ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ, ୨୯ ଗିରଫ

ଛତ୍ରପୁର/ଗୋପାଳପୁର: ଜାତୀୟ ରାଜପଥ ୧୬ ଜଗନ୍ନାଥପୁର ଛକରେ ଗତକାଲି ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଥିଲା। ବିଳମ୍ବିତ ସନ୍ଧ୍ୟାରେ ରାଜପଥ ରଣକ୍ଷେତ୍ର ପାଲଟିଥିବା ବେଳେ ଡ୍ରାଇଭର ମାନେ ସଂଘବଦ୍ଧ ହୋଇ ଠେଙ୍ଗା ଧରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଟେକାପଥର ପିଙ୍ଗି ଲହୁଲୁହାଣ କରି ଦେଇଥିଲେ। ଏଥିରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ଛତ୍ରପୁର ଏସ୍‌ଡିପିଓ, ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ୧୦ ଜଣ ପୁଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣାକୁ ଗଞ୍ଜାମ ପୁଲିସ ଗୁରୁତର ସହ ନେଇ ଗତକାଲି ଘଟଣାରେ ସଂପୃକ୍ତ ୨୮ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ବୋଲି ଗଞ୍ଜାମ ଏସ୍‌.ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ଗୋପାଳପୁର ଥାନା ପୁଲିସ ଏହି ଘଟଣାରେ ମୋଟ ୨୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ମୋଟ ୫୭ଜଣଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ, ଗତକାଲି ଆନ୍ଦୋଳନର ଦ୍ବିତୀୟ ଦିନରେ ଜାତୀୟ ରାଜପଥରେ ବହୁ ସଂଖ୍ୟକ ଟ୍ରକ ଅଟକି ରହିବା ସହ ଜାତୀୟ ରାଜପଥ ସଂପୂର୍ଣ୍ଣ ଜାମ ହୋଇ ଯାଇଥିଲା। ଫଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟନ୍ତ ହୋଇ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କୁ ରାଜପଥ ଅବରୋଧରୁ ହଟାଇ ଟ୍ରକ ଗୁଡିକୁ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ। ହେଲେ ପୂର୍ବାହ୍ନରେ ଆନ୍ଦୋଳନକାରୀଙ୍କ ଜିଦ ପାଇଁ ଡ୍ରାଇଭର-ପୁଲିସ ମୁହାଁମୁହିଁ ହୋଇଥିଲେ। ସନ୍ଧ୍ୟାରେ ପୁଲିସ ମୃଦୁ ଲାଠି ଚାଳନା କରିବାକୁ ବାଧ୍ୟ ହୋଇଥିଲା। ଫଳରେ ଡ୍ରାଇଭର ମାନେ ସେଠାରୁ ହଟି ଯାଇଥିଲେ ମଧ୍ୟ ପରେ ପରେ ଶତାଧିକ ଆନ୍ଦୋଳକନକାରୀ ଡ୍ରାଇଭର ଠେଙ୍ଗାରେ ପିଟି ଓ ପଥର ମାଡ଼ କରି ପୁଲିସକୁ ନାକେଦମ କରି ଦେଇଥିଲେ।

ସମ୍ବନ୍ଧିତ ଖବର