ଅଧୀକ୍ଷଣ ଯନ୍ତ୍ରୀ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା: ଯେତେ ଖୋଜିଲେ, ସେତେ ବାହାରୁଛି

୧ କୋଟି ୩୯ ଲକ୍ଷ ଟଙ୍କା, ୬୩୨ ଗ୍ରାମ ସୁନା ଜବତ
ଭିଜିଲାନ୍ସ ଇତିହାସରେ ସର୍ବାଧିକ

ମାଲକାନଗିରି : କୁବେର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସଂପତ୍ତି। ଯେତେ ଖୋଜିଲେ , ସେତେ ବାହାରୁଛି। କୋଟିଏରୁ ଅଧିକ ନଗଦ ଟଙ୍କା ଓ କିଲେରୁ ଅଧିକ ସୁନା ଜବତ ହେଲାଣି। ୪ଦିନ ହେଲା ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି ଓ ଆହୁରି ମିଳିବ ବୋଲି କୁହାଯାଉଛି।

ଶୁକ୍ରବାର ଦିନ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୧ ଅଧୀକ୍ଷଣ ଯନ୍ତ୍ରୀ ଆଣିଷ କୁମାର ଦାସ ଲକ୍ଷାଧିକ ଟଙ୍କା ନଗଦ ନେଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ସେବେଠୁ ଏହି ଚଢାଉ ଜାରି ରହିଛି। ଯେତିକି ପରିମାଣରେ ନଗଦ ମିଳିଲାଣି, ତାହା ଭିଜିଲାନ୍ସ ବିଭାଗ ତଥା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଆଜି ଚତୁର୍ଥ ଦିନରେ ଭିଜିଲାନ୍ସ ପକ୍ଷରୁ କଟକର ଶାନ୍ତିଭବନ, ବେଲଗାଚିଆ ଠାରେ ଚଢ଼ଉ କରାଯାଇଥିଲା। ସେଠାରୁ ନଗଦ ୧ କୋଟି ୧୮ ଲକ୍ଷ ଟଙ୍କା ସହ ୬୩୨ ଗ୍ରାମ ସୁନା ବିସ୍କୁଟ ଏବଂ ସୁନା କଏନ୍ ଜବତ କରାଯାଇଛି। ମୋଟ ୭କୋଟି ୮୧ଲକ୍ଷ ଟଙ୍କାର ସ୍ଥାବର ତଥା ଅବସ୍ଥାର ସଂପତ୍ତି ଭିଜିଲାନ୍ସ ଠାବ କରି ସାରିଲାଣି। ଆହୁରି ଦୁଇରୁ ତିନି ଚଢ଼ାଉ ଜାରି ରହିବ ବୋଲି ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ କହିଛନ୍ତି।

ଗତକାଲି ଚଢ଼ାଉରେ ଭିଜିଲାନ୍ସକୁ ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ଏବଂ ୬୦୨ ଗ୍ରାମ ସୁନା ମିଳିଥିଲା। ଏହାପରେ ଆଜି ମିଳିଥିବା ନଗଦ ଏବଂ ସୁନାକୁ ମିଶାଇ ମୋଟ ନଗଦ ୧ କୋଟି ୩୯ ଲକ୍ଷ ୭୫ ହଜାର ହୋଇଥିବା ବେଳେ ସୁନା ୧ କିଲୋ ୨୦୦ ଗ୍ରାମ ବୋଲି ଜଣାପଡ଼ିଛି। ସେହିପରି ଆକ୍ସିସ ବ୍ୟାଙ୍କରେ ନିଜ ସଂପର୍କୀୟ, ପରିବାର ଲୋକ ଏବଂ ଅନ୍ୟମାନଙ୍କ ନାଁରେ ପ୍ରାୟ ୨ କୋଟି ୨୫ ଲକ୍ଷ ଟଙ୍କା ଜମା ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟାଙ୍କରେ, ଜୀବନ ବୀମାରେ ଏବଂ ବିଭିନ୍ନ ସ୍ଥାନରେ ଜମା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର