ବନ୍ୟା ବିତ୍ପାତ ପଛରେ ବିକାଶର ଲାଳସା

ଯୋଗେନ୍ଦ୍ର ଯାଦବ

ଚଳିତ ବର୍ଷର ବନ୍ୟାରେ କିଛି ନୂଆ କଥା ନାହିଁ। ଯଦି କିଛି ବିଶେଷ ହୋଇଛି ତାହା ଏତିକି ଯେ ଏଥର ବନ୍ୟା ସେଇଠି ଆସିଛି ଯେଉଁଠାରେ ଟିଭି କ୍ୟାମେରା ଅଛି, ଯେଉଁଠାରେ କ୍ଷମତାର କେନ୍ଦ୍ର ଅଛି, ଯେଉଁଠିକାର କଷ୍ଟ ଦେଶକୁ ଦେଖାଯାଏ ଓ ଶୁଣାଯାଏ। ସେମିତି ତ ପ୍ରତିବର୍ଷ ବନ୍ୟା ଆସିଥାଏ। ପ୍ରତିବର୍ଷ ବି ହାରାହାରି ୧,୬୦୦ ଲୋକ ବନ୍ୟାର ଶିକାର ହୋଇଥା’ନ୍ତି। ଆସାମର ବୃହତ୍‌ ଅଞ୍ଚଳ ଜଳମଗ୍ନ ହୋଇ ଧନଜୀବନ ଓ ପଶୁସମ୍ପଦ ହରାଇଥାଏ। ପ୍ରତିବର୍ଷ ବିହାରରେ ଲକ୍ଷ ଲକ୍ଷ ହେକ୍ଟର ଜମି ଜଳବନ୍ଦୀ ହୋଇଯାଏ ଏବଂ ବେଳେ ବେଳେ ମାସ ମାସ ଧରି ସମାନ ପରିସ୍ଥିତି ବଜାୟ ରହେ। ସେପରି ବନ୍ୟା ପରିସ୍ଥିତି ପାଇଁ କାହାର ଚିନ୍ତା ନଥାଏ। ଏ ବର୍ଷ ଯେତେବେଳେ ବନ୍ୟା ଦେଖିବା ପାଇଁ ଆମ ଆଖି ଖୋଲିଛି, ବନ୍ୟା ବିଭୀଷିକା ପ୍ରତି ଆମେ ନିଜର ହୃଦୟ ଖୋଲିଦେଇଛୁ, ତା’ହେଲେ କ’ଣ ଆମେ ମସ୍ତିଷ୍କର ଦ୍ବାର ବି ଖୋଲିବୁ କି? ଏହି ବନ୍ୟାରୁ ଆମେ କିଛି ଶିକ୍ଷା ଗ୍ରହଣ କରିବୁ କି?

ପ୍ରତ୍ୟେକ ବନ୍ୟା ନିଜ ସାଙ୍ଗରେ ଅଭିଯୋଗ, ବାହାନା ଓ ମିଛର ବନ୍ୟା ମଧ୍ୟ ଧରି ଆସିଥାଏ। ଚଳିତ ବର୍ଷ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏକଥା ସ୍ପଷ୍ଟ ହୋଇଛି କି, ଆରୋପ ଓ ପ୍ରତ୍ୟାରୋପର ବନ୍ୟା ମଧ୍ୟ ବିପଦ ସଂକେତ ଟପିଯାଇଛି। ହରିୟାଣା କ’ଣ ଜାଣିଶୁଣି ହଥିନୀକୁଣ୍ଡ ବ୍ୟାରେଜ୍‌ରୁ ଆବଶ୍ୟକତାଠାରୁ ଅଧିକ ଜଳ ଛାଡ଼ିଛି? ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ’ଣ ବନ୍ୟା ନିୟନ୍ତ୍ରଣ ବାବଦରେ ବାର୍ଷିକ ବୈଠକ କରିନାହାନ୍ତି? ଦିଲ୍ଲୀ ସରକାର କ’ଣ ନିଷ୍କାସନ ଯନ୍ତ୍ରଗୁଡ଼ିକର ମରାମତି କରି କାର୍ଯ୍ୟକ୍ଷମ କରି ରଖିବାରେ ଅବହେଳା କରିଛନ୍ତି? ସରକାରୀ ବାବୁମାନେ କ’ଣ ଏନ୍‌ଡିଆର୍‌ଏଫ୍‌ ଏବଂ ସେନାକୁ ଡାକିବାରେ ବିଳମ୍ବ କରିଛନ୍ତି? ବନ୍ୟା ପାଇଁ ଅନ୍ୟକୁ ଏପରି ଦୋଷାରୋପ କରିବାର ଅଭ୍ୟାସରୁ ଆଶଙ୍କା ହେଉଛି କି, ସମସ୍ତ ଧ୍ୟାନ ଏପରି ରାଜନୈତିକ କାଦୁଅ ଫିଙ୍ଗାରେ ସୀମିତ ରହିଯିବ ଏବଂ ବନ୍ୟା ସଂକ୍ରାନ୍ତ ମୌଳିକ ପ୍ରଶ୍ନକୁ ବୁଡ଼ାଇଦେବ। ପୁଣି ଥରେ ଆମେ ବଡ଼ ବଡ଼ ମିଛରେ ଭାସିଯିବା। ବନ୍ୟା ସହ ଜଡ଼ିତ ପ୍ରଥମ ବଡ଼ ମିଛଟି ହେଲା- ବନ୍ୟା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ। ଯେତେବେଳେ ବି ବନ୍ୟା ଆସେ, ସେତେବେଳେ ଯେଉଁ ସରକାର ବି ଥାଆନ୍ତି, ସେ ଏହି ମିଛକୁ ସମର୍ଥନ କରିଥା’ନ୍ତି। ମାତ୍ର ସତ କଥାଟି ହେଲା, ବନ୍ୟା କେବେ ବି ଭୂମିକମ୍ପ ପରି ପ୍ରାକୃତିକ ବିପତ୍ତି ହୋଇନଥାଏ, ଯାହା ଯେ କୌଣସି ମୁହୂର୍ତ୍ତରେ ବି ଘଟିଯିବ। ବନ୍ୟାର ଏକ ନିୟମ, ସମୟ ସାରଣୀ ଓ ମାର୍ଗ ରହିଛି। ଅଳ୍ପ କିଛି ବ୍ୟତିକ୍ରମକୁ ଛାଡ଼ିଦେଲେ, ବନ୍ୟା କେବେ ଓ କେଉଁଠାରେ ହୋଇପାରେ, ତାହା ସମସ୍ତେ ଜାଣିଥା’ନ୍ତି। ତେଣୁ ବନ୍ୟା ପରିସ୍ଥିତି ସ୍ବୟଂ ଏକ ଦୁର୍ଘଟଣା ନୁହେଁ, ବନ୍ୟା ଯୋଗୁଁ ଧନଜୀବନ ନଷ୍ଟ ହେବା ଏପରି ଦୁର୍ଘଟଣା ଯାହାକୁ ଏଡ଼ାଯାଇପାରିବ।

ଏହାର ବିପରୀତ ଦ୍ବିତୀୟ ମିଛଟି ହେଲା, ମାନବୀୟ, ବୈଷୟିକ ଓ ପ୍ରାଶାସନିକ ପଦକ୍ଷେପ ଦ୍ବାରା ବନ୍ୟାକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇପାରିବ, ପ୍ରକୃତିର ପ୍ରବାହକୁ ମଧ୍ୟ ସଂପୂର୍ଣ୍ଣ ଭାବେ ନିଜ ଅକ୍ତିଆରରେ ରଖାଯାଇପାରିବ। ଆଧୁନିକତାର ଏହି ଅହଂକାର ଜାରି ରହିଥିବା ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଥିଲା, ମାଳବନ୍ଧ ନିର୍ମାଣ କରାଯାଇଥିଲା, ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଏହି ସରକାରୀ ଉଦ୍ୟମ ଦ୍ବାରା କିଛି ହାସଲ କରାଯାଇପାରିନାହିଁ। ବିହାରରେ କୋଶି ନଦୀକୁ ବନ୍ଧ ପକାଇ ବାନ୍ଧିବାର ଅସଫଳ ପ୍ରୟାସ ଏହି ମିଛର ସବୁଠୁ ବଡ଼ ଉଦାହରଣ। ବର୍ଷା, ପ୍ରବଳ ବର୍ଷା, ନଦୀରେ ବନ୍ୟା, ନଦୀର ଧାର ଉଛୁଳି ପ୍ରବାହିତ ହେବା- ଏସବୁ ହେଉଛି ସ୍ବାଭାବିକ ପ୍ରାକୃତିକ ଘଟଣା। ଆମକୁ ଜଳର ପ୍ରବାହ ସହ ବଞ୍ଚିବା ଶିଖିବାକୁ ପଡ଼ିବ।
ବନ୍ୟା ସହ ଜଡ଼ିତ ଏହି ଦୁଇଟି ମିଛ ଏକ ବଡ଼ ସତ୍ୟକୁ ଲୁଚାଇଥାଏ କି, ବନ୍ୟାର ମୂଳ କାରଣ ପ୍ରକୃତି ନୁହେଁ, ବରଂ ନିଜେ ମଣିଷ। ବନ୍ୟା ବିତ୍ପାତର ମୂଳରେ ସେହି ଲାଳସା ରହିଛି ଯାହାକୁ ଆମେ ବିକାଶ ବୋଲି କହିଥାଉ। ସହରାଞ୍ଚଳରେ ଆମେ ନଦୀର ପ୍ରାକୃତିକ ଧାରା ସହ ଏଭଳି ଖେଳ ଖେଳିଛୁ ଯେ ତାହା ସାମାନ୍ୟ ବନ୍ୟା ପରିସ୍ଥିତିକୁ ବିପର୍ଯ୍ୟୟରେ ପରିଣତ କରିଦେଉଛି।
ବର୍ଷ ବର୍ଷ ଧରି ଜଳର ପ୍ରଶ୍ନ ଉପରେ ଭରସାଯୋଗ୍ୟ ଅନୁସନ୍ଧାନ କରି ଆସୁଥିବା ହିମାଂଶୁ ଠାକୁର ଓ ତାଙ୍କ ସଂଗଠନ ‘ସାଉଥ୍ ଏସିଆନ୍ ନେଟ୍‌ଵର୍କ ଅନ୍ ଡ୍ୟାମ୍ ରିଭର୍ ଏଣ୍ଡ ପିପୁଲ୍’ ଦ୍ବାରା ଗତ ସପ୍ତାହରେ ଦିଲ୍ଲୀରେ ଆସିଥିବା ବନ୍ୟାର ପ୍ରାରମ୍ଭିକ ବିଶ୍ଳେଷଣ କରାଯାଇଥିଲା ଯାହା ଏହି ସତ୍ୟକୁ ନିଶ୍ଚିତ କରିଛି। ଏହି ବିଶ୍ଳେଷଣରୁ ଏକଥା ସ୍ପଷ୍ଟ ହୋଇଛି ଯେ, ଏଥର ଯମୁନାରେ ବନ୍ୟା ଆସିବାର ମୁଖ୍ୟ କାରଣ ଅକସ୍ମାତ୍‌ ପ୍ରବଳ ବର୍ଷା ନୁହେଁ। କାରଣ ଉତ୍ତରପ୍ରଦେଶର ଯେଉଁ ଜିଲ୍ଲାଗୁଡ଼ିକରେ ସର୍ବାଧିକ ବୃଷ୍ଟିପାତ ହୋଇଥିଲା, ସେଗୁଡ଼ିକର ଜଳ ଯମୁନାରେ ପହଞ୍ଚେ ନାହିଁ। କିମ୍ବା ହଥିନୀକୁଣ୍ଡ ବ୍ୟାରେଜ୍‌ରୁ ଛଡ଼ାଯାଇଥିବା ଜଳ ଏଥିପାଇଁ ଦାୟୀ ନୁହେଁ। ଏଥର ଜୁଲାଇ ୧୧ରେ ବ୍ୟାରେଜ୍‌ରୁ ୩.୬ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯାଇଥିଲା ବେଳେ ୨୦୧୦, ୨୦୧୩, ୨୦୧୮ ଓ ୨୦୧୯ରେ ଗୋଟିଏ ଦିନରେ ତାହାଠାରୁ ଯଥେଷ୍ଟ ଅଧିକ ଜଳ ଛଡ଼ାଯାଇଥିଲା। ଏମିତି ବି ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଯମୁନାର ପାଞ୍ଚଟି ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ କୌଣସିଠାରେ ବି ଜଳସ୍ତର ବିପଦ ସଂକେତ ଉପରକୁ ଯାଇନଥିଲା।
ଏହି ରିପୋର୍ଟ ମୁଖ୍ୟତଃ ବନ୍ୟା ପାଇଁ ମାନବୀୟ ହସ୍ତକ୍ଷେପ ଦାୟୀ ବୋଲି ବିବେଚନା କରେ। ଏହାର ସବୁଠୁ ପ୍ରମୁଖ କାରଣ ହେଉଛି, ଯମୁନାର ଆଖପାଖରେ ଥିବା ଖୋଲା ସ୍ଥାନଗୁଡ଼ିକୁ ଦଖଲ କରାଯାଇଛି, ଯାହାକୁ ଦିଲ୍ଲୀରେ ଯମୁନାର ପ୍ଲାବନ କ୍ଷେତ୍ର କୁହାଯାଏ ଏବଂ ବୈଷୟିକ ଭାଷାରେ ବନ୍ୟାପ୍ରବଣ ଭୂମି କୁହାଯାଏ। ଦିଲ୍ଲୀରେ ଯମୁନାର ମୋଟ ୯,୭୦୦ ହେକ୍ଟର ପ୍ଳାବନ ଭୂମିରୁ ୧,୦୦୦ ହେକ୍ଟରରୁ ଅଧିକ ଜମିରେ ପରିବେଶ ନିୟମ ଉଲ୍ଲଂଘନ କରି ପକ୍କା ଘର ନିର୍ମାଣ କରାଯାଇଛି। ସେଥି ମଧ୍ୟରେ କମନୱେଲ୍‌ଥ କ୍ରୀଡ଼ା ଗ୍ରାମ (୬୪ ହେକ୍ଟର), ଅକ୍ଷରଧାମ ମନ୍ଦିର (୧୦୦ ହେକ୍ଟର) ଓ ମେଟ୍ରୋ ଡିପୋ (୧୧୦ ହେକ୍ଟର) ଆଦି ରହିଛି। ଏହା ବ୍ୟତୀତ ଯମୁନା ଉପରେ ୨୬ଟି ସେତୁ ଏବଂ ତିନିଟି ବ୍ୟାରେଜ୍‌ ନିର୍ମାଣ କରାଯାଇଛି। ଏହି ସବୁ କାରଣରୁ ଦିଲ୍ଲୀରେ ପହଞ୍ଚିବା ପରେ ଯମୁନା ଜଳର ବିସ୍ତାର ପାଇଁ କୌଣସି ସ୍ଥାନ ନାହିଁ ଏବଂ ବର୍ଷା ଜଳର ସାମାନ୍ୟ ବୃଦ୍ଧି ମାନବୀୟ ବିପର୍ଯ୍ୟୟରେ ପରିଣତ ହେଉଛି। ଦିଲ୍ଲୀର ସହରୀ ବିକାଶ ଏହି ପରିସ୍ଥିତିକୁ ଆହୁରି ସଂକଟଜନକ କରିଦେଉଛି। ସହରୀକରଣ ଯୋଗୁଁ ଦିଲ୍ଲୀର ପୋଖରୀ ଓ ଗଡ଼ିଆଗୁଡ଼ିକ ନଷ୍ଟ ହୋଇଯାଇଛି, ବର୍ଷା ଜଳ ଭୂତଳ ଜଳ ପାଖରେ ପହଞ୍ଚି ପାରୁନାହିଁ, ବର୍ଷା ଜଳ ନିଷ୍କାସନ ପାଇଁ ଥିବା ନାଳୀଗୁଡ଼ିକ ଅପରିଷ୍କାର ସିୱେଜ୍‌ରେ ପରିଣତ ହୋଇଛି ଏବଂ ଯମୁନାରେ ଏହି ନର୍ଦ୍ଦମାକୁ ଛାଡ଼ିବା ଦ୍ବାରା ନଦୀଶଯ୍ୟା ଉଚ୍ଚା ହୋଇଯାଇଛି। ଏଭଳି ପରିସ୍ଥିତି ଯୋଗୁଁ ସାମାନ୍ୟରୁ ଟିକେ ଅଧିକ ବର୍ଷା ହେଲେ ଏବଂ ସରକାରୀ ପରିଚାଳନାରେ ସାମାନ୍ୟ ଅବହେଳା ହେଲେ ମଧ୍ୟ ତାହା ଏକ ବଡ଼ ବିପର୍ଯ୍ୟୟର ରୂପ ନେଉଛି।
ଏହା କୌଣସି ନୂଆ କଥା ନୁହେଁ। ‘ଯମୁନା ବଞ୍ଚାଅ ଅଭିଯାନ’ ତରଫରୁ ଦ୍ବିଜେନ୍ଦ୍ର କାଲିୟା ଗତ ତିନି ଦଶନ୍ଧି ଧରି ଏହି ବିପଦ ସମ୍ପର୍କରେ ବାରମ୍ବାର ଚିନ୍ତା ପ୍ରକଟ କରି ଆସିଛନ୍ତି। ଗାନ୍ଧୀବାଦୀ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ ଶର୍ମା ଦିଲ୍ଲୀର ଏହି ବନ୍ୟାରୁ ମିଳିଥିବା ଶିକ୍ଷା ବିଷୟରେ କହିଛନ୍ତି: ‘ତାହାର ପ୍ଳାବନ କ୍ଷେତ୍ରକୁ ଫେରାଇ ଦେବା ଲାଗି ରୌଦ୍ରରୂପିଣୀ ଯମୁନା ଦୃଢ଼ ଭାବରେ ଏକ ସଂକେତ ପଠେଇ ଚାଲିଛି। ଏହି ଅଞ୍ଚଳରେ ଛିଡ଼ା କରାଯାଇଥିବା ଦୈତ୍ୟମାନଙ୍କୁ ହଟାଇ ଦିଆଯାଉ। ମାଆକୁ ମାଆ ହୋଇ ରହିବାକୁ ଦିଆଯାଉ, ନର୍ଦ୍ଦମା କରି ଦିଆନଯାଉ। ନଦୀର ପ୍ଳାବନ ଅଞ୍ଚଳକୁ ମୁକ୍ତ କରାଯାଉ। ନଦୀ ସ୍ବାଧୀନତା ମାଗୁଛି। ନଦୀ ବଞ୍ଚିଯିବ, ଜୀବନ ବି ରକ୍ଷା ପାଇଯିବ। ଏ ସତର୍କ ପ୍ରତି କର୍ଣ୍ଣପାତ କରିବନି ତ ପରେ ଯନ୍ତ୍ରଣା ଭୋଗିବାକୁ ହେବ ଓ ପଶ୍ଚାତ୍ତାପ କରିବାକୁ ହେବ।’
ଯେଉଁ ଶିକ୍ଷା ଆମକୁ ଆସାମ ଓ ବିହାରରୁ ଶିଖିବାର ଥିଲା, ତାହା କ’ଣ ଏବେ ଦିଲ୍ଲୀରୁ ଶିଖିପାରିବା?

ସମ୍ବନ୍ଧିତ ଖବର