ଅଶୀ ବନାମ କୋଡ଼ିଏ

ସୃଜନ ପ୍ରକାଶ ଦାସ

ପୁନଶ୍ଚ ଅଶୀ ବନାମ କୋଡ଼ିଏ! ୨୦୦୮ ମସିହା ଅକ୍ଟୋବର ମାସ ୧୬ ତାରିଖରେ ‘ସମ୍ବାଦ’ର ଏହି ପୃଷ୍ଠାରେ ଏହି ଲେଖକର ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଅଶୀ ବନାମ କୋଡ଼ିଏ’। ଏହା ଏକ ସଂଯୋଗ ହୋଇପାରେ ଯେ ପୁଣି ଥରେ ସେହି ଶୀର୍ଷକଟି ଆଜି ବ୍ୟବହୃତ ହୋଇଛି। ଅବଶ୍ୟ ସଂପୂର୍ଣ୍ଣ ଭିନ୍ନ ଏକ ପ୍ରସଙ୍ଗରେ। ଗୋଟିଏ ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀ ଏକ ଦୁଷ୍ଟ ଚଞ୍ଚଳମତି ଛାତ୍ରକୁ ପାଠ ପଢ଼ାର ଗୁରୁତ୍ୱ ସମ୍ବନ୍ଧରେ ବୁଝାଇବା ଉଦ୍ଦେଶ୍ୟରେ କହିଲେ ଜୀବନରେ ଯଦି ସଫଳ ଓ ସୁଖୀ ହେବାକୁ ଚାହଁ, ତେବେ ଜୀବନର ପ୍ରଥମ କୋଡ଼ିଏ ବର୍ଷ କଠିନ ପରିଶ୍ରମ କର। ତେବେ ଯାଇ ପରବର୍ତ୍ତୀ ଅଶୀ ବର୍ଷ ଆନନ୍ଦରେ ବିତାଇ ପାରିବ। ଏହାର ଆଉ ଗୋଟିଏ ଦିଗ ହେଲା ତମେ ଯଦି ଜୀବନର ପ୍ରଥମ କୋଡ଼ିଏ ବର୍ଷ ଆନନ୍ଦରେ କାଟି ଦିଅ, ତେବେ ପରବର୍ତ୍ତୀ ଅଶୀ ବର୍ଷ ତୁମ ପାଇଁ କଷ୍ଟକର ହୋଇ ଉଠିବ।

ଏହି ସରଳ ସତ୍ୟକୁ କିନ୍ତୁ ଖୁବ୍‌ କମ୍‌ ଛାତ୍ରାବସ୍ଥାରେ ହୃଦୟଙ୍ଗମ କରିପାରନ୍ତି। କୈଶୋର ଏବଂ ଆଦ୍ୟ ଯୌବନର ପ୍ରଲୋଭନରେ ଅସଂଖ୍ୟ ଛାତ୍ରଛାତ୍ରୀ ଲକ୍ଷ୍ୟଚ୍ୟୁତ ହୋଇ ଉଠିବାର ନଜିର ଆମେ ଦେଖୁ। ଜୀବନର ଏହି ସମୟଟା ହିଁ ଭୀଷଣ ପିଚ୍ଛିଳ। ଗୋଡ଼ ଖସି ଯିବାର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ଥାଏ। ଆଉ ଥରେ ଗୋଡ଼ ଖସିଗ‌େଲ ପୁଣି ଥରେ ସଳଖି ଠିଆ ହେବା କଷ୍ଟକର। ବାପା-ମା’ମାନେ ଯେ ଏ ଦିଗରେ ପିଲାମାନଙ୍କୁ ସତର୍କ କରନ୍ତି ନାହିଁ ତାହା ନୁହଁ। ମାତ୍ର ସମସ୍ୟାଟି ଥାଏ ପିଲାମାନଙ୍କର ବୁଝିବାରେ। ଯେଉଁ ଛାତ୍ର ବା ଛାତ୍ରୀ ସମୟର ମୂଲ୍ୟକୁ ବୁଝି ପାରନ୍ତି, ସେମାନେ ତା’ର ସଦୁପଯୋଗ କରିଥା’ନ୍ତି। ଅପର ପକ୍ଷରେ ଯେଉଁମାନେ ବାପା-ମା’ମାନଙ୍କର ବାହୁ ଛାୟା ତଳେ ନିଜକୁ ସବୁ ଦିନ ପାଇଁ ସୁରକ୍ଷିତ ମନେ କରି ନିଜ କର୍ତ୍ତବ୍ୟ ପଥରୁ ଓହରି ଯାଆନ୍ତି, ସେମାନଙ୍କ ପାଇଁ ଜୀବନର ପଥ ଦୁର୍ବିଷହ ହେବାଟା ନିଶ୍ଚିତ।

କେବଳ ସ୍କୁଲ୍‌ ଶିକ୍ଷା କାହିଁକି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନେ ସମୟକୁ ଠିକ ଭାବରେ ଉପଯୋଗ କରିଛନ୍ତି। ସଫଳ କ୍ରୀଡ଼ାବିତ୍‌ କୁହନ୍ତୁ, କିମ୍ବା ପ୍ରତିଷ୍ଠିତ ଗାୟକ ବା ଅଭିନେତା ଅବା ଚିତ୍ରକର- ସମସ୍ତଙ୍କ ପାଇଁ ସେଇ ଗୋଟିଏ କଥା ସତ୍ୟ ଯେ ସେମାନେ ପ୍ରତ୍ୟେକେ ଜୀବନର ପ୍ରଥମ କୋଡ଼ିଏ ବର୍ଷର ସଦୁପଯୋଗ କରିଛନ୍ତି। ଘରେ ଘରେ ପରିଚିତ ସଚିନ ତେନ୍ଦୁଲକର ହୁଅନ୍ତୁ କିମ୍ବା ଅମିତାଭ ବଚ୍ଚନ ବା ଏମ୍‌ ଏଫ୍‌ ହୁସେନ କିମ୍ବା ଲତା ମଙ୍ଗେଶକର- ସମସ୍ତେ ଏକାଗ୍ରତାର ସହିତ କଠିନ ପରିଶ୍ରମ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା ଅଥବା ଓଡ଼ିଶା ପ୍ରଶାସନିକ ସେବା କିମ୍ବା ଡାକ୍ତରୀ ଓ ଇଞ୍ଜିନିଅରିଂ ସେବାରେ ସଫଳତା ପାଇଥିବା ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ ମଞ୍ଚରେ ସେମାନଙ୍କର ସାମଗ୍ରିକ ସଫଳତା ପଛରେ ଜୀବନର ପ୍ରଥମ ୨୦ ବର୍ଷର ସାଧନା ବିଷୟରେ ଉଲ୍ଲେଖ କରିଛନ୍ତି। ସଂଘର୍ଷ ଓ ସାଧନା ବିନା ଯେ ସିଦ୍ଧି ଆସେ ନାହିଁ ତା’ର ଉଦାହରଣ ଆମ ସମାଜରେ ଭରି ରହିଛି। ସେଥିପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପୁତ୍ର, କନ୍ୟା ସେମାନଙ୍କର ବାପା, ମା’ଙ୍କ ଭଳି ଉତ୍କର୍ଷ ଲାଭ କରିପାରନ୍ତି ନାହିଁ; କାରଣ ସେମାନେ ସେହି କୋଡ଼ିଏ ବର୍ଷର ପରିଶ୍ରମ କରି ନ ଥା’ନ୍ତି। ଭାଗ୍ୟ ବା ପ୍ରାରବ୍‌ଧକୁ ବାଦ୍‌ ଦେଲେ ମଧ୍ୟ ଏ କଥା ବିନା ଦ୍ବିଧାରେ କୁହାଯାଇପାରେ ଯେ ସଫଳତା, ସୁଖ ସମୃଦ୍ଧି ପାଇଁ ପ୍ରାରମ୍ଭିକ ସ୍ତରରେ (formative stage)ରେ କଠିନ ପରିଶ୍ରମ ଆବଶ୍ୟକ।

ମନସ୍ତତ୍ତ୍ବବିତ୍‌ ଡକ୍ଟର ମେଗ ଜେ ‘ଦ ଡିଫାଇନିଂ ଡିକେଡ୍‌: ହ୍ବାଇ ୟୁଅର ଟ୍ବେଣ୍ଟିଜ ମ୍ୟାଟର ଏଣ୍ଡ୍‌ ହୁଉ ଟୁ ମେକ୍‌ ଦ ବେଷ୍ଟ୍‌ ଅଫ୍ ଦେମ୍‌ ନାଓ’ ନାମକ ତାଙ୍କ ଦ୍ବାରା ରଚିତ ପୁସ୍ତକରେ ୧୦ ବର୍ଷରୁ ୨୦ ବର୍ଷ- ଏହି ଦଶନ୍ଧିକୁ ନିର୍ଣ୍ଣାୟକ ଦଶନ୍ଧି ବୋଲି ଅଭିହିତ କରିଛନ୍ତି। ତାଙ୍କ ମତରେ ଜୀବନର ଶେଷ ଅଶୀ ବର୍ଷ ଏହି ୧୦ ବର୍ଷ ଉପରେ ହିଁ ନିର୍ଭର କରେ। ଜଣେ ବ୍ୟକ୍ତିଗତ ଭାବରେ ଏବଂ ବୃତ୍ତିଗତ କ୍ଷେତ୍ରରେ ଯାହା କିଛି କରିପାରିବାର ସମ୍ଭାବନା ଥାଏ, ତାହା ଏହି ସମୟ ଓ ତା’ର ଉପଯୋଗ ନିଶ୍ଚିତ କରିଥାଏ। ଡକ୍ଟର ଜେ କୁହନ୍ତି ଅଧିକାଂଶ ବ୍ୟକ୍ତିଙ୍କୁ ଲାଗେ ଯେ ପ୍ରଥମ ୨୦ ବର୍ଷ ତୁଳନାରେ ଜୀବନର ଅବଶିଷ୍ଟ ୮୦ ବର୍ଷ ଏକ ଦୀର୍ଘ ପଥ, ଯାହାକୁ ଅନାୟାସରେ ନିୟନ୍ତ୍ରଣ କରିହେବ। ମାତ୍ର, ବାସ୍ତବରେ ଏହି ଗଣିତଟି ସେପରି ନୁହଁ। ଶେଷ ୮୦ ବର୍ଷ ଯେ ପ୍ରଥମ ୨୦ ବର୍ଷ ଏବଂ ବିଶେଷ କରି ଦ୍ବିତୀୟ ଦଶନ୍ଧି ଉପରେ ନିର୍ଭର କରେ- ତାହା ଯେତେ ଶୀଘ୍ର ବୁଝିବାର କଥା- ବୁଝି ପାରିଲେ ମଙ୍ଗଳ।

ଏହି ସମୟରେ ସାଧନାରୁ ବିଚ୍ୟୁତ କରିବା ପାଇଁ ବହୁ ଆକର୍ଷଣୀୟ କାରଣ ରହିଛି। କୁସଙ୍ଗ ଠୁ ଆରମ୍ଭ କରି ସିନେମା, ଟିଭି, ନିଶା ଦ୍ରବ୍ୟ, ମୋବାଇଲ ଇତ୍ୟାଦି। କିନ୍ତୁ, ଯେଉଁମାନେ ନିଜକୁ ଏ ସବୁରୁ ଦୂରେଇ ପାରିଛନ୍ତି, ସେମାନେ ସଫଳତାର ସ୍ୱାଦ ଚାଖିଛନ୍ତି। ପ୍ରତିଯୋଗିତାପୂର୍ଣ୍ଣ ଜୀବନରେ କେବଳ କଠିନ ସାଧନା ହିଁ ସୁଖୀ ଜୀବନ ପାଇଁ ଦ୍ୱାର ଫିଟାଇପାରେ। ବାପା, ମା’ଙ୍କର ପ୍ରାଚୁର୍ଯ୍ୟ ହୁଏତ ସାମୟିକ ସୁଖ ଦେଇପାରେ। ମାତ୍ର ତାହା ତ ଆଉ ଭବିଷ୍ୟତ୍‌ର ବୀମା ନୁହଁ। ତାହା ଛଡ଼ା ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ନିଜସ୍ୱ ପରିଚୟ ଚାହେଁ। ବାପା, ମା’ଙ୍କର ପରିଚୟରେ ପରିଚିତ ହେବା କିଛି ଦିନ ପାଇଁ ହୁଏତ ଭଲ ଲାଗି ପାରେ। ମାତ୍ର, ସବୁ ଦିନ ପାଇଁ ନୁହଁ। ସେଥିଲାଗି ଆବଶ୍ୟକ ସମୟର ଉପଯୁକ୍ତ ବିନିଯୋଗ। ଥରେ ସମୟ ଓ ସୁଯୋଗ ହାତରୁ ଚାଲିଗଲେ, ଆଉ ଥରେ ଫେରିବା କଷ୍ଟ। ତେଣୁ, ପ୍ରଥମ କୋଡ଼ିଏ ନା ଶେଷ ଅଶୀ- କାହାକୁ ଉପଯୋଗ କରିବେ, ତାହା ପାଠକପାଠିକାମାନଙ୍କ ବିଚାର ଉପରକୁ ଛାଡ଼ିଦିଆଗଲା।

ମୋ- ୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର