ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ପଥରରେ ଛେଚି ବାପାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା

ନୂଆପଡ଼ା: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି। ସୁନାବେଡ଼ା ଅଭୟାରଣ୍ୟର ଗାତିବେଡ଼ା ଗାଁର ଆମପଡ଼ାଠାରେ ପାରିବାରିକ କଳହକୁ ନେଇ ବୃଦ୍ଧ ବାପା ରାମସିଂ ମାଝୀଙ୍କୁ ପୁଅ ଦେବ ଚରଣ ମାଝୀ ପଥରରେ ଛେଚି ହତ୍ୟା କରିଛି। ବାପାର ମୃତ୍ୟୁ ପରେ ରାମସିଂ ନିକଟରେ ଥିବା ଏକ ଗଛକୁ ଚଢ଼ିଯାଇ ନିଜ ବେକର ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ଗାତିବେଡ଼ା ଗାଁର ଆମପଡ଼ାରେ ରାମସିଂ ଓ ତାଙ୍କର ପୁଅ ଚରଣ ଆଜି ଅପରାହ୍ନ ପ୍ରାୟ ୧୨ଟାରେ ନିଜର ଧାନ ଖଳା ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ପାଖରେ ବସିଥିଲେ। ସେମାନେ କଥାବାର୍ତ୍ତା କରୁଥିବା ସମୟରେ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ବଚସା ହୋଇଥିଲା। ଚରଣ ମଦ ପିଇଥିବାରୁ ନିଜର ଭାରସାମ୍ୟ ହରାଇଥିଲା। ସେ ଉତ୍ତେଜିତ ହୋଇ ଅତି ନିର୍ମମ ଭାବେ ବାପାଙ୍କୁ ପଥରରେ ଛେଚି ହତ୍ୟା କରି ଦେଇଥିଲା। ବାପାଙ୍କ ମୃତ୍ୟୁ ପରେ କ’ଣ କରିବ କିଛି ବୁଝି ନ ପାରି ଶେଷରେ ଘଟଣାସ୍ଥଳ ଠାରୁ ୫୦୦ ମିଟର ଦୂରରେ ଥିବା ଏକ ଗଛକୁ ଚଢ଼ି ଯାଇ ଥିଲା। ଏହା ପରେ ବେକର ରସି ଲଗାଇ ଆତ୍ମହତ୍ୟା କରିଥିଲା।

ବାପାଙ୍କ ମୃତ୍ୟୁ ପରେ ଚରଣର ସାନ ଭାଇ କିଛି ଗାଁ ଲୋକଙ୍କୁ ନେଇ କୋମନା ଥାନାରେ ଅଭିଯୋଗ କରିଛନ୍ତି। ଗାତିବେଡ଼ା ଗାଁ ମାଓ ଅଧ୍ୟ୍ୟଷିତ ଅଞ୍ଚଳ ହୋଇଥିବାରୁ ପୁଲିସ ଆଜି ଘଟଣାସ୍ଥଳକୁ ଯାଇପାରି ନାହିଁ। ଆସନ୍ତାକାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ୨ଟି ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର