କଳାହାଣ୍ଡି : ଆଜି ପ୍ରକାଶିତ ୟୁନିଅନ୍ ପବ୍ଲିକ ସର୍ଭିସ୍ କମିଶନ୍ ବା ୟୁପିଏସ୍ସି ପରୀକ୍ଷା ଫଳରେ କଳାହାଣ୍ଡି କେସିଙ୍ଗାର ରାହୁଲ ଗୋଏଲ ୧୬୮ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି। ରାହୁଲଙ୍କ ଏହି ସଫଳତା ଖବର ମିଳିବା ପରେ ଜିଲ୍ଲାରେ ଖୁସିର ବାତାବରଣ ଖେଳି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନୀଲ ଗୋଏଲଙ୍କ ପୁଅ ତଥା ସମାଜସେବୀ ତିଲକ ଗୋଏଲଙ୍କ ନାତି ଓ ରାୟପୁର ଏମ୍ସରେ ଶିଶୁ ବିଭାଗର ମୁଖ୍ୟ ଡାକ୍ତର ଅନୀଲ ଗୋଏଲଙ୍କ ପୁତୁରା ରାହୁଲ ଆଇଆଇଟି ପରେ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ପାଠପଢ଼ିବା ସହିତ ସେ ନିଜ ଉପରେ ଆତ୍ମବିଶ୍ୱାସ ରଖି ଥିଲେ। ନିଜ ଉପରେ ଥିବା ଆତ୍ମବିଶ୍ୱାସକୁ ସେ କୌଣସି ପରିସ୍ଥିତିରେ ହରାଇ ନଥିଲେ, ଯାହାଫଳରେ ଆଜି ସେ ଏହି ସଫଳତା ହାସଲ କରି ପାରିଛନ୍ତି।
ୟୁପିଏସ୍ସି ପରୀକ୍ଷା ପାଇଁ ରାହୁଲ ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଶ୍ରେୟ ସେ ନିଜ ପରିବାର,ଗୁରୁଜନଙ୍କୁ ଦେଇଛନ୍ତି। ଏଥର ସେ ରାଙ୍କ ଅନୁସାରେ ଆଇପିଏସ୍ ହେବେ, ତେଣୁ ଆଇଏଏସ ହେବା ପାଇଁ ଆଉ ଏକ ବର୍ଷ ଚେଷ୍ଟା କରିବେ ବୋଲି ରାହୁଲ ଗୋଏଲ କହିଛନ୍ତି।
ପ୍ରକାଶ ପାଇଥିବା ୟୁପିଏସ୍ସି ଫଳାଫଳରେ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂହ ଆଇଏଏସ୍ ଟପ୍ପର ହୋଇଛନ୍ତି। ଏଥିସହିତ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସଞ୍ଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି। ସେହିପରି ୧୨୦ତମ ସ୍ଥାନରେ ଅନୁପ ଦାସ ରହିଛନ୍ତି। ଅନୁପଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁରେ ବୋଲି ଜଣାପଡ଼ିଥିବା ବେଳେ ସଞ୍ଜିତା ମହାପାତ୍ରଙ୍କ ପରିବାର ରାଉରକେଲାସ୍ଥିତ ଛେଣ୍ଡରେ ବସବାସ କରନ୍ତି।