ବିନା ସରକାରୀ ନିର୍ଦ୍ଦେଶରେ ଛାତ୍ରାବାସ ବନ୍ଦ କାହିଁକି ?

ବୈପାରିଗୁଡା: ଆଦିବାସୀ, ହରିଜନ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାଥମିକ ଛାତ୍ରାବାସ ଖୋଲି ଛାତ୍ରଙ୍କୁ ଜଳଖିଆ ଠାରୁ ଆରମ୍ଭ କରି ଖାଇବା ରହିବାର ସମସ୍ତ ସୁବିଧା ଯୋଗାଇ ଦେଇଥାନ୍ତି। ଛାତ୍ର ମାନଙ୍କ ଆବଶ୍ୟକତା ପୂରଣର ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ତତ୍ବାବଧାନରେ ଛାତ୍ରାବାସ ପରିଚାଳିତ ହୋଇଥାଏ। ତେବେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପଡା ଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସକୁ ଖାଲି କରି ଦିଆଯାଇଛି।

ଏହି ଛାତ୍ରାବାସଟି ୪୦ ଶଯ୍ୟା ବିଶିଷ୍ଟ ଅଟେ। ଛାତ୍ରାବାସରେ ରହୁଥିବା ସମସ୍ତ ଛାତ୍ରଙ୍କୁ ସାର୍ଟିଫିକେଟ ଦେଇ ବିଦାୟ କରିଦିଆଇଥିବା ଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଲୋକଲୋଚନକୁ ଆସିଛି। ଛାତ୍ରଙ୍କୁ କେଉଁ କାରଣରୁ ସାର୍ଟିଫିକେଟ ଦେଇ ଛାତ୍ରାବାସ ଖୋଲି କରିଦିଆଗଲା, ଏହାର କୈାଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଛାତ୍ରଙ୍କ ଅଭିଭାବକ ମାନେ ଏସମ୍ପର୍କରେ କିଛି ଜାଣିନାହାଁନ୍ତି। ସେମାନଙ୍କ ଅଜାଣତରେ ସାର୍ଟିଫିକେଟ ପିଲାଙ୍କୁ ପ୍ରଦାନ କରିବା ଦ୍ୱାରା ଶିକ୍ଷା ବିଭାଗର ନିୟମର ବିରୁଦ୍ଧାଚରଣ କରାଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କ ଆଢ଼ୁଆଳରେ ଏହା କରାଯାଇଥିବା ଜଣାପଡ଼ିଛି। ଆଜି ଏସମ୍ପର୍କରେ ତନାଘନା ଆରମ୍ଭ ହେବା ସହ ଚନ୍ଦ୍ରପଡା ଗ୍ରାମବାସୀ, ସ୍କୁଲ କମିଟି ସଭାପତି, ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ବିଡ଼ିଓଙ୍କୁ ଭେଟି ଅଭିଯୋଗ ଆଣିଛନ୍ତି। ଦାୟିତ୍ବରେ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ନିଜ ସଫେଇରେ କହିଛନ୍ତି ଯେ, ଛାତ୍ରାବାସର ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବାରୁ ପିଲାଙ୍କ ସୁରକ୍ଷା ନିମନ୍ତେ ସାର୍ଟିଫିକେଟ ଦେଇ ଛାତ୍ରାବାସ ଖାଲି କରାଯାଇଛି।

ଏସଂପର୍କରେ ପୂର୍ବରୁ ବ୍ଲକ ସଂପ୍ରସାରଣ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିବା ସହ ଗ୍ରାମବାସୀଙ୍କ ସମୂହ ଦରଖାସ୍ତର କପି ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ଦେଇଥିବା ଜଣାଇଛନ୍ତି। ଅନ୍ୟ ଦିଗରେ ଗ୍ରାମବାସୀ ମାନେ କେବଳ ଛାତ୍ରାବାସର ମରାମତି ପାଇଁ ଦରଖାସ୍ତ ଦିଆଯିବ କହି ସେମାନଙ୍କ ଦସ୍ତଖତ ନିଆଯାଇଥିବା ବିଡ଼ିଓଙ୍କ ନିକଟରେ ପ୍ରକାଶ କରିଛନ୍ତି। ମେ ମାସ ପାଞ୍ଚ ତାରିଖରୁ ଛାତ୍ରାବାସ ଖାଲି ହୋଇଯାଇଥିଲେ ମଧ୍ୟ ଗ୍ରାମବାସୀ ଏସମ୍ପର୍କରେ ଆଦୈ ଜାଣିନଥିବା କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଯଦି ଛାତରୁ ସିମେଣ୍ଟ ପଲସ୍ତରା ଖସୁଛି ଏବଂ ଏଭଳି ବିପଦପୂର୍ଣ୍ଣ ଘରେ ଛାତ୍ରଙ୍କୁ ରଖିବା ଉଚିତ ନୁହେଁ, ତେବେ ଏହାର କୈାଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ କାହିଁକି? ବ୍ଲକ ମଙ୍ଗଳ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କଲେ ନାହିଁ କାହିଁକି? ଯେଉଁ ଛାତ୍ରଙ୍କୁ ସାର୍ଟିଫିକେଟ ଦିଆଯାଇ ଛାତ୍ରାବାସ ତଥା ସ୍କୁଲରୁ ବିଦାୟ କରାଯାଇଛି, ସେମାନଙ୍କ ଭବିଷ୍ୟତରେ କେଉଁ ସ୍କୁଲରେ ନାମ ଲେଖାଇ ପାଠ ପଢ଼ିବେ ନା ପାଠରେ ଡୋରି ବନ୍ଧା ହେବ, ଏହାର ଉତ୍ତର ସଂପୃକ୍ତ ବିଭାଗ ଦେଇପାରିବେ କି?

ସମ୍ବନ୍ଧିତ ଖବର