ଜେଲ୍ ଭିତରୁ ସରକାର

ସବ୍ୟସାଚୀ ପଣ୍ଡା

ଭାରତବର୍ଷର ଗଣତାନ୍ତ୍ରିକ ନିର୍ବାଚନୀ ବ୍ୟବସ୍ଥା ଲାଗୁ ହେବାର ସମଗ୍ର ‌ଇତିହାସରେ ଏଇଟା ପ୍ରଥମ ଘଟଣା। ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଅଛନ୍ତି। ଭାରତୀୟ ଜନତା ପାର୍ଟି ଓ ଇ.ଡି.ର ଅଭିଯୋଗ ଅନୁଯାୟୀ ଦିଲ୍ଲୀ ମଦ ନୀତି ଲାଗୁ କରିବା ଓ ପୁଣି ତାକୁ ସଂଶୋଧନ କରିବା ପ୍ରକ୍ରିୟା ମଧ୍ୟରେ କ୍ଷମତାସୀନ ଦଳ ଓ ତାଙ୍କ ସହଯୋଗୀ ଦୁର୍ନୀତି କରିଛନ୍ତି। ଏ ଅଭିଯୋଗ ସତ କି ମିଛ, ତାହା ସମୟ କହିବ। କାରଣ, ମାମଲା ବିଚାରାଧୀନ। କହିବା ନିଷ୍ପ୍ରୟୋଜନ ‌େଯ, ଆମ ଦେଶର ଆଇନର ଦି’ଧାରୁଆ ଖଣ୍ଡା ଓ ତା’ର ଗଳାବାଟ ଦେଇ ‌େଦାଷୀ ବି ଖସିପାରେ ଏବଂ ନିର୍ଦ୍ଦୋଷ ବି ଅଯଥା ଦଣ୍ଡ ଭୋଗିପାରେ। ଜଣେ ବିଚାରାଧୀନ ବନ୍ଦୀ ଭାବେ ତ ଅନ୍ତତଃ କିଛି କାଳ ଜେଲ୍‌ ଜୀବନ ବିତାଇପାରେ। କିନ୍ତୁ, ଯେ ପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣିତ ନ ହୋଇଛି, ଏପରି କି ଉପର ଅଦାଲତରେ ଅପିଲ୍ ପ୍ରକ୍ରିୟା ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ କାହାକୁ ଦୋ‌ଷୀ ବୋଲି କହିବା ନିଜର ଅଜ୍ଞତା ଛଡ଼ା ଆଉ କିଛି ନୁହେଁ।
ପି.ଏମ୍.ଏଲ୍.ଏ. (ଅର୍ଥ ‌େଚାରା ଚାଲାଣ ନିରୋଧକ ଆଇନ) ହେଉଛି ଏକ ରକମର କଳା ଆଇନ ଏବଂ ଏହାର ଜାମିନ ପ୍ରକ୍ରିୟା ବହୁ କଟକଣାଯୁକ୍ତ। କେନ୍ଦ୍ରରେ କ୍ଷମତାସୀନ ଦଳ ଏଇ ଆଇନ ଓ ଇ.ଡି. ପରି ସଂସ୍ଥାର ଅପବ୍ୟବହାର କରି ଯେ କୌଣସି ବିରୋଧୀ ଶକ୍ତିକୁ ଜେଲ୍‌ ମଧ୍ୟରେ କିଛି କାଳ ପାଇଁ ରଖିପାରିବ। ବାର ଲକ୍ଷରୁ ଅଧିକ ଟଙ୍କାର ସତ ମିଛ ଅଭିଯୋଗଟି କରିପାରିଲେ ସଙ୍ଗେ ସଙ୍ଗେ ଗିରଫ କରାଯାଇପାରିବ ଯହିଁରେ ଜାମିନ ମିଳିବା କଷ୍ଟକର। ମୁଁ ନିଜେ ଏଇ ସଂସ୍ଥାର ତଦନ୍ତର ସମ୍ମୁଖୀନ ହୋଇସାରିଛି। ଇ.ଡି.ର ଅଧିକାରୀମାନେ ଜେଲ୍‌ରେ ଆସି ମୋର ବୟାନ ନେଇ ସାରିବା ପ‌େର ପଚାରିଥିଲେ ମୋ ନଁାରେ କେତୋଟି ପାସ୍‌ବୁକ୍ ଅଛି? ସ୍ଥାବର ଅସ୍ଥାବର କେତେ ସଂପତ୍ତି ଅଛି? ଇତ୍ୟାଦି ଇତ୍ୟାଦି। ସବୁ ତଥ୍ୟ ପାଇସାରିବା ପରେ ହସିଥିଲେ ଓ କହିଥିଲେ, ଏ ତଦନ୍ତ ଜମାରୁ ଦରକାର ନ ଥିଲା। ଖାଲି କେନ୍ଦ୍ର ସରକାର ଚାପରେ ଏଠି ଆସିଲୁ। ଆପଣଙ୍କ ପରି ଯାହା ନାମରେ ପୈତୃକ ସଂପତ୍ତି ଛଡ଼ା ଅନ୍ୟ କୌଣସି ସଂପତ୍ତି ନାହିଁ, ତା’ର ଆମେ କିଛି କରିପାରିବୁ ନାହିଁ। ତା’ ସତ୍ତ୍ବେ ମୋ ନଁାରେ ପି.ଏମ୍.ଏଲ୍.ଏ. ଆଇନ ଅନୁସାରେ ଗୋଟିଏ କେସ୍‌ ହୋଇଛି; ଯାହାର କୌଣସି ପ୍ରକ୍ରିୟା ଆଗକୁ ଯାଉନାହିଁ। ତେବେ ମୂଳ କଥାଟି ହେଲ, ଏହି ଅାଇନଟି ଏଭଳି ତିଆରି ହୋଇଛି ଯେ ଜଣେ କ୍ଷମତାସୀନ ପ୍ରଧାନମନ୍ତ୍ରୀଙ୍କୁ ଯଦି ଏଥିରେ ଛନ୍ଦି ଦିଆଯାଏ, ତେବେ ତାଙ୍କୁ ମଧ୍ୟ ଅନ୍ତତଃ ଛଅ ମାସ କାଳ ଜେଲରେ କଟାଇବାକୁ ପଡ଼ିପାରେ!
ଏହା ପରେ ଆସିବା ଆଲୋଚନାର ଅନ୍ୟ ଦିଗକୁ। ତାହା ହେଲା, ଜଣେ ଅଭିଯୁକ୍ତ ଓ ଦୋଷୀକୁ ଏକା ନିକିତିରେ ଥୋଇ ‌ସମାନ ଦର୍ଶାଇବାର ରାଜନୈତିକ ଓ ସାମ୍ବାଦିକତା ପ୍ରବଣତା। ସତେ ଯେମିତି ଜାମିନ ପାଇଗଲେ ଜଣଙ୍କର ଦୋଷ କମ୍‌ କିମ୍ବା ଜମାରୁ ନାହିଁ ବୋଲି ଜାତ ହେଉଥିବା ଧାରଣା। ସୁତରାଂ, ଲାଗେ ଜାମିନ ନ ମିଳିଲେ ଅଭିଯୁକ୍ତ ଜଣକ ସତେ ଯେମିତି ଦୋଷୀ! ଏଠି ବୁଝିବା ଦରକାର ଯେ ଜାମିନ ପ୍ରଦାନ ବେଳେ କୋଉ ସ୍ପେସାଲ୍ ଆକ୍‌ଟ ବଳରେ ମାମଲାଟି ହୋଇଛି, ତାହା ଅଦାଲତଙ୍କ ପାଇଁ ବିଚାର କରିବାର ଏକ ପ୍ରମୁଖ ବିଷୟ ପାଲଟିଥାଏ। ଏନ୍.ଡି.ପି.ଏସ୍. (‌ଗଞ୍ଜେଇ କେସ), ପି.ଏମ୍.ଏଲ୍.ଏ., ୟୁ.ଏ.ପି.ଏ. (ନକ୍ସଲ ଓ ଅନ୍ୟ ବେଆଇନ କାର୍ଯ୍ୟକଳାପ କେସ), ଏନ୍.ଆଇ.ଏ. ଓ ପୋକ୍‌ସୋ (୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଓ ଶୋଷଣ ସଂକ୍ରାନ୍ତ କେସ) ପରି ଆଇନରେ ଜାମିନ ପ୍ରଦାନ ନେଇ ବହୁ କଟକଣା ରହିଛି। ଏନ୍.ଡି.ପି.ଏସ୍. ଓ ପୋକ୍‌‌େସା ଆଇନରେ ତ ତଳ କୋର୍ଟରେ ଦଣ୍ଡ ପାଇବାର ମାତ୍ରା ଶହକେ ଅଶୀ ଭାଗରୁ ଅଧିକ। କହିବାର କଥା ହେଲା, ଦୋଷ କରି ନ ଥିଲେ ମଧ୍ୟ ଉପର ଲିଖିତ ଆଇନଗୁଡ଼ିକ ମଧ୍ୟରୁ କୌଣସି ଗୋଟିକ ଅନୁସାରେ ଯଦି ମାମଲା ରୁଜୁ ହୁଏ, ତେବେ ଅଭିଯୁକ୍ତ ଜାମିନ ପାଇବା ତ କଷ୍ଟକର ବ୍ୟାପାର, ଏମିତି ଧାରଣା ମଧ୍ୟ ହୋଇଥାଏ ଯେ ସେ ହିଁ ଦୋଷୀ।
କେଜ୍ରିୱାଲ୍ ଗିରଫ ପୂର୍ବରୁ ଇସ୍ତଫା ନ ଦେଇ ଏକ ସାହସିକ ପଦକ୍ଷେପ ନେଇଛନ୍ତି। କାରଣ ଏହା କରି ସେ ଭୟଭୀତ ନୁହେଁ ବୋଲି ଜଣାଇ ଦେଇଛନ୍ତି। ଜେଲ୍ ଭିତରେ ରହି ସରକାର ଚଳାଇବାର ଘୋଷଣା କରି ବି କିଛି ଭୁଲ୍‌ କରିନାହାନ୍ତି; ଯଦିଚ, ଦିଲ୍ଲୀରେ ସରକାର ଗଠନ ନେଇ ଥିବା ବିଶେଷ ଆଇନରେ ମୁଖ୍ୟମନ୍ତ୍ରୀଙ୍କୁ ଉପରାଜ୍ୟପାଳଙ୍କ ପାଖରେ ଅନେକ କ୍ଷେତ୍ରରେ ହେଡ୍-କିରାଣି ପରି କାମ କରିବାର ବିଚିତ୍ର ବ୍ୟବସ୍ଥା ଅଛି। ସେହି କାରଣରୁ ହୁଏତ କିଛି ସଂକଟ ଆସିପାରେ।
ଏଣେ, ଆମ ଦେଶର ଆଇନ ଅନୁଯାୟୀ ଜଣେ ନିର୍ବାଚିତ ପ୍ରତିନିଧି ଏକ ଅଭିଯୋଗ ଆଧାରରେ ଗିରଫ ହେଲେ ତା’ର ପଦ ଚାଲିଯାଏନା। ଜେଲ୍‌ରେ ରହି ଜଣେ ବିଚାରାଧୀନ ବନ୍ଦୀ ନିର୍ବାଚନ ଲଢ଼ି ପାରିବ, ଜିତି ପାରିବ, ‘ଭିଡିଓ କନ୍‌ଫରେନ୍‌ସିଂ’ ମାଧ୍ୟମରେ ସଂସଦ ବା ବିଧାନସଭା କାର୍ଯ୍ୟରେ ଅଂଶ ଗ୍ରହଣ କରିପାରିବ। ତେଣୁ ଜେଲ୍ ମଧ୍ୟରୁ କେଜ୍ରିୱାଲ୍ ବିଧାନସଭାକୁ ସଂବୋଧନ କଲେ ଅସୁବିଧା କୋଉଠି? ଜେଲ୍ ମାନୁଆଲ୍‌ଜରେ ଜେଲରେ କେଉଁଭଳି ସୁବିଧା ସୁଯୋଗ ମିଳି ପାରିବ, ସେ ନେଇ ଅନେକ କଥା କୁହାଯାଇଛି। ଜେଲ୍‌କୁ ବିଭିନ୍ନ ଧରଣର ଲୋକ ଆସନ୍ତି। ଜେଲ୍ ନିୟମ ଅନୁସାରେ ଦେୱାନୀ ମାମଲା (ଛାଡ଼ପତ୍ର ଓ ଭରଣପୋଷଣ, ଜମିଜମା ମାମଲା) ଆଦିରେ ଆସିଥିବା ଅନ୍ତେବାସୀଙ୍କୁ ଫୌଜଦାରୀ ମାମଲାରେ ଆସୁଥିବା ଅନ୍ତେବାସୀଙ୍କ ଠାରୁ ପୃଥକ୍‌ ରଖିବା କଥା। ଦେୱାନୀ ମାମଲାର ଅଭିଯୁକ୍ତଙ୍କ ପାଇଁ କିଛି ଅଲଗା ସୁବିଧା ଦେବାର ନିୟମ ଅଛି। ଫୌଜଦାରୀ ମାମଲାରେ ଦୋ‌ଷୀ ସାବ୍ୟସ୍ତ ଅନ୍ତେବାସୀଙ୍କ ଠାରୁ ଅଭିଯୁକ୍ତମାନଙ୍କୁ ପୃଥକ ରଖିବା ପାଇଁ ନିୟମ ଅଛି। ବିଚାରାଧୀନ ବନ୍ଦୀଙ୍କ ପାଇଁ କିଛି ବିଶେଷ ସୁବିଧା ଦେବାର ନିୟମ ଏଥିରେ ରହିଛି। ଜଣେ ବିଚାରାଧୀନ ବନ୍ଦୀ ନିଜ ଘରର ଖାଦ୍ୟ ମଗାଇ ଖାଇପାରିବେ ଓ ବିଛଣାପତ୍ର ବ୍ୟବହାର ସୁବିଧା ପାଇବେ। ମହିଳା ଓ ପୁରୁଷ ଅନ୍ତେବାସୀ ଭିନ୍ନ ବ୍ଲକରେ ରହିବାର ସାଧାରଣ ନିୟମ ଯଦିଓ ଅଛି, ସ୍ବାମୀ ଓ ସ୍ତ୍ରୀ ଉଭୟ ଗୋଟିଏ ଫୌଜଦାରୀ ମାମଲାରେ ବିଚାରାଧୀନ ବନ୍ଦୀ ହୋଇଥିଲେ, ସେମାନେ ଗୋଟିଏ ପ୍ରକୋଷ୍ଠରେ ଏକାଠି ରହିପାରିବେ। (ଦିନୁଦାର ସିଂ ବନାମ ପଞ୍ଜାବ ସରକାର, ୧୯୯୪ (୩))। ପୁନଶ୍ଚ, ସାମାଜିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ଜୀବନଧାରଣର ମାନ ଆଦିକୁ ବିଚାରକୁ ନେଇ ସମଗ୍ର ଅନ୍ତେବାସୀଙ୍କୁ ଡିଭିଜନ ୧, ଡିଭିଜନ ୨ (କ), ଡିଭିଜନ ୨ (ଖ), ଡିଭିଜନ ୩ (କ) ଓ ଡିଭିଜନ ୩ (ଖ); ଏମିତି ପାଞ୍ଚଟି ବର୍ଗରେ ବିଭାଜିତ କରାଯିବା କଥା। ରାଜନୈତିକ ବନ୍ଦୀମାନେ ଡିଭିଜନ ୧ ଓ ୨ରେ ଆସନ୍ତି, ଯେଉଁମାନଙ୍କୁ ଖଟ, ଚୌକି, ଟି ଟେବୁଲ୍, ଛୋଟ ଦର୍ପଣ, ଅଧିକ ସଂଖ୍ୟକ ବ୍ୟକ୍ତିଗତ ପୋ‌ଷାକ, ବହିପତ୍ରର ସୁବିଧା ମିଳିପାରିବ। ଏମାନେ ବ୍ୟକ୍ତିଗତ ଭାବେ କିମ୍ବା ଏକା ଡିଭିଜନର ଲୋକେ ଦଳଗତ ଭାବେ ରାନ୍ଧି ଖାଇବାର ସୁବିଧା ପାଇବେ। ଯେଉଁମାନେ ଅଭ୍ୟାସଗତ ଅପରାଧୀ ବା ଅଭିଯୁକ୍ତ ନୁହନ୍ତି, ସେମାନଙ୍କୁ (କ) ଓ ଯେଉଁମାନେ ଅଭ୍ୟାସଗତ ଅପରାଧୀ ସେମାନଙ୍କୁ (ଖ) ଶ୍ରେଣୀରେ ଚିହ୍ନିତ କରାଯାଏ। ‘କ’ ଠାରୁ ‘ଖ’ମାନଙ୍କୁ ପୃଥକ୍‌ ରଖାଯାଏ। ସେହିପରି ରୋଗୀ ଓ ଗର୍ଭବତୀ ସ୍ତ୍ରୀମାନଙ୍କ ଲାଗି ବିଶେଷ ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ସେମିତି ଜେଲ୍‌ରେ ଥାଇ ବାହାର ଲୋକଙ୍କୁ ଭେଟିବା, ଜେଲ୍ ମଧ୍ୟରୁ ଦସ୍ତାବିଜ୍ ଦସ୍ତଖତ କରି ପଠାଇବାର ସୁଯୋଗ ବ୍ୟକ୍ତି ଓ ଆବଶ୍ୟକତାକୁ ଦେଖି ଯୋଗାଇ ଦିଆଯାଇଥାଏ। ସାରଦା ଚିଟ୍‌ଫଣ୍ଡ୍ ମାଲିକଙ୍କୁ ଜେଲ୍ ମଧ୍ୟରେ ଶୀତତାପ ନିୟନ୍ତ୍ରିତ ଅଫିସ୍ ଖୋଲି ବାହାର ଦୁନିଆ ସହ ଯୋଗାଯୋଗର ସୁବିଧା ମିଳିଥିଲା। ଏଭଳି ସୁବିଧାମାନ ଅନ୍ତେବାସୀଙ୍କ ଧନ ଓ କ୍ଷମତାର ପ୍ରଭାବରେ ମିଳିଥାଏ। ତେଣୁ ରାଜନୈତିକ ବନ୍ଦୀ ଭାବେ ଓ ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଭାବେ କୋର୍ଟଙ୍କ ଅନୁମତିରେ କେଜ୍ରିୱାଲ୍ କାହିଁକି ଡିଭିଜନ ୧ (ରାଜନୈତିକ) ବିଚାରାଧୀନ ବନ୍ଦୀ ଭାବେ ବିଶେଷ ସୁବିଧା ନ ପାଇବେ? କାହିଁକି ସେ ଜେଲ୍ ମଧ୍ୟରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି ନ ପାରିବେ? ସେ ବହି ପଢ଼ିପାରିବେ, ଲେଖାଲେଖି କରି ଗଣମାଧ୍ୟମରେ (ଆର. ରାଜଗୋପାଳ ବନାମ ତାମିଲନାଡୁ ସରକାର ଏବଂ ଅନ୍ୟମାନେ ମାମଲା ଓ ମହାରାଷ୍ଟ୍ର ସରକାର ବନାମ ଭି. ପ୍ରଭାକର ପାଣ୍ଡୁରଙ୍ଗ ମାମଲା) ପ୍ରକାଶ କରିପାରିବେ। ତାଙ୍କ ଅଫିସ୍‌କୁ ଆସୁଥିବା କାଗଜପତ୍ରରେ ଦସ୍ତଖତ କରି ପଠାଇ ପାରିବେ। ଅବଶ୍ୟ, ଜଣେ ଜେଲ୍ ଅଧିକାରୀ ସେ ଦସ୍ତଖତକୁ ‘ଅଟେଷ୍ଟେସନ୍‌’ କରିବା ଦରକାର। ଏ ସବୁ ଜେଲ୍ ମଧ୍ୟରୁ କରାଗଲେ ସେମିତି କିଛି ଆଇନଗତ ସମସ୍ୟା ଉପୁଜିବନି। ତେବେ ଏଥି ପାଇଁ ଅଦାଲତ କିମ୍ବା ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶଟିଏ ଦରକାର ପଡ଼ିପାରେ।
ଆଇନ ଆଗରେ ସମସ୍ତେ ସମାନ, ଜେଲ୍ ମଧ୍ୟରେ ଥିବା ସମସ୍ତ ଅନ୍ତେବାସୀଙ୍କ ପାଇଁ ସମାନ ସୁଯୋଗ ଭଳି ଆଲୋଚନାମାନ ଭ୍ରମାତ୍ମକ। କାରଣ ଦେଖାଯାଇଥାଏ ଯେ ସାମାଜିକ-ଆର୍ଥିକ ସ୍ଥିତିରେ ଅସମାନତା ଭରି ରହିଥିବା ଏକ ଦେଶରେ ଆଇନ ଆଗରେ ସମସ୍ତେ ଜମାରୁ ସମାନ ନୁହନ୍ତି। ଉଦାହରଣ ସ୍ବରୂପ, ଗୋଟିଏ ଅଭିଯୋଗରେ ଜଣେ ଧନପତି ଓ ଜଣେ ଭୂମିହୀନ ଗିରଫ ହେଲେ। ଅଦାଲତ ଜାମିନ ପ୍ରଦାନ ନିମିତ୍ତ ଉଭୟଙ୍କ ପାଇଁ ସଂପତ୍ତି ଆଧାର ଥିବା ଜାମିନଦାର ମାଗନ୍ତି। ଭୂମିହୀନର ତ ଜମି ନାହିଁ, ସେ କ’ଣ କରିବ? ବିଚରା ଜାମିନ ନ ପାଇ ଜେଲରେ ଶଢ଼ିବ। ଯଦି ତା’ ପରିବାର ସଦସ୍ୟଙ୍କ ଭୋଟର ପରିଚୟ ପତ୍ର ଆଧାରରେ ତାକୁ ଜାମିନରେ ଛଡ଼ା ଯାଆନ୍ତା, ତା’ ହେଲେ ଆଇନ ଆଗରେ ସମସ୍ତେ ସମାନ ବୋଲି କହିଲେ ଶୋଭା ପାଆନ୍ତା। ସେମିତି ଜେଲ୍‌ରେ ଅନ୍ତେବାସୀମାନଙ୍କୁ ଯାହା ସମସ୍ତଙ୍କୁ ମିଳିବା କଥା, ତାହା ମଧ୍ୟ ପ୍ରାୟତଃ ମିଳି ନ ଥାଏ, ଯେମିତି ଶୋଇବା ଲାଗି ଦରି, ବେଡ୍‌ସିଟ୍, ତକିଆ ଓ ମଶାରି ଭଳି ସାମାନ୍ୟ ସୁବିଧା। କେଜ୍ରିୱାଲଙ୍କ ସରକାର ଜେଲ ଭିତରୁ ଚାଲୁ ବୋଲି ହୁଏତ ଆଇନକୁ ତାଙ୍କ ନିଜ ଢଙ୍ଗରେ ବୁଝୁଥିବା ସରକାର ବା ଜେଲ୍ କର୍ତ୍ତୃପକ୍ଷ ବା ପୁଲିସ ପ୍ରଶାସନ ଅନୁମତି ପ୍ରଦାନ କରି ନ ପାରନ୍ତି। କାରଣ, ସବା ଶେଷରେ ଯାହା ହେଉଛି ନିରାଟ ସତ, ତାହା ହେଲା ଜେଲକୁ ସଂସ୍କାର ଗୃହ ଭାବେ ନାମକରଣ କରାଯାଇଥିଲେ ସୁଦ୍ଧା ‘ଜେଲ୍’ ହେଉଛି ରାଷ୍ଟ୍ର-ଯନ୍ତ୍ରର ଅନ୍ୟତମ ଦମନକାରୀ ହତିଆର!
(ବ୍ରହ୍ମପୁର ମଣ୍ଡଳ କାରାଗାରରୁ)

ସମ୍ବନ୍ଧିତ ଖବର