ସରଳ ବିଚାର, ତୈଳ ଆମଦାନି ନିର୍ଭରଶୀଳତା କମିବ କେମିତି

ସରଳ କୁମାର ଦାସ

‘ଇଣ୍ଡିଆ ଏନର୍ଜି ଆଉଟ୍‌ଲୁକ୍‌’ର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଶକ୍ତି ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ। ଭାରତରେ ଲୋକଙ୍କ ଆୟ ଓ ଜୀବନ ଧାରଣର ମାନରେ ବୃଦ୍ଧି ଯୋଗୁ ଗତ କୋଡ଼ିଏ ବର୍ଷ ଭିତରେ ଶକ୍ତିର ବ୍ୟବହାର ପ୍ରାୟ ଦୁଇ ଗୁଣ ବଢ଼ିଛି। ଏବେ ଭାରତରେ ଦୈନିକ ୪୭ ଲକ୍ଷ ବ୍ୟାରେଲ ତୈଳ ବ୍ୟବହୃତ ହେଉଥିବା ବେଳେ ୨୦୪୦ ବେଳକୁ ତାହା ୮୭ ଲକ୍ଷ ବ୍ୟାରେଲରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ୨୦୧୬ରେ ଦେଶ ଭିତରେ ଅଶୋଧିତ ତୈଳ ଉତ୍ପାଦନ ଦୈନିକ ୧୦ ଲକ୍ଷ ବ୍ୟାରେଲ ଥିବା ବେଳେ ତାହା କ୍ରମାଗତ ଭାବେ ହ୍ରାସ ପାଇ ୨୦୨୦ରେ ୭.୫ ଲକ୍ଷ ବ୍ୟାରେଲରେ ପହଞ୍ଚିଲାଣି। ୨୦୧୫ ମାର୍ଚ୍ଚରେ ‘ଊର୍ଜା ସଙ୍ଗମ’ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୨୦୧୩-୧୪ରେ ବିଦେଶରୁ ଆମଦାନି କରାଯାଉଥିବା ତୈଳ ଉପରେ ଥିବା ୭୭ ପ୍ରତିଶତ ନିର୍ଭରଶୀଳତାକୁ ୨୦୨୨ ସୁଦ୍ଧା ୧୦ ପ୍ରତିଶତ କମ କରି ୬୭ ପ୍ରତିଶତରେ ପହଞ୍ଚାଇବାକୁ ହେବ। ତେବେ ବିଗତ ୬ ବର୍ଷ ମଧ୍ୟରେ ସେହି ନିର୍ଭରଶୀଳତା କମ ହେବା ପରିବର୍ତ୍ତେ ବୃଦ୍ଧି ପାଇ ୮୫ ପ୍ରତିଶତରେ ପହଞ୍ଚି ସାରିଲାଣି। ୨୦୪୦ ସୁଦ୍ଧା ତୈଳ ଆମଦାନି ଉପରେ ଭାରତର ନିର୍ଭରଶୀଳତା ୯୦ ପ୍ରତିଶତରୁ ବି ଅଧିକ ହୋଇ ଅଶୋଧିତ ତେଲର ଆମଦାନି ପାଇଁ ତିନି ଗୁଣ ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ତେଣୁ କହିବା‌ ଅନାବଶ୍ୟକ ଯେ ତୈଳ ଆମଦାନି ଉପରେ ନିର୍ଭରଶୀଳତା କମ ହେଲେ ରାଜସ୍ୱ ସଞ୍ଚୟ ବୃଦ୍ଧି ସହ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରିତ ହୋଇଥାଏ। ବୈଦେଶିକ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ ନ ହୋଇ ଡଲାର ତୁଳନାରେ ଟଙ୍କା ସ୍ଥିର ଓ ସୁଦୃଢ ହୋଇଥାଏ। କେବଳ ସେତିକି ନୁହେଁ ତୈଳ ଯୋଗାଣକାରୀ ରାଷ୍ଟ୍ରଗୁଡ଼ିକରେ ରାଜନୈତିକ ଅସ୍ଥିରତା ବା ଯୁଦ୍ଧ ଆଦି ହେଲେ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ରହିଛି, ଯଦ୍ଦ୍ବାରା ତୈଳ ଆମଦାନି ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକ ତୈଳ ସଂକଟର ସମ୍ମୁଖୀନ ହେବା ସ୍ବାଭାବିକ।

ଏନଡିଏ ସରକାର ଶାସନକୁ ଆସିଲା ବେଳକୁ ୨୦୧୪ ମସିହା ମେ ୨୯ରେ ଏକ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ୫୯ ଟଙ୍କା ଥିଲା। ବର୍ତ୍ତମାନ ତାହା ୭୨ ଟଙ୍କା ଟପି ସାରିଲାଣି। ଡଲାର ତୁଳନାରେ ଟଙ୍କାର ଏହି ଅବମୂଲ୍ୟାୟନ ଦେଶରେ ବର୍ତ୍ତମାନ ତୈଳ ଦର ବୃଦ୍ଧିର ମଧ୍ୟ ଅନ୍ୟତମ କାରଣ। ତେଣୁ ତୈଳ ଆମଦାନି ଉପରେ ନିର୍ଭରଶୀଳତାକୁ କମ କରିବା ପାଇଁ ବିଭିନ୍ନ ସମୟରେ ସରକାରମାନେ ପ୍ରୟାସ କରି ଆସିଛନ୍ତି। ୟୁପିଏ ସରକାର ଅମଳରେ ଏଥିପାଇଁ ଡକ୍ଟର ବିଜୟ କେଲକରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୧୩ ଓ ୨୦୧୪ରେ ଦେଇଥିବା ଏକ ବିସ୍ତୃତ ରିପୋର୍ଟ ଅନୁଯାୟୀ କିଛି ପଦକ୍ଷେପ ନିଆଯାଇଥିଲା। ଏନଡିଏ ସରକାର ଶାସନ ଦାୟିତ୍ୱ ଗ୍ରହଣ କଲା ପରେ ଅନିଲ କାକୋଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ତୈଳ ଆମଦାନି ନିର୍ଭରତାକୁ ହ୍ରାସ କରିବା ପାଇଁ ଏକ ପାଞ୍ଚସୂତ୍ରୀ କୌଶଳକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସେଥିରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା, ଶକ୍ତି ଦକ୍ଷତାକୁ ବୃଦ୍ଧି କରିବା ସହ ଶକ୍ତି ସଂରକ୍ଷଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ସେମିତି ଚାହିଦାର ବିକଳ୍ପ ଉପରେ ଗୁରୁତ୍ୱ ଦେବା ଏବଂ ପ୍ରୟୋଗକୁ ଆସି ନ ଥିବା ବିଭିନ୍ନ ପ୍ରକାର ଜୈବ ଇନ୍ଧନ, ବିକଳ୍ପ ତଥା ଅକ୍ଷୟ ଇନ୍ଧନର ପ୍ରୟୋଗର ସମ୍ଭାବନା ଉପରେ ମହତ୍ତ୍ବ ଦେବା କଥା କୁହାଯାଇଥିଲା। ସେମିତି ତୈଳ ବିଶୋଧନାଗାର (ରିଫାଇନେରି) ଗୁଡ଼ିକର ବିଶୋଧନ ପ୍ରକ୍ରିୟାରେ ସୁଧାର ଆଣିବା ବିଷୟକ ପରାମର୍ଶ ମଧ୍ୟ ତହିଁରେ ରହିଛି।

ଘରୋଇ ତୈଳ ଉତ୍ପାଦନ ବଢ଼ାଇବାକୁ ହେଲେ ନୂଆ ନୂଆ ତୈଳ କ୍ଷେତ୍ରର ସନ୍ଧାନ ମିଳିବା ନିହାତି ଆବଶ୍ୟକ, ଯେଉଁଥିପାଇଁ ଓଏନଜିସି ମଧ୍ୟ ପ୍ରୟାସ କରିଥାଏ। ୨୦୧୮ ମସିହା ପର ଠାରୁ ଓଏନଜିସିର ଅନୁସନ୍ଧାନ ଉଦ୍ୟମ ଅନେକଟା ଧିମେଇ ଯାଇଛି। ଏହାର ଏକ ମୁଖ୍ୟ କାରଣ ହେଉଛି ଓଏନଜିସିର ନଗଦ ପାଣ୍ଠି (କ୍ୟାସ୍‌ ରିଜର୍ଭ), ଯାହା ୨୦୧୩-୧୪ରେ ୧୦୭୯୯ କୋଟି ଟଙ୍କା ଥିଲା, ତାହା ହ୍ରାସ ପାଇ ୨୦୧୯-୨୦ରେ ୯୬୮ କୋଟି ଟଙ୍କାରେ ପହଞ୍ଚିଲାଣି। ଏଚପିସିଏଲ ଓ ‘ଗୁଜରାଟ ଷ୍ଟେଟ୍‌ ପେଟ୍ରୋଲିଅମ କର୍ପୋରେସନ’ (ଜିଏସପିସି)ର ଅଂଶଧନକୁ ଏକ ପ୍ରକାର ବାଧ୍ୟ ହୋଇ କିଣିବା ‘ଓଏନଜିସି’ର ଏହି ଆର୍ଥିକ ଦୁଃସ୍ଥିତିର କାରଣ ବୋଲି କୁହାଯାଏ। ୨୦୧୪ରୁ ୨୦୨୦ ମଧ୍ୟରେ ଓଏନଜିସିର ଅନୁସନ୍ଧାନମୂଳକ କୂପ ଖନନ ବାବଦକୁ ହେଉଥିବା ଖର୍ଚ୍ଚ ପ୍ରତି ବର୍ଷ ହାରାହାରି ୧୩ ପ୍ରତିଶତ କମ ହେଉଥିବାରୁ ଘରୋଇ ତୈଳ ଉତ୍ପାଦନ ବୃଦ୍ଧିରେ ତା’ର ପ୍ରତିକୂଳ ପ୍ରଭାବ ଅନୁଭୂତ ହେଉଛି।

ତୈଳ ଆମଦାନିକୁ କମାଇବାକୁ ହେଲେ ଦେଶରେ ସୌର, ପବନ ଭଳି ଅନ୍ୟ ବିକଳ୍ପ ଶକ୍ତିର ବ୍ୟବହାରକୁ ବଢ଼ାଇବାକୁ ହେବ। ୨୦୩୦ ସୁଦ୍ଧା ଦେଶରେ ୪୫୦ ଗିଗାୱାଟ୍‌ର ବିଦ୍ୟୁତ ଅକ୍ଷୟ ଶକ୍ତି ମାଧ୍ୟମରେ ଉତ୍ପାଦନ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶରେ ପ୍ରାକୃତିକ ଗ୍ୟାସ୍‌ର ବ୍ୟବହାରକୁ ବୃଦ୍ଧି କରି ଏହାକୁ ସମଗ୍ର ଶକ୍ତି ବ୍ୟୟର ୧୫ ପ୍ରତିଶତକୁ ବଢ଼ାଇବାକୁ ସ୍ଥିର ହୋଇଛି। ଅବଶ୍ୟ ଏବେ ଦେଶରେ ବ୍ୟବହୃତ ପ୍ରାକୃତିକ ଗ୍ୟାସ୍‌ର ୫୦ ପ୍ରତିଶତରୁ ଅଧିକ ବିଦେଶରୁ ଆମଦାନି ହେଉଛି। ୨୦୧୮ ମସିହାରୁ ଦେଶରେ ଏକ ଜାତୀୟ ଜୈବ ଇନ୍ଧନ ନୀତି ପ୍ରଣୀତ ହୋଇ କାର୍ଯ୍ୟକାରୀ ହେଉଛି। ୨୦୩୦ ସୁଦ୍ଧା ଦେଶରେ ସମୁଦାୟ ଯାନର ୩୦ ପ୍ରତିଶତ ବିଦ୍ୟୁତ ଯାନରେ ରୂପାନ୍ତରିତ କରିବାର ଲକ୍ଷ୍ୟ ରହିଛି।
ପେଟ୍ରୋ-ଦ୍ରବ୍ୟର ଆମଦାନିକୁ କମ କରିବା ଲାଗି ଚିନିକଳ ଓ ଡିଷ୍ଟିଲେରିଗୁଡ଼ିକରୁ ଉତ୍ପାଦିତ ଇଥାନଲକୁ ପେଟ୍ରୋଲରେ ମିଶାଇ ବିକିବା ଲାଗି ଦେଶରେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ୟୁପିଏ ସରକାର ଅମଳରେ ସମ୍ପ୍ରସାରିତ ହୋଇଥିଲା। ୨୦୧୯ରୁ ତାହା ଦେଶର ପ୍ରାୟ ସର୍ବତ୍ର କାର୍ଯ୍ୟକାରୀ ହେଉଛି। ୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶାଇ ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୧୩-୧୪ ବର୍ଷରେ ଏଥିପାଇଁ ଚିନିକଳ ଓ ଡିଷ୍ଟିଲେରିଗୁଡ଼ିକ ୩୮ କୋଟି ଲିଟର ଇଥାନଲ ଯୋଗାଇଥିଲେ। ଅବଶ୍ୟ ଏବର ସରକାରଙ୍କ ପ୍ରୋତ୍ସାହନ ଫଳରେ ୨୦୨୦-୨୧ରେ ଇଥାନଲ ଯୋଗାଣ ୩୧୦ କୋଟି ଲିଟରରେ ପହଞ୍ଚିବାକୁ ଯାଉଛି। ଇଥାନଲ ଉତ୍ପାଦନ ଓ ଯୋଗାଣରେ ବୃଦ୍ଧି ଘଟିଥିଲେ ବି ‘ଇବିପି’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଯେପରି ଆଗ୍ରହ ପ୍ରକାଶ ପାଇବା କଥା ତାହା ପରିଲକ୍ଷିତ ହେଉ ନାହିଁ। ଏହାର ଅନ୍ୟତମ କାରଣ ହେଉଛି ଦେଶବ୍ୟାପୀ ପେଟ୍ରୋଲ ସହ ଇଥାନଲ ମିଶ୍ରଣ ପାଇଁ ଟ୍ୟାଙ୍କ କ୍ଷମତାର ଅଭାବ। ଅଧିକାଂଶ ଚିନିକଳ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଥିବାରୁ ସେ ସବୁ ସ୍ଥାନରୁ ଦୂରଦୂରାନ୍ତରେ ଅବସ୍ଥିତ ରିଫାଇନେରିରେ ପହଞ୍ଚାଇବା ବି ବ୍ୟୟବହୁଳ ହେଉଛି। ଏତଦ୍‌ଭିନ୍ନ ଇଥାନଲର ମୂଲ୍ୟ ଲିଟର ପିଛା ହାରାହାରି ପ୍ରାୟ ୬୨ ଟଙ୍କା ପଡୁଥିବାରୁ ଅାନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ଶସ୍ତା ଥିଲେ ‘ଓଏମ୍‌ସି’ମାନେ ଇଥାନଲ ମିଶାଇବା ପାଇଁ ଆଗ୍ରହ ନ ଦେଖାଇବା ସ୍ୱାଭାବିକ।

ଅଶୋଧିତ ତୈଳ ବ୍ୟତୀତ ସେଲ ଗ୍ୟାସ୍‌, କୋଲ ବେଡ ମିଥେନ (ସିବିଏମ), କୋଲ ମାଇନ ମିଥେନ (ସିଏମଏମ) ଓ ଟାଇଟ ଗ୍ୟାସ୍‌ର ଭଣ୍ଡାରରୁ ମଧ୍ୟ ପ୍ରାକୃତିକ ଗ୍ୟାସ୍‌ ଉପଲବ୍‌ଧ ହୋଇ ଶକ୍ତିର ଆବଶ୍ୟକତାକୁ ପୂରଣ କରିଥାଏ। ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁ ଏଣିକି ପୃଥିବୀ ଗର୍ଭରେ ଥିବା ସେଲ ଗ୍ୟାସ୍‌କୁ ଅପେକ୍ଷାକୃତ କମ ଖର୍ଚ୍ଚରେ ବ୍ୟାବସାୟିକ ଭିତ୍ତିରେ ଉତ୍ତୋଳନ କରାଯାଇ ପାରୁଛି। ଆମେରିକାର ଇଆଇଏ ୨୦୧୫ ରିପୋର୍ଟ ଅନୁଯାୟୀ ଭାରତ ସମେତ ୧୧ଟି ଦେଶରେ ବୈଷୟିକ ଭାବେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ୍‌ର ଭଣ୍ଡାର ଥିଲେ ବି କେବଳ ଆମେରିକା, କାନାଡା ଓ ଚୀନ ବ୍ୟାବସାୟିକ ଭିତ୍ତିରେ ଏହାର ଉତ୍ପାଦନ କରୁଛନ୍ତି। ଭାରତରେ ପ୍ରାୟ ୯୬ ଲକ୍ଷ କୋଟି ଘନ ଫୁଟର ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ୍‌ ଗଚ୍ଛିତ ରହିଛି। ‘ଓଏନଜିସି’ ଦ୍ୱାରା ୨୦୧୧ ମସିହାରେ ପଶ୍ଚିମବଙ୍ଗର ଦୁର୍ଗାପୁର ନିକଟରେ ଦେଶର ପ୍ରଥମ ସେଲ ଗ୍ୟାସ୍‌ ଭଣ୍ଡାରର ସନ୍ଧାନ ମିଳିଥିଲା ବେଳେ ୨୦୧୩ ମସିହାରେ ଗୁଜରାଟର ଜମ୍ବୁସାରରେ ଦେଶର ପ୍ରଥମ ସେଲ ଗ୍ୟାସ୍‌ କୂପ ଖନନ ହୋଇଥିଲା। ସେଲ ଗ୍ୟାସ୍‌ର ଅନୁସନ୍ଧାନରେ ଦୀର୍ଘ ସମୟ ଓ ଶହ ଶହ କୋଟି ଟଙ୍କା ବ୍ୟୟ କଲା ପରେ ଭାରତରେ ବ୍ୟାବସାୟିକ ଭିତ୍ତିରେ ଉତ୍ତୋଳନଯୋଗ୍ୟ ସେଲ ଗ୍ୟାସ୍‌ ଭଣ୍ଡାରର ଆକାର ଯଥେଷ୍ଟ ନ ଥିବା ଦର୍ଶାଇ ‘ଓଏନଜିସି’ ୨୦୧୯ରୁ ଏହାର ଅନୁସନ୍ଧାନରୁ ଓହରି ଯିବା ଦ୍ୱାରା ଘରୋଇ ଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ବ୍ୟାହତ ହୋଇଛି। ସେହିପରି ଦେଶରେ ପ୍ରାୟ ୯.୯ ଲକ୍ଷ କୋଟି ଘନ ଫୁଟ ସିବିଏମ ଥିବାର ଆକଳନ କରାଯାଇଛି। ଏବେ ଦେଶରେ ଝାରଖଣ୍ଡର ଝରିଆ, ପଶ୍ଚିମବଙ୍ଗର ରାଣୀଗଞ୍ଜ ଓ ମଧ୍ୟପ୍ରଦେଶର ସୋହାଗପୁରର ଚାରିଟି କୋଇଲା ବ୍ଲକ୍‌ରୁ ସିବିଏମ ଉତ୍ପାଦନ ହେଉଛି। ଗୁଜରାଟର କାମ୍ୱେ ଓ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ଟାଇଟ ଗ୍ୟାସ୍‌ର ଭଣ୍ଡାର ମିଳିଥିଲେ ବି ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇନାହିଁ। କହିବା ବାହୁଲ୍ୟ, ଏହି ସମସ୍ତ ଉତ୍ସରୁ ଶକ୍ତି ସଂଗ୍ରହର ପ୍ରୟାସ ବିଭିନ୍ନ ସରକାରଙ୍କ ଅମଳରେ ହୋଇ ଆସିଛି। ତେବେ କମିଟି ପ୍ରଦତ୍ତ ପରାମର୍ଶଗୁଡିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ ନ କଲେ ତାହାର ସୁଫଳ ଦେଶ ଓ ସାଧାରଣ ଗ୍ରାହକଙ୍କୁ ଅଚିରେ ମିଳିବ ନାହିଁ।

ନିକଟ ଭବିଷ୍ୟତରେ ଭାରତର ତେଲ ଆମଦାନି ନିର୍ଭରଶୀଳତା କମ ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ତୈଳ ଆମଦାନିକୁ କମ୍ କରିବା ଲାଗି ଯଦି ପେଟ୍ରୋଲ ଦର ବୃଦ୍ଧି ଗୋଟିଏ ସରକାରୀ କୌଶଳ ହୋଇଥାଏ (ଦର ବୃଦ୍ଧି ହେତୁ ଗ୍ରାହକ କମ ପେଟ୍ରୋଲ ଖର୍ଦ୍ଦି କରିବେ), ତେବେ କହିବା ବାହୁଲ୍ୟ ଯେ ଏଥିରେ ଦୂରଦୃଷ୍ଟି ବଦଳରେ ଅଛି ଅପରିଣାମଦର୍ଶିତା। ଯଦି ସରକାର ତୈଳ ଆମଦାନିକୁ କମ କରିବା ଲାଗି ଚାହୁଁଥାଆନ୍ତି ତେବେ ଗ୍ରାହକମାନଙ୍କ ପାଖରେ ବିକଳ୍ପ ଶକ୍ତି ଉତ୍ସ ଉପଲବ୍‌ଧ କରାନ୍ତୁ। ତେଣୁ ଏ ଦିଗରେ ସରକାରଙ୍କ ବେଶ୍‌ ଗୁରୁ ଦାୟିତ୍ବ ରହିଛି।
ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର