ଜୀବନ-ମୃତ୍ୟୁ ସହ ଲଢୁଛି ମାଓ କମାଣ୍ଡର ହିଡ଼ମା

ବହୁ କ୍ୟାଡର ନକ୍ସଲ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି

ମାଲକାନଗିରି: ମାଓବାଦୀ ସଂଗଠନରେ ଏବେ କରୋନାର ପ୍ରକୋପ ଜୋରଦାର ପଡିଛି। ସଂଗଠନକୁ ଏକ ପ୍ରକାର ଅଣ୍ଟା ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦିନ ଗୁଇନ୍ଦାକୁ ଖବର ମିଳୁଛି ଯେ ସଂଗଠନରେ କ୍ୟାଡର ନକ୍ସଲ ସଂକ୍ରମିତ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି। ମାଓନେତା ମାନେ ପୂର୍ବରୁ ସଂଗଠନରେ କାହାକୁ ବି କରୋନା ହୋଇ ନାହିଁ ବୋଲି ସ୍ପଷ୍ଟିକରଣ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦେଉଥିବା ବେଳେ ଏବେ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି।

ଗତ କିଛି ଦିନ ତଳେ ଟପ୍ ମାଓ ନେତା ହରିଭୂଷଣଙ୍କର ମୃତ୍ୟୁ ହେବା ଏବଂ ପରେ ପରେ ମାଓନେତ୍ରୀ ବୁଦ୍ରିକା ଅରଫ ଭାରତଆକ୍କାଙ୍କର ମଧ୍ୟ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ଏବେ ପ୍ଲାଟୁନ ନମ୍ବର ୧ର ମାଓ କମାଣ୍ଡର ହିଡମାକୁ କରୋନା ସଂକ୍ରମଣ କରିଥିବା ନେଇ ଖବର ମିଳିଛି। କରୋନାରେ ହିଡମା ଏବେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛି। କେବଳ ହିଡମା ହିଁ ନୁହେଁ ମାଓନେତା ବିନୋଦ, ସୋନୁ, ଜୟମନ, ନନ୍ଦୁ ସହ ଅନ୍ୟ ମାଓ କ୍ୟାଡରମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି।

ତେଲେଙ୍ଗାନାର ଵାରଙ୍ଗଲକୁ ଚିକିତ୍ସା ହେବାକୁ ଯାଉଥିବା ତିନି ନକ୍ସଲଙ୍କୁ ପୁଲିସ ଗିରଫ କରିବା ପରେ ସମସ୍ତେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣାପଡିଥିଲା।ଏଥିସହ ଏମାନେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏମାନଙ୍କ ମଧ୍ୟରେ ଟେକନିକାଲ ଟିମର ମୁଖ୍ୟ ସୋବାରାଓ ସାମିଲ ରହିଛନ୍ତି। ମାଓ ସଂଗଠନରେ ଏବେ ବରିଷ୍ଠ ନେତା ମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ଜୋରଦାରର ଚାଲିଛି।

କିନ୍ତୁ ତଳସ୍ତରରେ ରହିଥିବା ମାଓବାଦୀଙ୍କୁ ପଚରା ଯାଉନଥିବା ନେଇ ଜଣାପଡିଛି। ତେଣୁ ଯେଉଁ ନକ୍ସଲ ମାନେ ଗୁରୁତର ଅବସ୍ଥାରେ ରହିଛନ୍ତି ସମସ୍ତେ ପୁଲିସ ନିକଟରେ ଆତ୍ମସମର୍ପଣ କରି ନିଜର ଚିକିତ୍ସା କରାଇ ନିଅନ୍ତୁ ବୋଲି ତେଲେଙ୍ଗାନା, ଆନ୍ଧ୍ର, ଛତିଶଗଡ ଏବଂ ଓଡିଶା ଭଳି ଚାରି ରାଜ୍ୟର ପୁଲିସ ଆହ୍ବାନ ଦେଇଛନ୍ତି। ପିଏଲଜିଏର କମାଣ୍ଡର ହିଡମା ଏବେ କରୋନାରେ ଆକ୍ରାନ୍ତ ସଂଗଠନକୁ ଦୋହଲାଇ ଦେଇଛି। ହିଡମା ଆଗଧାଡିର ନେତା ହୋଇଥିବା ବେଳେ ତାର ବିହ୍ୟୁ ରଚନାରେ ବୁର୍କାପାଲ ହମଲା ହୋଇଥିଲା। ଯେଉଁଥିରେ ୨୨ ଜଣ ଯବାନ ମୃତ୍ୟୁବରଣ କରିଥିଲେ।

ହିଡମା ନାମରେ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଛି। ତେଲେଙ୍ଗାନା, ଆନ୍ଧ୍ର ଏବଂ ଛତିଶଗଡ ପୁଲିସକୁ ପକ୍କା ଖବର ମିଳିଛି ଯେ ହିଡମା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଯାହାକି ପୁଲିସ ପାଇଁ ବଡ ଖବର ହୋଇଥିବା ବେଳେ ସଂଗଠନ ପାଇଁ ଦୁଃଖଦ ଖବର। ହିଡମାର ମୃତ୍ୟୁ ହେଲେ ପିଏଲଜିଏ ଏକ ପ୍ରକାର ଦୁର୍ବଳ ହୋଇଯିବ ବୋଲି କୁହାଯାଇଛି।ହିଡମା ତୁରନ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ହୁଏତ ସେ ବଂଚିଯିବ ବୋଲି ପୁଲିସ କହିଛି। ତେବେ ହିଡମା ଆତ୍ମସମର୍ପଣ କରୁଛି ନା ସଂଗଠନରେ ରହି କରୋନାକୁ ହରାଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର