ୟୁକ୍ରେନ୍‌ରେ ବଙ୍କରରେ ଦିନ କାଟୁଛନ୍ତି ଟାଙ୍ଗୀ ଅଞ୍ଚଳ ଡାକ୍ତରୀ ଛାତ୍ରୀ ପ୍ରିୟଙ୍କା

ଟାଙ୍ଗୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଟାଙ୍ଗୀ ଚୌଦ୍ୱାର ବ୍ଳକ୍ କହ୍ନେଇପୁର ପଞ୍ଚାୟତ କନମିରା ଗ୍ରାମର ଡାକ୍ତରୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେଠୀ ସେଠାରେ ଫସି ରହିଛନ୍ତି। ପ୍ରିୟଙ୍କା ଟାଙ୍ଗୀ ଅଞ୍ଚର ବେଶ୍ ଜଣାଶୁଣା ଥିବା ଶିକ୍ଷକ ଦମ୍ପତି ଧୀରେନ୍ଦ୍ର ନାଥ ଜେଠୀ ଓ ଲବଙ୍ଗଲତା ନାୟକଙ୍କ ବଡ଼ ଝିଅ। ସେ ୟୁକ୍ରେନର କାର୍କୋଭ୍ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ। କରୋନା ପାଇଁ ସେ ଗତବର୍ଷ ଏପ୍ରିଲ୍‌ ମାସରେ ଘରକୁ ଆସିଥିଲେ। ପରିସ୍ଥିତି ସ୍ବାଭାବିକ ହେବା ପରେ ଗତବର୍ଷ ସେପ୍ଟେମ୍ବର ମାସରେ ସେ ପୁଣି ୟୁକ୍ରେନ୍ ଯାଇଥିଲେ। ଏବେ ସେଠାରେ ରହି ପଢୁଥିବା ବେଳେ ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପ୍ରିୟଙ୍କା ରହୁଥିବା ସ୍ଥାନ କାର୍କୋଭ୍ ହେଉଛି କ୍ୟାପିଟାଲ୍ କାଇଭ୍ ଠାରୁ ୪୮୦ କିମି ଦୂରରେ।

ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ସହାୟତାରେ ସେ ବର୍ତ୍ତମାନ ବଙ୍କର ମଧ୍ୟରେ ସୁରକ୍ଷିତ ଭାବେ ରହିଛନ୍ତି। ଏପରି ସ୍ଥିତିରେ ଝିଅର ସୁରକ୍ଷାକୁ ବାପା ଧୀରେନ୍ଦ୍ର ନାଥ ଓ ମାଆ ଲବଙ୍ଗ ଲତା ଆଶଙ୍କାରେ ସମୟ କାଟୁଛନ୍ତି। ଝିଅ ସହିତ ଅବଶ୍ୟ ସେମାନେ ମୋବାଇଲ୍ ଫୋନ୍‌ରେ କଥା ହୋଇ ପାରୁଛନ୍ତି। କିନ୍ତୁ ସେଠାରେ ରହି ପଢୁଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କୁ ଶ୍ରୀ ଜେଠୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର