ ସ୍ଥାନୀୟ ପ୍ରଭାବିତ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ କରି କନ୍ଦାଧୁଡ଼ାରେ ଗତ ୧୨ରୁ କୋଇଲା ଟ୍ରକଗୁଡ଼ିକୁ ଅଟକାଇ ଧାରଣା ଦେଇଥିଲେ। ଆଜି ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ ପ୍ରଶାସନ। ଧାରଣାରେ ବସିଥିବା ୨୫ରୁ ଅଧିକ ସ୍କୁଲ ପିଲା, କୁନି ଛୁଆଙ୍କ ସମେତ ଶହେରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇ ହେମଗିର ଥାନାରେ ଅଟକ ରଖିଛି। ଯାହାକୁ ନେଇ  ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲପିଲା ଓ କୁନି ଛୁଆଙ୍କୁ ପୁଲିସ ଗାଡ଼ିରେ ଉଠାଇନେଇ ଥାନାରେ ଅଟକ ରଖିଵା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଵିଭିନ୍ନ ମହଲରେ ପୁଲିସ, ପ୍ରଶାସନର ଏ ପ୍ରକାର କାର୍ଯ୍ୟାନୁଷ୍ଠାନକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ନିଜ ବଞ୍ଚିବାର ଅଧିକାର ପାଇଁ ଲଢ଼ୁଥିବାବେଳେ ପୁଲିସ ଲୋକଙ୍କ ପ୍ରତି, ବିଶେଷ କରି କୁନି ଛୁଆ, ସ୍କୁଲ ପିଲାଙ୍କ ପ୍ରତି ଏପରିସମ୍ଵେଦନହୀନ ଆଚରଣ ପ୍ରଦର୍ଶନ କରିଵା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା, ହାଇକୋର୍ଟ ରହିତାଦେଶ ଜାରି କରିବା ସହ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷଣ ପ୍ରତି ଗୁରୁତ୍ବ ଦେବା ଓ ପ୍ରଭାବିତ ଅଞ୍ଚଳବାସୀଙ୍କ  ସମ୍ପୃକ୍ତିରେ ଏହି ଆଦେଶ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ କହିଥିଲେ। କିନ୍ତୁ ଜିଲ୍ଲାପାଳ ହାଇକୋର୍ଟଙ୍କ ଗୋଟିଏ ଆଦେଶ ଗାଡ଼ି ଚଳାଚଳକୁ ତୁରନ୍ତ କାର୍ଯ୍ୟକାରୀ କରିଥିବା ବେଳେ ଅନ୍ୟ ଆଦେଶକୁ ଆଖି ବୁଜି ଦେଇଥିବା, ପରିବେଶ ଓ ପ୍ରଭାବିତ ଲୋକଙ୍କୁ ସିଧାସଳଖ ଉପେକ୍ଷା କରିଥିଲେ। ପ୍ରଶାସନ କୋର୍ଟ ଆଦେଶର ସଠିକ ଅନୁପାଳନ କରିନଥିବା ଦର୍ଶାଇ ପରିଷଦ ପୁଣି ରାଜରାସ୍ତାକୁ ଓହ୍ଲାଇଥିଲା। ବାଙ୍କିବାହାଲ-ଟପରିଆ ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବି କରି ଜନଶକ୍ତି ବିକାଶ ପରିଷଦ ଗତ ଜାନୁଆରି ୧୯ରୁ ଫେବ୍ରୁଆରି ୧୫ ଯାଏଁ ଚଲାଇଥିବା ଧାରଣା, ଯାହାକୁ  ମାନବାଧିକାର ଆୟୋଗଙ୍କ ରୋକ ପରେ ସ୍ଥଗିତ ରଖିଥିଲେ, ତାକୁ ମାର୍ଚ୍ଚ ୧୨ରୁ କନ୍ଦାଧୁଡ଼ାରେ ପୁଣି ଆରମ୍ଭ କରିଥିଲେ। ପରିବେଶ ମଞ୍ଜୁରି ସର୍ତ୍ତ ଅନୁସାରେ, କୌଣସି ଗାଁ ମଧ୍ୟ ଦେଇ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ଓ କୋଇଲା ପରିବହନଜନିତ ପ୍ରଦୂଷଣରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଅଞ୍ଚଳର ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ଦାବିକୁ ଆନ୍ଦୋଳନକାରୀ ଦୋହରାଇଥିଲେ। କନ୍ଦାଧୁଡ଼ାରେ କୋଇଲା ବୋଝେଇ ଟ୍ରକଗୁଡ଼ିକୁ ଆନ୍ଦୋଳନକାରୀ ଅଟକାଇଥିବା ବେଳେ ରାସ୍ତାରେ କୋଇଲା ପରିବହନ ବନ୍ଦ ରହିଥିଲା।

 

ପ୍ରକାଶଯୋଗ୍ୟ, ଏମସିଏଲ ପରିବେଶ ମଞ୍ଜୁରି ସର୍ତ୍ତ ଅନୁସାରେ, ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ ନକରି ବାଙ୍କିବାହାଲ-ଟପରିଆ ଗାଁ ରାସ୍ତାରେ କୋଇଲା ପରିବହନ କରୁଥିବା ଓ ଏହା  ସ୍ଥାନୀୟ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ କରି ଜନଶକ୍ତି ବିକାଶ ପରିଷଦ ଗତ ଜାନୁଆରି ୧୯ରୁ ଟପରିଆ ଛକରେ ଧାରଣା ଦେଇଥିଲା। ଏହା ସହ କୋଇଲା ପରିବହନ ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ଓଡ଼ିଶା ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା। ପରିଷଦର ଆବେଦନକୁ ଗ୍ରହଣ କରି ଗତ ଫେବ୍ରୁଆରି ୧୦ରେ ଆୟୋଗ କୋଇଲା ପରିବହନ ଉପରେ ରୋକ ଜାରି କରିଥିଲେ। ଆୟୋଗଙ୍କ ରୋକ ଉପରେ ମାର୍ଚ୍ଚ ୯ତାରିଖରେ ଓଡ଼ିଶା ହାଇକୋର୍ଟ ପରେ ରହିତାଦେଶ ଜାରି କରିଥିଲେ। ପରେ ଏମସିଏଲର କୋଇଲା ପରିଵହନ ବନ୍ଦ ଦାଵିରେ ଚାଲିଥିଲା ଆନ୍ଦୋଳନ।

ସମ୍ବନ୍ଧିତ ଖବର