ନୂଆ ବର୍ଷରେ ଚାରିଆଡେ ଭୋଜିର ଆସର: ସପ୍ତଧାରାରେ ପ୍ରବଳ ଭିଡ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ପର୍ଯ୍ୟଟନସ୍ଥଳୀଗୁଡିକ ମଧ୍ୟରୁ ସପ୍ତଧାରା ଅନ୍ୟତମ। ଏଠାରେ କୋଲାବ ନଦୀ ପ୍ରବାହିତ ହେଉଛି। ଏଠାରେ ରହିଥିବା ଅନନ୍ୟ ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ନୂଆ ଡିସେମ୍ବର ଏବଂ ଜାନୁୟାରି ମାସରେ ପର୍ଯ୍ୟଟକଙ୍କ ଭିଡ ଏଠାରେ ବେଶ ଜମିଥାଏ।

ଆଜି ନୂ୍ଆ ବର୍ଷ ଥିବାରୁ ସପ୍ତଧାରା ନଦୀ କୂଳରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଜମିଥିଲା। ଭୋଜିଭାତର ଆସର ଜମିଥିଲା। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସପ୍ତଧାରାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ପ୍ରତ୍ୟେକ ଲୋକ ନିଜ ନିଜର ପରିବାରକୁ ନେଇ ଏଠାକୁ ଭୋଜି କରିବାକୁ ଆସୁଥିବା ଦେଖିବାକୁ ମିଳିଥିଲା। କୋଲାବ ନଦୀର କୂଳେ କୂଳେ ବୋହି ଯାଉଥିବା ଝରଣାରେ ଲୋକେ ଗାଧୋଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ସାତୋଟି ନଦୀ କୋଲାବ ନଦୀରେ ମିଶିଥବାରୁ ଏହାକୁ ସପ୍ତଧାରା ବୋଲି କୁହାଯାଇଛି। ବଣ ଜଂଗଲରେ ପରିପୂର୍ଣ୍ଣ ରହିବା ସହ ପକ୍ଷୀଙ୍କର କୋଳରବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାରେ ସୂଚନା ଯୋଗ୍ୟ ଯେ ସପ୍ତଧାରାର ଏକ ଫଟୋ ଚିତ୍ର ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଛାଡି ଏହା କେଉଁ ସ୍ଥାନ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ସୌନ୍ଦର୍ଯ୍ୟରେ ସେ ବିମୋହିତ ହୋଇଯାଇଥିଲେ। ଏହାପରେ ଏହି ପର୍ଯ୍ୟଟନ ସ୍ଥଳୀର ଜୋରଦାର ପ୍ରଚାର ମଧ୍ୟ ହୋଇଥିଲା। ନଦୀରେ ଅଳ୍ପ ପାଣି ରହିଥିବାରୁ ଲୋକେ ଏହାର ମଜା ନେଇଥିଲେ।

ପିଲାମାନଙ୍କୁ ନେଇ ଏଠାରେ ଭୋଜି କରିବା ସୁରକ୍ଷିତ ସ୍ଥାନ ବୋଲି ପର୍ଯ୍ୟଟକମାନେ ପ୍ରକାଶ କରନ୍ତି। ସପ୍ତଧାରାକୁ ଲାଗି ପ୍ରାୟ ଏକ କିଲୋମିଟର ଅଙ୍କାବଙ୍କା ରାସ୍ତା ଯାଇଥିବାରୁ ଏହାର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ। ସପ୍ତଧାରାକୁ ଲାଗି ରହିଥିବା ବାଙ୍କୁଲିରେ ମଧ୍ୟ ପ୍ରବଳ ଭିଡ ଜମିଥିଲା। ଏଠାରେ ପାହାଡ ଉପରୁ ଝରଣା ବୋହି ଯାଉଥିବାର ଦୃଶ୍ୟ ଅତି ମନରୋମ।

ସପ୍ତଧାରାକୁ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ମିଳିଲେ ପର୍ଯ୍ୟଟକଙ୍କ ଭିଡ ଆହୁରି ବଢିଥାନ୍ତା ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ଏହି ଅଂଚଳ ନକ୍ସଲ ପ୍ରବଣ ହୋଇଥିଲେ ମଧ୍ୟ ଏବେ ଆଉ ସେହି ଭୟ ନଥିବା ଲୋକେ କହନ୍ତି।ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବାରୁ ଲୋକେ ସ୍ବଚ୍ଛନ୍ଦରେ ଏଠାରେ ବୁଲି ମଜା ନେଇପାରୁଥିବା କହିଥିଲେ।ପୂର୍ବରୁ ନକ୍ସଲଙ୍କର ଭୟ ରହିଥିବାରୁ ଏଠାକୁ ଲୋକେ ଆସିବାକୁ ଏକ ପ୍ରକାର ଭୟ କରୁଥିଲେ।ସୁମିତ୍ରା ଗିରି ଏବଂ ସିଲା ଗୁପ୍ତାଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଆମେ ସପ୍ତଧାରାରେ ହିଁ ଭୋଜି କରିବାକୁ ଆସୁ।ଏଠାରେ ଭୋଜି କରିବାର ଯେଉଁ ମଜା ମିଳେ ଅନ୍ୟ କେଉଁଠି ଆମେ ପାଉ ନାହୁଁ ବୋଲି କହନ୍ତି।ବନ ବିଭାଗ ପକ୍ଷରୁ ଯଦି ଏଠାରେ ଇକୋ ପାର୍କ ନିର୍ମାଣ କରାଯାଇପାରନ୍ତା ତେବେ ଆହୁରି ଭିଜ ଜମିଥାନ୍ତା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର