ପରିବା ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ସବୁଠି ଆକାଶ ଛୁଆଁ ଦର, ଆର୍ଥିକ ଦୁଃସ୍ଥିତି ବେଳେ ଦରଦାମ ମାଡ଼ 

ଭଞ୍ଜନଗର: କରୋନା ଦୁର୍ଦ୍ଦିନରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି। ଆଉ ଏଭଳି ସ୍ଥିତିରେ ପନିପରିବା ଦରର ଅହେତୁକ ବୃଦ୍ଧି ସାଧାରଣ ଖାଉଟି ଉପରେ  ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଲକ୍‌ଡାଉନ୍‌ ସମୟରେ ପନିପରିବା ଆମଦାନୀ କମିଥିବାରୁ ଦର ସାମନ୍ୟ ବୃଦ୍ଧି ରହିଥିବା ବେଳେ କଟକଣା କୋହଳ ପରେ ତାହା ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ କଟକଣ କୋହଳ ସହ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲେ ମଧ୍ୟ ପନିପରିବା ଦର ନିୟନ୍ତ୍ରଣକୁ ଆସୁନାହିଁ। ବର୍ତ୍ତମାନ ପୁଣି ଲଗାଣ ବର୍ଷା ଯୋଗୁ ବହୁ ପରିବା କ୍ଷେତ ଉଜୁଡି ଯାଇଛି। ଆଗାମୀ ଦିନରେ ଆବଶ୍ୟକ ପରିମାଣର ପନି ପରିବା ନଆସିଲେ ପରିବା ଦର ଆହୁରି ବୃଦ୍ଧି ପାଇବ ବୋଲି ବ୍ୟବସାୟୀ ମାନେ କହିଛନ୍ତି।

ଖାସ୍‌ କରି ପ୍ରତିଦିନ ରୋଷେଇ ଘରକୁ ଦରକାର ପଡୁଥିବା ଆଳୁ ଆଉ ପିଆଜର ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଛି। କିଛି ଦିନ ତଳେ ଆଳୁ ପିଆଜ ଦର ୧୫-୨୦ରୁ  ଟଙ୍କା ରହିଥିବା ବେଳେ ଆଳୁ ଯାଇ ପହଁଞ୍ଚିଛି ୩୫ରେ। ଆଉ ପିଆଜ ଦର ବୃଦ୍ଧି ପାଇ ୬୦ ଛୁଇଁଛି। ଅଲଗା ପନିପରିବା ଦର ମଧ୍ୟ ସେହି ତୁଳନାରେ ଦୁଇଗୁଣା ଠାରୁ ଅଧିକା ଦରରେ ବଜାରରେ ବିକ୍ରି ହେଉଛି। ଖାସ କରି ଫୁଲ‌କୋବି,ବିନ୍‌ସ,ବନ୍ଧାକୋବି କାଙ୍କଡ଼ ଭଳି ପରିବା ପାଇଁ କନ୍ଧମାଳ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ କନ୍ଧମାଳରେ ବିକ୍ରିପରେ ପରିବା ଆସୁଥିବାରୁ ଦର ବୃଦ୍ଧି ସ‌େ୍ତ୍ତ୍ବ ତାହା ଜିଲ୍ଲାକୁ ଆସିବା ପୂର୍ବରୁ ହିଁ ସରିଯାଉଛି। ଆଉ ଯେଉଁକିଛି ପରିମାଣର ଆସୁଛି ତାର ଦର ନପଚାରି‌ଲେ ଭଲ। ଫୁଲ କୋବି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍‌ସ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି।

ଭଞ୍ଜନଗର ତଥା ଆଖପାଖ ଅଞ୍ଚଳରେ ପୂର୍ବ ଅପେକ୍ଷା ଚାଷୀ ମାନେ କମ୍‌ ପରିମାଣର ପନିପରିବା ଉତ୍ପାଦନ କରୁଛନ୍ତି। ଗତ ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କାରଣରୁ ଚାଷୀ ମାନେ ସେମାନଙ୍କ ପରିବା ବିକ୍ରି କରିବା ପାଇଁ ସଠିକ୍‌ ବଜାର ପାଇ ନପାରିବାରୁ ପରିବା ଚ‌ାଷକୁ ତ୍ବରାନ୍ବିତ କରିବାରୁ ମୁହଁ ମେଡିଦେଇଥିଲେ। ଯାହା ଫଳରେ ସେହି ଚାଷୀ ମାନେ ପରିବା ଚାଷରୁ ବିମୁଖ ହୋଇଥିବାରୁ ବର୍ତ୍ତମାନ ପରିବା ଉତ୍ପାଦ ଆଗ ଭଳି ହୋଇନାହିଁ। ଯେଉଁ କିଛି ସ୍ଥାନରେ ପରିବା ହୋଇଥିଲା ତାହା ଗତ ଲଗାଣ ବର୍ଷାରେ ନଷ୍ଟ ହୋଇଯାଇଥିବା କିଛି ଚାଷୀ ପ୍ରକାଶ କରିଛନ୍ତି। ଏଥିସହ ବେଲଗୁଣ୍ଠା ବ୍ଳକ୍‌ର ଇଙ୍ଗିନାଠି, ଉସ୍ତପଲ୍ଲୀ, ରତଙ୍ଗ, ସାରିଆପଲ୍ଲୀ ଓ ନୂଆଗାଁ ଭଳି ଗ୍ରାମ ଗୁଡ଼ିକ ପରିବା ହବ୍‌ ଭାବେ ପରିଚିତ ଥିଲା। ସେଠାରେ ଗତ ଫାଇଲିନ୍‌ ପରଠାରୁ ଶହ ଶହ ଏକର ଜମିରେ ବାଲିଚର ମାଡିଯିବାରୁ ପରିବା ଉତ୍ପାଦନ ସେଠାରୁ ବହୁ ମାତ୍ରାରେ ହ୍ରାସ ପାଇଛି। ଯାହା ପ୍ରଭା‌ବରେ ପରିବା ବଜାର ଉପରେ ସିଧାସଳଖ ପଡିଛି। ଏହି ଅଞ୍ଚଳର ବ୍ୟବସାୟୀ ମାନେ ସବୁବେଳେ ବାହାର ବେପାରୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ପରିବା ଆମଦାନୀର ପରିମାଣ ଉପରେ ଦର ନିୟନ୍ତ୍ରଣ ହେଉଛି।

ସାଧାରଣତ ୨୦ ଟଙ୍କାରେ ଥିବା ପୋଟଳ, ଭେଣ୍ଡି, କଲରା, ଗୁହାଁର, ତୋରଡା ବର୍ତ୍ତମାନ ୫୦ ଟଙ୍କା ରହିଛି। ସେହିପରି କାଙ୍କଡ ୭୦,ବାଇଗଣ ୪୦, ଟମାଟ ୬୦, ଛୁଇଁ ୮୦, ଝୁଲଣ ୪୦, ସାରୁ ୫୦ ଓ ଦେଶୀ ଆଳୁ ଦର ୪୦ ଟଙ୍କା ରହିଛି। ଗ‌ୋଟିଏ ସାଧାରଣ ପରିବାର ପାଇଁ ୫ ଶହ ଟଙ୍କାର ପରିବା ଆଣିଲେ ଯାଇ ବ୍ୟାଗ୍‌ ଭର୍ତ୍ତି ହେଉଛି। ଗରୀବ ଖଟିଖିଆ ଓ ଦିନ ମଜୁରିଆଙ୍କ ପାଇଁ ଏତେ ଦରରେ ପରିବା କିଣି ଖାଇବା ବେଶ୍ ମହଙ୍ଗା ସାବ୍ୟସ୍ତ ହେଉଛି। ଆଳୁ ପିଆଜର ଦର ନିୟନ୍ତ୍ରଣରେ ଯଦି ରୁହନ୍ତା ତେବେ ଗରୀବ ପରିବାର ଚୁଲି ଯେନ ତେନ ଚଳିଯାଆନ୍ତା। ବାହର ଅଞ୍ଚଳରୁ ପରିବା ସହ କୁଲାଡ଼, ଗାଲେରୀ, ଦ‌ୋମୁହାଣି ଭଳି ସ୍ଥାନରୁ ପରିବା ଆସୁଥିବା ବେଳେ ତାହା ଶୀଘ୍ର ସରିଯାଉଛି। ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ଡାଲି, ଖାଇବା ତେଲ, ବାଟୁଳା ଚଣା ଭଳି ସାମଗ୍ରୀର ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସରକାରଙ୍କ ନୂତନ ନୀତି ଯୋଗୁ ଆମଦାନୀ ହ୍ରାସ, ଫସଲ ନଷ୍ଟ ଭଳି ବିଭିନ୍ନ କାରଣରୁ ତେଲ ଡାଲି ଦର ବୃଦ୍ଧି ପାଇଛି। କିଛି ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ କମିବା ସହ ଅର୍ନ୍ତଜାତିୟ ବଜାରରେ ଦର ବୃଦ୍ଧିର ପ୍ରଭାବରେ ୯୦ ଟଙ୍କାରେ ମିଳୁଥିବା ତେଲ ବର୍ତ୍ତମାନ ୧୦୦ ରୁ ୧୧୫ ଟଙ୍କାରେ ବିକ୍ରି ହେଉଛି। ଉପର ବଜାରରେ ଦରର ତାରତମ୍ୟ ରହୁନଥିବାରୁ ଭାରତୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ବୃଦ୍ଧି ପାଇଥିବା କିରାଣା ବ୍ୟବସାୟୀ ସଂଘ ସଭାପତି ଏ.ଗ‌ୌରୀ ଶଙ୍କର ପାତ୍ର ପ୍ରକାଶ କରିଛନ୍ତି। ଏଥିସହ ଉପର ବଜାରରେ ପ୍ରତିଦିନ ଦରଦାମ ବଦଳୁଥିବାରୁ ହୋଲ୍‌ସେଲ୍‌ ଖରିଦ ଦର ଉପରେ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର